ଲଣ୍ଡନ୍: ଆମେରିକୀୟ ଲଳନା ସେରେନା ୱିଲିୟମ୍ସଙ୍କ କୀର୍ତ୍ତିମାନ ସମକକ୍ଷ ୨୪ ଗ୍ରାଣ୍ଡ୍ସ୍ଲାମ୍ ଟ୍ରଫି ବିଜୟ ଆଶା ଅଧୁରା ରହିଗଲା। ଏହା ପୂର୍ବରୁ ମାର୍ଗାରେଟ୍ କୋର୍ଟଙ୍କ ସର୍ବକାଳୀନ ସର୍ବାଧିକ ୨୪ ଗ୍ରାଣ୍ଡ୍ସ୍ଲାମ୍ ଟ୍ରଫିର ସମକକ୍ଷ ହେବାଠୁ ମାତ୍ର ଗୋଟିଏ ଦୂରରେ ରହିଥିଲେ ୩୭ ବର୍ଷ ବୟସ୍କା ସେରେନା। ଚଳିତ ୱିମ୍ବଲଡନ୍ରେ ଏହି କୀର୍ତ୍ତିମାନ ଲକ୍ଷ୍ୟରେ ଥିଲେ ସେରେନା। ଆରମ୍ଭରୁ ଭଲ ପ୍ରଦର୍ଶନ ଜରିଆରେ ସେ ମଧ୍ୟ ମହିଳା ଏକକ ବର୍ଗ ଫାଇନାଲ୍ ପ୍ରବେଶ କରିଥିଲେ। ହେଲେ ତାଙ୍କ ଆଶାକୁ ଧୂଳିସାତ୍ କରିଦେଲେ ରୋମାନିଆର ସିମୋନା ହାଲେପ୍। ସପ୍ତମ ମାନ୍ୟତାପ୍ରାପ୍ତ ହାଲେପ୍ଙ୍କ ସହ ଫାଇନାଲ୍ ମୁକାବିଲା ହୋଇଥିବା ଏକାଦଶ ମାନ୍ୟତାପ୍ରାପ୍ତ ସେରେନାଙ୍କ ସହ। ଶନିବାର ଏହି ମୁକାବିଲାରେ କିନ୍ତୁ ହାଲେପ୍ ବାଜି ମାରିନେଲେ। କୌଣସି ମାନ୍ୟତାପ୍ରାପ୍ତ ଖେଳାଳିଙ୍କୁ ନଭେଟି ସେମିଫାଇନାଲ୍ ପହଞ୍ଚିବା ଏବଂ ସେମିରେ ଅଷ୍ଟମ ମାନ୍ୟତାପ୍ରାପ୍ତ ୟୁକ୍ରେନ୍ର ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ କରିବା ପରେ ଫାଇନାଲ୍ରେ ହାଲେପ୍ଙ୍କ ପ୍ରତିଦ୍ବନ୍ଦ୍ବୀ ଥିଲେ ଶକ୍ତିଶାଳୀ ସେରେନା। ହାଲେପ୍ ମଧ୍ୟ ପ୍ରଥମ ରୋମାନୀୟ ମହିଳା ଭାବେ ଫାଇନାଲ୍ ପ୍ରବେଶ କରିଥିଲେ। ହେଲେ ସେରେନା ୱିମ୍ବଲଡନ୍ରେ ୭ ଥର ବିଜୟିନୀ ହୋଇଥିବାରୁ ତାଙ୍କ ଅଭିଜ୍ଞତା ଆଗରେ ହାଲେପ୍ ଫିକା ପଡ଼ିଯିବା ନେଇ ଆଶଙ୍କା ରହିଥିଲା। ହେଲେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ହାଲେପ୍ ଫାଇନାଲ୍କୁ ଏକପାଖିଆ ଭାବେ ଜିତି ନେଲେ। ସେ ସେରେନାଙ୍କୁ କୌଣସି ଗୋଟିଏ ବି ସେଟ୍ ଜିତିବାର ସୁଯୋଗ ନଦେଇ ବିଜେତା ମୁକୁଟ ପିନ୍ଧିଲେ। ମାତ୍ର ୫୬ ମିନିଟ୍ର ଫାଇନାଲ୍ ମୁକାବିଲାରେ ହାଲେପ୍ ସିଧାସଳଖ ୬-୨ ଓ ୬-୨ ସେଟ୍ରେ ସେରେନାଙ୍କୁ ମାତ୍ ଦେଇ ପ୍ରଥମ ଥର ଲାଗି ୱିମ୍ବଲଡନ୍ ବିଜୟିନୀ ହେଲେ। ୧୯୭୮ ପରେ ପ୍ରଥମ ରୋମାନିଆ ଖେଳାଳି (ପୁରୁଷ ଅବା ମହିଳା) ଭାବେ ହାଲେପ୍ ୱିମ୍ବଲଡନ୍ ଏକକ ଟ୍ରଫି ଜିତିବାର ଗୌରବ ବହନ କରିଥିଲା ବେଳେ ଏହା ତାଙ୍କ ଜୀବନର ଦ୍ବିତୀୟ ଗ୍ରାଣ୍ଡ୍ ସ୍ଲାମ୍ ବିଜୟ ଥିଲା। ଏହା ପୂର୍ବରୁ ୨୦୧୮ରେ ରୋଲାଁ ଗ୍ୟାରସ୍ରେ ହାଲେପ୍ ବିଜୟ ବାନ ଉଡ଼ାଇଥିଲେ। ଫାଇନାଲ୍ରେ ହାଲେପ୍ ମାତ୍ର ୨ ଅନିଛାକୃତ ତ୍ରୁଟି କରିଥିଲା ବେଳେ ସେରେନାଙ୍କ ଏଭଳି ତ୍ରୁଟି ୨୬ ଥିଲା। ଯାହାକି ସେରେନାଙ୍କ ପରାଜୟ ପାଇଁ ଯଥେଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ୨୦୧୭ ଅଷ୍ଟ୍ରେଲିଆନ୍ ଓପନ୍ ଜିତିବା ପରଠୁ ଆଉ କୌଣସି ଗ୍ରାଣ୍ଡ୍ ସ୍ଲାମ୍ ବିଜୟ ପାଇନଥିବା ସେରେନାଙ୍କୁ ମାର୍ଗାରେଟ୍ କୋର୍ଟଙ୍କ ସମକକ୍ଷ ହେବାପାଇଁ ଚଳିତ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡ୍ସ୍ଲାମ୍ ୟୁଏସ୍ ଓପନ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଛି। ପରାଜୟ ପରେ ସେରେନା ମଧ୍ୟ ହାଲେପ୍ଙ୍କୁ ଅଭିନନ୍ଦନ ଜଣାଇଥିଲେ।
ହାଲେପ୍ଙ୍କୁ ୱିମ୍ବଲଡନ୍ ମୁକୁଟ
ସେରେନାଙ୍କ କୀର୍ତ୍ତିମାନ ସମକକ୍ଷ ଗ୍ରାଣ୍ଡ୍ସ୍ଲାମ୍ ବିଜୟ ଅଧୁରା
/sambad/media/post_attachments/wp-content/uploads/2019/07/190713104636-halep-trophy2-exlarge-169.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)