ଭୁବନେଶ୍ବର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ସ ଉଚ୍ଚ ଗୁଣବତ୍ତା କେନ୍ଦ୍ର (ଏଚ୍ପିସି) ସହ ହକି ଏଚ୍ପିସିର ନୂତନ ଗୃହକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଓଡ଼ିଶା ଆର୍ସଲର ମିତଲ (ଏଏମ୍)/ନିପନ ଷ୍ଟିଲ୍ (ଏନ୍ଏସ୍) ଇଣ୍ଡିଆ ସହଯୋଗରେ ଜିମ୍ନାଷ୍ଟିକ୍ସ ଏଚ୍ପିସି ଖୋଲାଯାଇଥିଲା ବେଳେ ହକି ଏଚ୍ପିସି ସହ ରହିଛି ଟାଟା ଷ୍ଟିଲ୍ ଓ ଟାଟା ଟ୍ରଷ୍ଟ। ମୁଖ୍ୟମନ୍ତ୍ରୀ ପ୍ରଥମେ ଜିମ୍ନାଷ୍ଟିକ୍ସ କେନ୍ଦ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପରେ ଏହାର ଜର୍ସି ଉନ୍ମୋଚନ କରିଥିଲେ। ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ରାକେଶ କୁମାର ପାତ୍ର ଏବଂ ତପନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବା ସହ ସଫଳତା ଲାଗି ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଏଚ୍ପିସି ଅନ୍ତେବାସୀ ଅନ୍ତର୍ଜାତୀୟ ଜିମ୍ନାଷ୍ଟ ରାକେଶ କୁମାର ପାତ୍ରଙ୍କ ସହ ସୈଫ ତାମ୍ବାଲି ଓ ପ୍ରୀତି ଝାଙ୍କର ଜିମ୍ନାଷ୍ଟିକ୍ସ କଳା କୌଶଳ ପ୍ରଦର୍ଶନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସିର ନୂତନ ଗୃହ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ଅନ୍ୟ ଅତିଥିଭାବେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିସନର ଅନୁ ଗର୍ଗ, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା, ଏଏମ୍/ଏନ୍ଏସ୍ ଇଣ୍ଡିଆ ଉପନିର୍ଦେଶକ (ମାନବ ସମ୍ବଳ ଓ ପ୍ରଶାସନ) କେଜି କୁବୋଟୋ, ଟାଟା ଷ୍ଟିଲ ଏମ୍ଡି ଓ ସିଇଓ ଟିଭି ନରେନ୍ଦ୍ରନ୍, କର୍ପୋରେଟ ସେବା ଉପସଭାପତି ଚାଣକ୍ୟ ଚୌଧୁରୀ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
‘‘କ୍ରୀଡ଼ାର ମାନ ବୃଦ୍ଧି ଲାଗି ଓଡ଼ିଶା ଭାଗୀଦାରି ପ୍ରଣାଳୀକୁ ଆପଣାଇଛି। ନୂଆ ହକି ଏଚ୍ପିସି ଓ ଜିମ୍ନାଷ୍ଟିକ୍ସ ଏଚ୍ପିସି ଉଦ୍ଘାଟିତ ହେବା ଦ୍ବାରା ଓଡ଼ିଶା କ୍ରୀଡ଼ାର ଇକୋସିଷ୍ଟମ ଆହୁରି ଦୃଢ଼ ହେବ। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ରାଜ୍ୟର ଖେଳାଳି ଆହୁରି ଆଗକୁ ବଢ଼ିପାରିବେ। ଏହି ଏଚ୍ପିସି ଆଗାମୀ ସମୟରେ ନୂତନ ପ୍ରତିଭା ଚିହ୍ନଟ କରିବା ସହ ସମ୍ଭାବ୍ୟ ପଦକ ବିଜେତା କ୍ରୀଡ଼ାବିତ୍ଙ୍କୁ ପୋଷଣ ଯୋଗାଇବାରେ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇବ। ଜିମ୍ନାଷ୍ଟିକ୍ସର ଉନ୍ନତି ପାଇଁ ଓଡ଼ିଶା କାର୍ଯ୍ୟକରିବ। ଆମ ରାଜ୍ୟ ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନଷ୍ଟିକ୍ସର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଦେଖି ବହୁତ ଖୁସି। ଏହି ସହଭାଗିତା ଦେଶରେ ଜିମ୍ନାଷ୍ଟିକ୍ସ ଇକୋସିଷ୍ଟମ ସୃଷ୍ଟି କରିବ ଏବଂ ଭବିଷ୍ୟତରେ ଅନେକ ଯୁବ ପ୍ରତିଭାଙ୍କୁ ପୋଷଣ ପ୍ରଦାନ କରିବ। ହକିର ବିକାଶ ଲାଗି ଏଚ୍ପିସି ଏବଂ ଗ୍ରାସରୁଟ କେନ୍ଦ୍ର ପାଇଁ ଟାଟା ଗ୍ରୁପ୍ ସହ ଆମର ସହଭାଗିତା ଲାଗି ବହୁତ ଖୁସି।’’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟାଟା ଗ୍ରୁପ୍ ସହଯୋଗରେ ନୂଆ ତୀରନ୍ଦାଜି ଓ ସ୍ପୋର୍ଟ୍ସ କ୍ଲାଇମ୍ବିଂ ଏଚ୍ପିସି ଖୋଲାଯିବ ବୋଲି ଘୋଷଣା କରିଥିଲେ।
ଜିମ୍ନାଷ୍ଟିକ୍ସ ପାଇଁ ଅନ୍ତର୍ଜାତୀୟ ମାନର ଉପକରଣ
ଭାରତରେ ଜିମ୍ନାଷ୍ଟିକ୍ସକୁ ଆଗକୁ ନେବା ଉଦେଶ୍ୟ ନେଇ ଓଡ଼ିଶାରେ ଖୋଲାଯାଇଛି ଏଏମ୍/ଏନଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଏଚ୍ପିସି। ଏଠାରେ ଅନ୍ତର୍ଜାତୀୟ ମାନର ଉପକରଣ ରହିଥିଲା ବେଳେ ଭଲ ପ୍ରଶିକ୍ଷକଙ୍କୁ ନିଯୁକ୍ତି କରାଯାଇଛି। ଏହି ଏଚ୍ପିସିର କ୍ଷମତା ୬୦ ଥିଲା ସଂପ୍ରତି ୩୪ ଜଣ ରହିଛନ୍ତି। ଏଥିରେ ଓଡ଼ିଶାରୁ ୨୦ ଅନ୍ୟ ଖେଳାଳି ବିଭିନ୍ନ ରାଜ୍ୟରୁ ଆସିଛନ୍ତି। ଆଗାମୀ ଦିନରେ ତୃଣମୂଳସ୍ତରରେ ଖେଳାଳି ଚୟନ କରାଯାଇ ଏଚ୍ପିସିକୁ ଅଣାଯିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି କେନ୍ଦ୍ର ମୁଖ୍ୟ ପ୍ରଶିକ୍ଷକ ଅଶୋକ କୁମାର ମିଶ୍ର। ଏହି ଏଚ୍ପିସିରୁ ଭାରତୀୟ ଏସୀୟ କ୍ରୀଡ଼ା ଦଳରେ ୨ ଜଣ ରାକେଶ କୁମାର ପାତ୍ର ଓ ତପନ ମହାନ୍ତି ସ୍ଥାନ ପାଇଥିଲା ବେଳେ ଜଣେ ରିଜର୍ଭ ଖେଳାଳି ଅଛନ୍ତି। ଚଳିତ ବର୍ଷ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ ସମୟରେ ଜିମ୍ନାଷ୍ଟିକ୍ ଏଚ୍ପିସି ସ୍ଥାପନ ପାଇଁ ଆର୍ସେଲ ମିତ୍ତଲ ଓ ନିପନ୍ ଷ୍ଟିଲ ସହ କିଓଟୋରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା।
ଗୋଟିଏ ଛାତ ତଳେ ସବୁ ସୁବିଧା
ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସିର ଅନ୍ତେବାସୀଙ୍କୁ ଏବେ ଗୋଟିଏ ଛାତ ତଳେ ସବୁ ସୁବିଧା ମିଳିବ। ନୂତନ କରି ନିର୍ମିତ ଅତ୍ୟାଧୁନିକ କେନ୍ଦ୍ର ୪ ମହଲା ବିଶିଷ୍ଟ ରହିଛି। ଏଥିରେ ଜିମ୍, ସ୍ମାର୍ଟ ଶ୍ରେଣୀ ଗୃହ, ଭୋଜାନାଳୟ, ଫିଜିଓଥେରାପି ରୁମ୍, କାର୍ଯ୍ୟାଳୟ ଏବଂ ଛାତ୍ରାବାସ ରହିଛି। ତଳ ଗ୍ରାଉଣ୍ଡରେ କର୍ମଚାରୀ ରୁମ୍ ସହ ରୋଷାଇ ସାମଗ୍ରୀ ଷ୍ଟୋର ରହିଛି। ଏହାର ଉପର ଗ୍ରାଉଣ୍ଡରେ ସ୍ମାର୍ଟ ଶ୍ରେଣୀ ଗୃହ, କାର୍ଯ୍ୟାଳୟ, ନିର୍ଦେଶକ ରୁମ୍, ଭୋଜାନାଳୟ ରହିଥିଲା ବେଳେ ପ୍ରଥମ ମହଲାରେ ଅତ୍ୟାଧୁନିକ ଜିମ୍, ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ମହଲାରେ ୨୩ଟି ଲେଖାଏଁ ରୁମ୍ ରହିଛି। ଏହି ରୁମ୍ଗୁଡ଼ିକରେ ଯଥାକ୍ରମେ ଛାତ୍ର, ଅଧିକାରୀ ଏବଂ ଛାତ୍ରୀମାନେ ରହିବେ। ୨୦୧୯ରେ ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସି ଆରମ୍ଭ ହୋଇଥିଲା। ହେଲେ ନିଜସ୍ବ କୋଠା ନଥିବାରୁ ଅନ୍ତେବାସୀ କଳିଙ୍ଗ ଷ୍ଟାଡିୟମର ବିଭିନ୍ନ ସ୍ଥାନରେ ରହୁଥିଲେ। ଏହି ନୂତନ ଗୃହ ଅନ୍ତେବାସୀଙ୍କୁ ସବୁ ସୁବିଧା ମିଳିବ। ସଂପ୍ରତି ଏହି ଏଚ୍ପିସିରେ ୯୦ (୪୫ ଲେଖାଏଁ ବାଳକ ଓ ବାଳିକା) ଅନ୍ତେବାସୀ ରହିଛନ୍ତି। ଏହି ନୂତନ ଗୃହ କଳିଙ୍ଗ ଷ୍ଟାଡିୟମସ୍ଥିତ ହକି ଅଭ୍ୟାସ ପିଚ୍ ନିକଟରେ ରହିଛି।