କଟକ: ରାଜ୍ୟରେ କ୍ରୀଡ଼ା ବିକାଶର ଉଦାହରଣ ସ୍ବରୂପ ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମକୁ ନିକଟ ଅତୀତରେ ନବୀକରଣ କରାଯାଇଛି। କଟକ ଓ ଭୁବନେଶ୍ବରକୁ କ୍ରୀଡ଼ା ରାଜଧାନୀ ଦାବି କରାଗଲାଣି। ହେଲେ ସବୁ ଖେଳକୁ ସମାନ ଅଧିକାର ମିଳିପାରୁନାହିଁ। ଇନ୍ଡୋର ଷ୍ଟାଡିୟମରେ ଟାଏକୋଣ୍ତୋ, ବ୍ୟାଡମିଣ୍ଟନ ଏକାଡେମି ଖୋଲିବା ପାଇଁ ଅନୁମତି ଦିଆଯାଉଥିଲେ ସୁଦ୍ଧା ଜିମ୍ନାଷ୍ଟିକ୍ ଖେଳାଳିଙ୍କ ପାଇଁ ଏହାର ସବୁ ଦ୍ବାର ବନ୍ଦ କରି ଦିଆଯାଇଛି। କ୍ରୀଡ଼ା ବିଭାଗର ଆନ୍ତରିକତାର ଅଭାବ ଯୋଗୁଁ ଦୀର୍ଘ ଦିନଧରି ଇନ୍ଡୋର ଷ୍ଟାଡିୟମ ଭିତରେ ଅଭ୍ୟାସ କରିଆସୁଥିବା ଜିମ୍ନାଷ୍ଟ୍ମାନଙ୍କୁ ଏବେ ଓଡ଼ିଶା କ୍ରୀଡ଼ା ପରିଷଦ ପରିସରରେ ଥିବା ଛୋଟିଆ ସ୍ଥାନରେ ଅଭ୍ୟାସ କରିବାକୁ ପଡୁଛି। ଏପରିକି କଟକ ଓ ମୟୂରଭଞ୍ଜ କ୍ରୀଡ଼ା ଛାତ୍ରାବାସରୁ ଜିମ୍ନାଷ୍ଟିକ୍ ଉଠାଇ ନେଇ ପୁରୀରେ ଯୋଡ଼ି ଦିଆଯାଇଛି। ଫନି ଯୋଗୁଁ ପୁରୀ କ୍ରୀଡ଼ା ଛାତ୍ରାବାସ କିମ୍ବା ଇନ୍ଡୋର ହଲ୍ର ଚିହ୍ନବର୍ଣ୍ଣ ନଥିବା ବେଳେ କଟକରେ ଜିମ୍ନାଷ୍ଟିକ୍ ଆରମ୍ଭ କରିବାକୁ ରାଜ୍ୟ ଜିମ୍ନାଷ୍ଟିକ ସ˚ଘ ପକ୍ଷରୁ ଦାବି ଉଠିଲାଣି। କିନ୍ତୁ କଟକ ପ୍ରତି କ୍ରୀଡ଼ା ବିଭାଗ ମୁହଁ ମୋଡ଼ି ଦେଉଥିବା ବେଳେ ପୁରୀ ଛାତ୍ରାବାସକୁ ନୂଆ ରୂପରେ ଗଢିବା ପାଇଁ ଯୋଜନା କରାଯାଉଛି। ଏଭଳି ସ୍ଥିତିରେ ରାଜ୍ୟର ଜିମ୍ନାଷ୍ଟ୍ମାନେ ପ୍ରକୃତ ପ୍ରଶିକ୍ଷଣ ପାଇବାରୁ ବଞ୍ଚିତ ହୋଇଆସୁଥିବା ଅଭିଯୋଗ ହୋଇଛି।
କଟକସ୍ଥିତ ଇନ୍ଡୋର ଷ୍ଟାଡିୟମରେ ସମସ୍ତ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ମାଗଣା ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ବିଭାଗଠୁ ଅନୁମତି ଆଣି ଦୁଇଟି ଘରୋଇ ସ˚ସ୍ଥା ଟାଏକୋଣ୍ତୋ ଓ ବ୍ୟାଡ୍ମିଣ୍ଟନ ପ୍ରଶିକ୍ଷଣ ଦେଉଛନ୍ତି। ସରକାରଙ୍କ ‘ପେ ଆଣ୍ତ ପ୍ଲେ’ ଯୋଜନା ଅଧିନରେ ପ୍ରଶିକ୍ଷଣ ଦିଆଯାଉଥିବା କୁହାଯାଉଥିଲେ ବି ବାସ୍ତବ ଚିତ୍ର ଭିନ୍ନ ରହୁଛି। ଏପରି ସ୍ଥଳେ ବହୁ ପୂର୍ବରୁ ଇନ୍ଡୋରରେ ଅଭ୍ୟାସ କରିଆସୁଥିବା ଜିମ୍ନାଷ୍ଟମାନଙ୍କ ପାଇଁ ଷ୍ଟାଡିୟମର ଗେଟ୍ ବନ୍ଦ ହୋଇଯାଉଛି। ପୂର୍ବରୁ କଟକ ଛାତ୍ରାବାସରେ ୨୦ ଜଣ ଖେଳାଳି ପ୍ରଶିକ୍ଷଣ ନେଉଥିଲେ। ସେମାନଙ୍କ ପାଇଁ ସର୍ବନିମ୍ନ ଖେଳ ଉପକରଣ ଏଠାରେ ରହିଥିଲା। କିନ୍ତୁ ୨୦୦୪ ମସିହା ବେଳକୁ ଏଠାରୁ ଜିମ୍ନାଷ୍ଟିକକୁ ଉଠାଇ ନିଆଯାଇଥିଲା। କେବଳ କଟକ ନୁହେଁ ମୟୂରଭଞ୍ଜରେ ୨୦ ଜଣ ଖେଳାଳିଙ୍କୁ ନେଇ କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ଦିଆଯାଉଥିଲେ ବି ସେମାନଙ୍କୁ ମଧ୍ୟ ସମଦଶା ଭୋଗିବାକୁ ପଡିଥିଲା। ହେଲେ ଏହା ବଦଳରେ ପୁରୀରେ ଖୋଲାଯାଇଥିବା କ୍ରୀଡ଼ା ଛାତ୍ରାବାସରେ ଜିମ୍ନାଷ୍ଟିକ୍ ସିଟ୍ ସ˚ଖ୍ୟା ଆଉ ବୃଦ୍ଧି କରାଗଲାନି। ଫଳରେ ମାତ୍ର ୨୦ ଜଣ ଖେଳାଳି ସେଠାରେ ପ୍ରଶିକ୍ଷଣ ନେଉଛନ୍ତି। ବାତ୍ୟା ପରଠୁ ପୁରୀରେ ରହୁଥିବା ଖେଳାଳିମାନେ ପର୍ଯ୍ୟାପ୍ତ ଅଭ୍ୟାସର ସୁଯୋଗ ପାଉନଥିବାରୁ କଟକ ଇନ୍ଡୋର ଷ୍ଟାଡିୟମରେ ଅଭ୍ୟାସ କରିବାକୁ ସୁଯୋଗ ଦେବାକୁ ରାଜ୍ୟ ସ˚ଘ କ୍ରୀଡ଼ା ବିଭାଗ ପାଖରେ ଦାବି କରିଛି। କିନ୍ତୁ ବିଭାଗୀୟ ଅଧିକାରୀମାନେ କୌଣସି ପଦକ୍ଷେପ ନେବାକୁ ନାରାଜ। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଇନ୍ଡୋର ଷ୍ଟାଡିୟମର ନବୀକରଣ କରାଗଲା, ହେଲେ ତାହା ଖେଳାଳିଙ୍କ କାର୍ଯ୍ୟରେ ଲାଗିପାରୁନାହିଁ। କିନ୍ତୁ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ଆୟୋଜନ ବେଳେ ଖେଳାଳିଙ୍କୁ ମାଗଣାରେ ରହିବା, ଖାଇବା ବ୍ୟବସ୍ଥା ଯୋଗାଇ ଦେବାରେ ସରକାର ତିଳେମାତ୍ର ହେଳା କରୁନଥିଲେ। ଏ ସ˚ପର୍କରେ ଇନ୍ଡୋର ଷ୍ଟାଡିୟମର ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ବେହେରା କହିଛନ୍ତି ଯେ କୌଣସି କ୍ରୀଡ଼ାକୁ ଏଠାରେ ଅଭ୍ୟାସ କରିବା ପାଇଁ ମନା କରାଯାଇନାହିଁ। ତେବେ ଏଥିପାଇଁ କ୍ରୀଡ଼ା ବିଭାଗର ଅନୁମତି ଆଣିବା ଦରକାର। ଅନୁମତି ଆଣିବା ପରେ ସ˚ପୃକ୍ତ ଖେଳାଳିଙ୍କୁ ଇନ୍ଡୋର ଷ୍ଟାଡିୟମରେ ଅଭ୍ୟାସ କରିବାକୁ ସୁଯୋଗ ଦିଆଯାଇ ପାରିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।