ପ୍ୟାରିସ୍: ଚଳିତ ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡ୍ସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ଶନିବାର ବୃହତ୍ ବିପର୍ଯ୍ୟୟ ଘଟିଛି। ମହିଳା ଏକକ ବର୍ଗରେ ଶୀର୍ଷ ମାନ୍ୟତା ନାଓମୀ ଓସାକା ତୃତୀୟ ରାଉଣ୍ଡ୍ ହାରି ଦୁଃଖଦ ବିଦାୟ ନେଇଛନ୍ତି। ଚେକ୍ ଗଣରାଜ୍ୟ ଲଳନା କୋଟେରିନା ସିନିଆକୋଭା ସିଧାସଳଖ ୬-୪ ଓ ୬-୨ ସେଟ୍ରେ ଓସାକାଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ତେବେ ତୃତୀୟ ମାନ୍ୟତା ସିମୋନା ହାଲେପ୍ ଏବଂ ଚତୁର୍ଦଶ ମାନ୍ୟତା ମାଡିସନ୍ କିଜ୍ ମହିଳା ଏକକ ଚତୁର୍ଥ ରାଉଣ୍ଡ୍ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଶନିବାର ତୃତୀୟ ରାଉଣ୍ଡ୍ରେ ପୂର୍ବତନ ବିଜୟିନୀ ରୋମାନିଆ ଲଳନା ୫୫ ମିନିଟ୍ ମଧ୍ୟରେ ୨୭ତମ ମାନ୍ୟତା ୟୁକ୍ରେନ୍ ବାଳିକା ଲିସିଆ ସୁରେଙ୍କୋଙ୍କୁ ସିଧାସଳଖ ୬-୨ ଓ ୬-୧ ସେଟ୍ରେ ପରାସ୍ତ କରି ଦେଇଛନ୍ତି। ଉଭୟ ସେଟ୍ରେ ମାତ୍ର ୩ ଗେମ୍ ହାରିଥିବା ହାଲେପ୍ଙ୍କର ଚଳିତ ପ୍ରତିଯୋଗିତାରେ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। ପ୍ରଥମ ସେଟ୍କୁ ୨୮ ମିନିଟ୍ରେ ଜିତି ନେଇଥିବା ହାଲେପ୍ ଦ୍ବିତୀୟ ସେଟ୍ ଜିତିବା ପାଇଁ ୨୭ ମିନିଟ୍ ନେଇଥିଲେ। ସେହିପରି କିଜ୍ ୬-୩, ୬-୭ ଓ ୬-୪ ସେଟ୍ରେ ଆନା ବ୍ଲିଙ୍କୋଭାଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡ୍ରେ ପହଞ୍ଚି ଯାଇଛନ୍ତି।
ଅନ୍ୟପକ୍ଷରେ ପୁରୁଷ ଏକକ ବର୍ଗରେ ଶୀର୍ଷ ମାନ୍ୟତା ନୋଭାକ୍ ଜୋକୋଭିକ୍, ପଞ୍ଚମ ମାନ୍ୟତା ଆଲେକ୍ଜାଣ୍ଡର ଭେରେଭ୍, ନବମ ମାନ୍ୟତା ଫାବିଓ ଫୋଗ୍ନିନି ଓ ୨୪ତମ ମାନ୍ୟତା ଷ୍ଟାନ୍ ୱାରିଙ୍କା ବିଜୟ ଧାରା ଜାରି ରଖି ପ୍ରିକ୍ବାର୍ଟର ଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ସର୍ବିଆ ତାରକା ଜୋକୋଭିକ୍ ଓ ସ୍ବିଜରଲାଣ୍ଡ୍ର ୱାରିଙ୍କା ତୃତୀୟ ରାଉଣ୍ଡ୍ ଜିତିବା ପାଇଁ ସିଧାସଳଖ ୩ ସେଟ୍ ନେଇଥିଲା ବେଳେ ଜର୍ମାନି ତାରକା ଭେରେଭ୍ ସର୍ବିଆର ଦୁସାନ୍ ଲାଜୋଭିକ୍ଙ୍କୁ ପରାସ୍ତ କରିବା ପାଇଁ ୫ ସେଟ୍ ଧରି ଝାଳନାଳ ହୋଇଯାଇଥିଲେ। ସେହିପରି ଇଟାଲି ତାରକା ଫୋଗ୍ନିନିଙ୍କୁ ଅଷ୍ଟାଦଶ ମାନ୍ୟତା ସ୍ପେନ୍ର ରବର୍ଟୋ ବତିସ୍ତା ଅଗୁଟ୍ଙ୍କୁ ପରାସ୍ତ କରିବା ପାଇଁ ୪ ସେଟ୍ ଖେଳିବାକୁ ପଡ଼ିଥିଲା। ଏହା ପୂର୍ବରୁ ଶୁକ୍ରବାର ରାତିରେ ଷଷ୍ଠ ମାନ୍ୟତା ଗ୍ରିସ୍ ତାରକା ଷ୍ଟିଫାନୋସ୍ ସିସିପାସ୍ ମଧ୍ୟ ଚତୁର୍ଥ ରାଉଣ୍ଡ୍ ସ୍ଥାନ ପକ୍କା କରିଛନ୍ତି।
ପୁରୁଷ ଯୁଗଳରୁ ପେସ୍ ବିଦା
ପ୍ୟାରିସ୍: ଚଳିତ ଫ୍ରେଞ୍ଚ୍ ଓପନ୍ ପୁରୁଷ ଯୁଗଳରୁ ଭାରତୀୟ ତାରକା ଲିଆଣ୍ଡର ପେସ୍ଙ୍କ ଅଭିଯାନ ଶେଷ ହୋଇଯାଇଛି। ବେନୋଟ୍ ପାଇରେଙ୍କୁ ସାଥୀ କରି ଖେଳିଥିବା ପେସ୍ ପ୍ରଥମ ରାଉଣ୍ଡ୍ରେ ମାର୍ଟିନ୍ କ୍ଲିଜାନ୍ ଓ ଡୋମିନିକ୍ ଇଙ୍ଗ୍ଲେଟ୍ଙ୍କୁ ସିଧାସଳଖ ୬-୪ ଓ ୬-୪ ସେଟ୍ରେ ପରାସ୍ତ କରିଥିଲେ। ହେଲେ ଶନିବାର ଦ୍ବିତୀୟ ରାଉଣ୍ଡ୍ରେ ପେସ୍-ପାଇରେ ସଂଘର୍ଷ କରିବା ସତ୍ତ୍ବେ ୦-୬, ୬-୪ ଓ ୩-୬ ସେଟ୍ରେ ତୃତୀୟ ମାନ୍ୟତା ଯୋଡ଼ି ଜୁଆନ୍ ସେବାସ୍ତିଆନ୍ କାବେଲ୍ ଓ ରବର୍ଟ ଫାରାଙ୍କ ନିକଟରୁ ହାରି ବିଦାୟ ନେଇଛନ୍ତି।