ପ୍ୟାରିସ୍: ଚଳିତ ବର୍ଷ ଫ୍ରେଞ୍ଚ୍ ଓପନ୍ ଦେଖିଲା ନୂଆ ବିଜୟିନୀଙ୍କୁ। ଆଉ ଏହି ବିଜୟିନୀ ହେଲେ ରୋମାନିଆ ସୁନ୍ଦରୀ ସିମୋନା ହାଲେପ୍। ପୂର୍ବରୁ ତିନି ଥର ଗ୍ରାଣ୍ଡ୍ ସ୍ଲାମ୍ ଫାଇନାଲ୍ ପ୍ରବେଶ କରିଥିଲେ ମଧ୍ୟ ସବୁଥର ହାଲେପ୍ ଝୁଣ୍ଟିଥିଲେ। ବିଶେଷକରି ରୋଲାଁ ଗ୍ୟାରସ୍ରେ ଏଥରକୁ ମିଶାଇ ତିନି ଥର ଫାଇନାଲ୍ ପହଞ୍ଚିଥିଲେ ହାଲେପ୍। ପ୍ରଥମ ଥର ପାଇଁ ୨୦୧୪ରେ ଗ୍ରାଣ୍ଡ୍ ସ୍ଲାମ୍ ଫାଇନାଲ୍ ପହଞ୍ଚିଥିବା ହାଲେପ୍ ରୁଷୀୟ ସୁନ୍ଦରୀ ମାରିଆ ସାରାପୋଭାଙ୍କଠୁ ହାରି ଫ୍ରେଞ୍ଚ୍ ଓପନ୍ ଟ୍ରଫିରୁ ବଞ୍ଚିତ ହୋଇଥିଲେ। ପୁଣି ରୋଲାଁ ଗ୍ୟାରସ୍ରେ ୨୦୧୭ରେ ଫାଇନାଲ୍ ଖେଳିଥିଲେ ମଧ୍ୟ ଲାଟିଭିଆ ଲଳନା ଜେଲିନା ଓସ୍ତାପେଙ୍କୋଙ୍କଠୁ ହାର୍ ମାନିଥିଲେ। ପୁଣି ଚଳିତ ବର୍ଷ ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ୍ରେ ମଧ୍ୟ ଡେନ୍ମାର୍କର କାରୋଲିନେ ଓ୍ଵଜ୍ନିଆକିଙ୍କ ନିକଟରୁ ହାରି ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ସ୍ୱପ୍ନ ସାକାର କରିପାରିଥିଲେ। ହେଲେ ରୋଲାଁ ଗ୍ୟାରସ୍ରେ ତୃତୀୟ ପ୍ରୟାସରେ ଏଥର ସେହି ଧାରା ଭାଙ୍ଗିବାରେ ସମର୍ଥ ହୋଇଛନ୍ତି। ଏଥର ସେ ଆମେରିକାର ସ୍ଲୋଆନେ ଷ୍ଟିଫେନ୍ସଙ୍କୁ ପରାସ୍ତ କରି ଜୀବନର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି କରାୟତ କଲେ। ଏହା ସାଙ୍ଗକୁ ନିଜ ବିଶ୍ୱ ମାନ୍ୟତାର ମଧ୍ୟ ମୂଲ୍ୟ ରଖିଲେ। ଅବଶ୍ୟ ୪ ଥର ଯାକ ଫାଇନାଲ୍ ତୃତୀୟ ତଥା ନିର୍ଣ୍ଣାୟକ ସେଟ୍ରେ ହିଁ ଫଇସଲା ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରି-କ୍ୱାର୍ଟର ଫାଇନାଲ୍ରୁ ଆମେରିକାର ଶକ୍ତିଶାଳୀ ସେରେନା ଓ୍ଵିଲିୟମ୍ସ ଏବଂ କ୍ୱାର୍ଟର ଫାଇନାଲ୍ରୁ ରୁଷୀୟ ସୁନ୍ଦରୀ ମାରିଆ ସାରାପୋଭାଙ୍କ ବିଦାୟ ପରେ ଚଳିତ ଫ୍ରେଞ୍ଚ୍ ଓପନ୍ ମହିଳା ଏକକ ଟ୍ରଫି ହାସଲ ଶୀର୍ଷ ମାନ୍ୟତା ସିମୋନା ହାଲେପ୍ଙ୍କ ପାଇଁ ଏକପ୍ରକାର ସହଜ ମନେ ହେଉଥିଲା। ଏହି ରୋମାନିଆ ସୁନ୍ଦରୀ ମଧ୍ୟ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଫାଇନାଲ୍ ପ୍ରବେଶ କରିବା ସାଙ୍ଗକୁ ଏହି ସମ୍ଭାବନାକୁ ଦୃଢ଼ କରିଥିଲେ। ସେମିଫାଇନାଲ୍ରେ ହାଲେପ୍ ତୃତୀୟ ମାନ୍ୟତା ସ୍ପେନ୍ର ଗାର୍ବିନେ ମୁଗୁରୁଜାଙ୍କୁ ଏବଂ ଷ୍ଟିଫେନ୍ସ ନିଜ ଦେଶର ତଥା ତ୍ରୟୋଦଶ ମାନ୍ୟତା ମାଡିସନ୍ କିସ୍ଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରିଦେଇଥିଲେ। ହେଲେ ଫାଇନାଲ୍ରେ ହାପେଲ୍ଙ୍କୁ ଦଶମ ମାନ୍ୟତା ଷ୍ଟିଫେନ୍ସ ସହଜରେ ବାଟ ଛାଡ଼ିନଥିଲେ। ଏପରିକି ପ୍ରଥମ ସେଟ୍କୁ ୬-୩ରେ ଜିତି ହାଲେପ୍ଙ୍କ ଉପରେ ଷ୍ଟିଫେନ୍ସ ଚାପ ପ୍ରୟୋଗ କରିଥିଲେ। ଏହାପରେ ଦ୍ୱିତୀୟ ସେଟ୍ରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ହେଲେ ବିଶ୍ୱ ମାନ୍ୟତା ଏବଂ ଅଭିଜ୍ଞତାର ଭରପୁର ଫାଇଦା ଉଠାଇ ହାଲେପ୍ ଦ୍ୱିତୀୟ ସେଟ୍କୁ ୬-୪ରେ ଜିତି ସ୍ଥିତି ବରାବର କରିଥିଲେ। ଫଳରେ ମ୍ୟାଚ୍ ତୃତୀୟ ତଥା ନିର୍ଣ୍ଣାୟକ ସେଟ୍କୁ ଟାଣି ହୋଇଯାଇଥିଲା। ଆଉ ଏହି ସେଟ୍ରେ ହାଲେପ୍ ଆରମ୍ଭରୁ ଆଧିପତ୍ୟ ଜମାଇ ଷ୍ଟିଫେନ୍ସଙ୍କୁ ବିଶେଷ ସୁଯୋଗ ଦେଇନଥିଲେ। ଏପରିକି ତୃତୀୟ ତଥା ନିର୍ଣ୍ଣାୟକ ସେଟ୍କୁ ୬-୧ରେ ଜିତିନେଇ ୨୬ ବର୍ଷ ବୟସ୍କା ହାଲେପ୍ ଫ୍ରେଞ୍ଚ୍ ଓପନ୍ ମହିଳା ଏକକ ମୁକୁଟ ପିନ୍ଧିଥିଲେ।
ଆଜି ନାଦାଲ-ଥିମ୍ ଲଢ଼ିବେ
ଆସନ୍ତାକାଲି ପୁରୁଷ ଏକକ ଟ୍ରଫି ପାଇଁ ମୁକାବିଲା ହେବ। ଏଥିରେ ଶୀର୍ଷ ମାନ୍ୟତା ସ୍ପେନ୍ ତାରକା ରାଫେଲ ନାଦାଲ ଏବଂ ସପ୍ତମ ମାନ୍ୟତା ଅଷ୍ଟ୍ରିଆ ତାରକା ଡୋମିନିକ୍ ଥିମ୍ ମୁହାଁମୁହିଁ ହେବେ। ନାଦାଲ ଏହି ମୁକାବିଲା ଜିତିଲେ ୧୧ ଥର ପାଇଁ ଫ୍ରେଞ୍ଚ୍ ଓପନ୍ ବିଜେତା ହେବାର ଗୌରବ ଅର୍ଜନ କରିବେ।
ମିଶ୍ରିତ ଯୁଗଳ ଟ୍ରଫି ଜିତିଲେ ଚାନ୍-ଇଭାନ୍
ତାଇଓ୍ଵାନ୍-କ୍ରୋଏସିଆ ଯୋଡ଼ି ଚାନ୍ ୟଙ୍ଗ୍ ଜାନ୍ ଓ ଇଭାନ୍ ଦୋଦିଗ୍ ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡ୍ ସ୍ଲାମ୍ ଫ୍ରେଞ୍ଚ୍ ଓପନ୍ ମିଶ୍ରିତ ଯୁଗଳ ଟ୍ରଫି କରାୟତ କରିନେଇଛନ୍ତିି। ଶନିବାର ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ ଏହି ଦ୍ୱିତୀୟ ମାନ୍ୟତା ଯୋଡ଼ି ୬-୧, ୬-୭ ଓ ୧୦-୮ ସେଟ୍ରେ ଶୀର୍ଷ ମାନ୍ୟତା କ୍ରୋଏସିଆ-କାନାଡା ଯୋଡ଼ି ମ୍ୟାଟ୍ ପାଭିକ୍ ଓ ଗାବ୍ରିଏଲା ଡାବ୍ରୋଓ୍ଵିସ୍କିଙ୍କୁ ପରାସ୍ତ କରି ଟ୍ରଫି କବ୍ଜା କରିନେଇଛନ୍ତି।