୮୦ ଓ ୯୦ ଦଶକରେ ଆଇପିଏଲ୍‌ ହୋଇଥିଲେ ଏମାନଙ୍କ ଚାହିଦା ଅଧିକ ରହିଥାନ୍ତା

ନୂଆଦିଲ୍ଲୀ: ଆଇପିଏଲ୍, ଏବେକାର ଖେଳାଳିଙ୍କ ଜୀବନ ଧାରଣର ମାନ ବଦଳାଇ ଦେଇଛି। କିଛି ଲକ୍ଷରୁ ଅନେକ କୋଟି ଟଙ୍କା ରୋଜଗାର କରିବାର ସୁଯୋଗ ସେମାନଙ୍କୁ ଆଇପିଏଲ୍ ପ୍ରଦାନ କରିଛି। ବିଶେଷ କରି ବଡ଼ ସଟ୍ ଖେଳିବାର ଦକ୍ଷତା ରଖୁଥିବା ଖେଳାଳିମାନେ ଏଥିରୁ ସର୍ବାଧିକ ଲାଭବାନ ହେଉଛନ୍ତି। ହେଲେ ୮୦ ଓ ୯୦ ଦଶକରେ ମଧ୍ୟ ଏମିତି ଅନେକ ଭାରତୀୟ ଖେଳାଳି ଥିଲେ, ଯେଉଁମାନେ ଆଇପିଏଲ୍ ଭଳି ଫଟାଫଟ୍ କ୍ରିକେଟ୍ ଖେଳିବାର ଦକ୍ଷତା ରଖୁଥିଲେ। କ୍ରିକେଟ୍‌ର ଏହି ରୂପରେ ସଫଳ ହେବାର ସମସ୍ତ ଗୁଣ ସେମାନଙ୍କ ପାଖରେ ଥିଲା। ଆସନ୍ତୁ ଏଭଳି ୧୦ ଜଣ ଭାରତୀୟ ଖେଳାଳିଙ୍କ ଉପରେ ନଜର ପକାଇବା।

କପିଳ‌ ଦେବ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିଶ୍ବ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର କପିଳ ଦେବଙ୍କ ଚାହିଦା ସମ୍ଭବତଃ ସେ‌ତେବେଳେ ସବୁଠାରୁ ଅଧିକ ହୋଇ ଥାଆନ୍ତା। ଶାଣିତ ବୋଲିଂ ସହ ଛକା ମାରିବାର ଦକ୍ଷତା ପାଇଁ ତାଙ୍କ ଦର କୋଟି କୋଟି ଟଙ୍କାରେ ପହଞ୍ଚି ଥାଆନ୍ତା। ହେଲେ ନିଜ ସମୟରେ ଆଇପିଏଲ୍ ଭଳି ପ୍ରତିଯୋଗିତା ନଥିବାରୁ ‘ହରିଆଣା ହରିକେନ୍’ ସମ୍ଭବତଃ ଏଭଳି ସୁଯୋଗରୁ ବଞ୍ଚିତ ହୋଇଥିଲେ।

କୃଷ୍ଣମାଚାରୀ ଶ୍ରୀକାନ୍ତ: ଶ୍ରୀକାନ୍ତ ନିଜ ସମୟଠାରୁ ବହୁ ଆଗରେ ଥିଲେ। ନିଜ ଧୂଆଁଧାର ବ୍ୟାଟିଂରେ ଦର୍ଶକଙ୍କୁ ପଡ଼ିଆକୁ ଟାଣିଆଣିବାର ଦକ୍ଷତା ତାଙ୍କ ପାଖରେ ଥିଲା। ଆଣ୍ଡି ରୋବର୍ଟସଙ୍କ ଭଳି ବୋଲରଙ୍କୁ ସେ ଛକା ମାରି ପାରୁଥିଲେ। ବିନା ହେଲମେଟରେ ପ୍ୟାଟ୍ରିକ୍ ପ୍ୟାଟରସନଙ୍କୁ ହୁକ୍ କରିବା ସହ ୮୦ ଦଶକରେ ମଧ୍ୟ ବଲ୍ ପିଛା ରନ୍ କରୁଥିଲେ। ତାଙ୍କ ଷ୍ଟ୍ରାଇକ୍ ରେଟ୍ ପାଖାପାଖି ୧୦୦ ରହୁଥିଲା। ଆଇପିଏଲରେ ସେ ନିଶ୍ଚିତ ହଟ୍ କେକ୍ ଭଳି ବିକ୍ରି ହୋଇଥାଆନ୍ତେ। ତାମିଲନାଡୁର ହୋଇଥିବାରୁ ଚେନ୍ନାଇ ସୁପରକିଙ୍ଗ୍ସର ହୁଏତ ସେ ପ୍ରଥମ ପସନ୍ଦ ହୋଇ ଥାଆନ୍ତେ।

ବିନୋଦ କାମ୍ବଲି: ବାମହାତୀ ବ୍ୟାଟର ବିନୋଦ କାମ୍ବଲିଙ୍କର ମଧ୍ୟ ଢେର ଚାହିଦା ରହିଥାଆନ୍ତା। କେବଳ ବ୍ୟାଟିଂ ଶୈଳୀ ନୁହେଁ ତାଙ୍କ ରଙ୍ଗିଲା ବ୍ୟକ୍ତିତ୍ବ ମଧ୍ୟ ଆଇପିଏଲ୍ ପାଇଁ ପୂରା ଫିଟ୍ ଥିଲା। କାନରେ ହିରା କୁଣ୍ଡଳ, ସୁନା ବ୍ରେସଲେଟ୍ ତାଙ୍କର ଟ୍ରେଡମାର୍କ ଥିଲା। ହାର୍ଦିକ ପାଣ୍ଡ୍ୟାଙ୍କଠାରୁ ୧୦ ଗୁଣ ଥିଲା ତାଙ୍କ ରଙ୍ଗିନ ମିଜାଜ। ୯୦ ଦଶକରେ ସେ ଜଣେ ପ୍ରତିଭାବାନ ଖେଳାଳି ଥିଲେ। ସ୍ପିନରଙ୍କ ନିଦ ହଜାଇ ଦେବାରେ ସେ ସିଦ୍ଧହସ୍ତ ଥିଲେ। ଏଣୁ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଭଳି ବୋଲରଙ୍କ ଚିନ୍ତା ବଢ଼ି ଯାଇଥାଆନ୍ତା। ମୁମ୍ବାଇ ଇଣ୍ଡିଆନ୍ସରେ ସଚିନ ତେନ୍ଦୁଲକର ଓ କାମ୍ବଲି ଥିଲେ, ଏହି ଦଳକୁ ହରାଇବାର ଏକ ପ୍ରକାର ଅସମ୍ଭବ ହୋଇଥାଆନ୍ତା।

ମହମ୍ମଦ ଆଝାରୁଦ୍ଦିନ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ମଧ୍ୟ ଆଇପିଏଲରେ ସଫଳ ହୋଇଥାଆନ୍ତେ। ଏହା ତାଙ୍କ ଖେଳ ଶୈଳୀ ଓ ନେତୃତ୍ବ ଦକ୍ଷତାରୁ ସ୍ପଷ୍ଟ ହୁଏ। ସେ ସମ୍ଭବତଃ କୌଣସି ଦଳର ଅଧିନାୟକ ପଦ ପାଇଥାଆନ୍ତେ। ବିଶେଷ କରି ପ୍ରଥମ ୧୦ରୁ ୨୦ ଓଭର ସେ ବୋଲରଙ୍କ ଦୁଃସ୍ବପ୍ନ ପାଲଟି ଥାଆନ୍ତେ। ଗ୍ୟାପ୍ ବାହାର କରିବାରେ ଓସ୍ତାଦ ଆଝାର ପଏଣ୍ଟ କିମ୍ବା ଏକ୍ସଟ୍ରାକଭର ଅଞ୍ଚଳରୁ ଓଭର ପିଛା ୧୫ ରନ୍ ବି ସଂଗ୍ରହ କରି ନେଇ ଥାଆନ୍ତେ। ତାଙ୍କ ଫିଟନେସ୍ ମଧ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାଆନ୍ତା।

ଅଜୟ ଜାଦେଜା: ଭାରତ ପାଇଁ ଖେଳିଥିବା ଚତୁର କ୍ରିକେଟରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଜୟ ଜାଦେଜା। ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ପାଳି ଗଢ଼ିବା ଓ ମ୍ୟାଚ୍ ଶେଷ କରିବାର ଦକ୍ଷତା ତାଙ୍କ ପାଖରେ ଭରି ରହିଥିଲା। ଆଝାରଙ୍କ ଭଳି ତାଙ୍କ କ୍ଷେତ୍ରରକ୍ଷଣ ମଧ୍ୟ ଉଚ୍ଚକୋଟୀର ଥିଲା। ଦିଲ୍ଳୀ କ୍ୟାପିଟାଲ ହୁଏତ ତାଙ୍କ ଉପରେ ବାଜି ଲଗାଇ ଥାଆନ୍ତା।

ମନୋଜ ପ୍ରଭାକର: ନୂଆ ବଲ୍‌କୁ ସୁଇଂ କରିବା ଏବଂ ଶେଷ ଓଭରଗୁଡ଼ିକରେ ଧିମା ବଲରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିବା, ଆବଶ୍ୟକ ବେଳେ ଉପଯୋଗୀ ପାଳି ଖେଳିବାର କଳା ମନୋଜ ପ୍ରଭାକରଙ୍କୁ ଭଲ ଭାବରେ ଜଣା ଥିଲା। ରାଜସ୍ଥାନ ରୟାଲ୍ସ ହୁଏତ ତାଙ୍କୁ ନେଇ ଥାଆନ୍ତା।

ରବିନ ସିଂହ: କ୍ଷେତ୍ରରକ୍ଷଣରେ ରବିନ ସିଂହ ଏବେକାର ରବୀନ୍ଦ୍ର ଜାଦେଜାଙ୍କଠାରୁ କୌଣସି ଗୁଣରେ କମ୍ ନଥିଲେ। ଜଣେ ଅଲରାଉଣ୍ଡର ହୋଇଥିବାରୁ ତାଙ୍କୁ ନେବା ଲାଗି ଆଇପିଏଲ୍ ଦଳଗୁଡ଼ିକ ମଧ୍ୟରେ ଜୋରଦାର ଲଢ଼େଇ ନିଶ୍ଚିତ ହୋଇ ଥାଆନ୍ତା। ସନରାଇଜର୍ସ ହାଇଦ୍ରାବାଦ ହୁଏତ ତାଙ୍କୁ ନିଜ ଦଳରେ ନେବାକୁ ଅଧିକ ପସନ୍ଦ କରି ଥାଆନ୍ତା।

ରବି ଶାସ୍ତ୍ରୀ: ବାମହାତୀ ସ୍ପିନ୍‌ ବୋଲିଂ ସହ ଓପନିଂଠାରୁ ଆରମ୍ଭ କରି ଯେ କୌଣସି ସ୍ଥାନରେ ବ୍ୟାଟିଂ କରିବାର ଦକ୍ଷତା ପାଇଁ ସାଂପ୍ରତିକ ଭାରତୀୟ ଦଳର ପ୍ରଶିକ୍ଷକ ତଥା ପୂର୍ବତନ ଭାରତୀୟ ଅଧିନାୟକ ରବି ଶାସ୍ତ୍ରୀ ସବୁ ଦଳ ପାଇଁ ସମ୍ପତ୍ତି ହୋଇ ଥାଆନ୍ତେ। ସ୍ପିନରଙ୍କୁ ଛକା ବର୍ଷା କରିବାରେ ସେ ପୂରା ସିଦ୍ଧହସ୍ତ ଥିଲେ। ଚେନ୍ନାଇ ସୁପରକିଙ୍ଗ୍ସ ତାଙ୍କ ଦକ୍ଷତାର ପୂର୍ଣ୍ଣ ଉପଯୋଗ କରି ଥାଆନ୍ତା।

ଜଭାଗଲ ଶ୍ରୀନାଥ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର ଜଭାଗଲ ଶ୍ରୀନାଥ ମଧ୍ୟ ଆଇପିଏଲ୍ ପାଇଁ ପୂରା ଫିଟ୍ ଥିଲେ। ଗତି, ଉଚ୍ଛାଳ ଓ ଇନସୁଇଂ ପାଇଁ ସେ ସବୁ ଅଧିନାୟକଙ୍କ ପସନ୍ଦର ବୋଲର ‌ହୋଇ ପାରିଥାଆନ୍ତେ। ସେ ଗୋଟିଏ କିମ୍ବା ଦୁଇଟି ପ୍ରାରମ୍ଭିକ ସଫଳତା ‌ଦେବାର ଦକ୍ଷତା ରଖୁଥିଲେ। ଶ୍ରୀନାଥଙ୍କ ପସନ୍ଦର ଦଳ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ହୋଇଥାଆନ୍ତା। ଏବେକାର ଅରସିବି ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କର ଭଲ ଭାବେ ପରିଚାଳନା କରି ପାରିଥାଆନ୍ତେ।

ସମ୍ବନ୍ଧିତ ଖବର