ପ୍ୟାରିସ୍‌ : ପୂର୍ବତନ ବିଜୟିନୀ ସିମୋନା ହାଲେପ୍‌ ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡ୍‌ ସ୍ଲାମ୍‌ରୁ ଓହରି ଯାଇଛନ୍ତି। ଆହତରୁ ସଂପୂର୍ଣ୍ଣ ମୁକୁଳିନଥିବାରୁ ସେ ଚଳିତ ବର୍ଷ ରୋଲାଁ ଗ୍ୟାରସ୍‌ରେ ଖେଳିବେ ନାହିଁ ବୋଲି ଶୁକ୍ରବାର କହିଛନ୍ତି। ଗତ ସପ୍ତାହରେ ଇଟାଲିଆନ୍‌ ଓପନ୍‌ ବେଳେ ସେ ଆହତ ହୋଇଥିଲେ। ଆଞ୍ଜେଲିକ୍‌ କର୍ବରଙ୍କ ବିପକ୍ଷ ଦ୍ବିତୀୟ ରାଉଣ୍ଡ ମ୍ୟାଚ୍‌ରୁ ଓହରି ଯାଇଥିଲେ। ତାଙ୍କ ବାମ ଜଂଘରେ ଆଘାତ ଲାଗିଥିଲା। ଏବେ ସୁସ୍ଥ ହେବାକୁ ତାଙ୍କୁ ଆଉ କିଛି ଦିନ ଲାଗିଯିବ ବୋଲି କହିଛନ୍ତି ହାଲେପ। କୌଣସି ଗ୍ରାଣ୍ଡ୍‌ ସ୍ଲାମ୍‌ରୁ ଓହରିଯିବା ମୋ ପାଇଁ କଷ୍ଟକର ନିଷ୍ପତ୍ତି। ହେଲେ ବାଧ୍ୟ ହେଉଛି ବୋଲି କହିଛନ୍ତି। ହାଲେପ ତାଙ୍କ ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ୨୦୧୮ରେ ଫ୍ରେଞ୍ଚ୍‌ ଓପନ୍‌ରେ ହିଁ ଜିତିଥିଲେ। ସେତେବେଳେ ସେ ଆମେରିକାର ସ୍ଲୋଆନେ ଷ୍ଟିଫେନ୍‌ସ ପରାସ୍ତ କରି ଟ୍ରଫି କରାୟତ କରିଥିଲେ।

Advertisment

ଆର୍ଚରଙ୍କ କହୁଣୀ ଅସ୍ତ୍ରୋପଚାର, ଭାରତ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରୁ ବାଦ୍‌ ପଡ଼ିପାରନ୍ତି
ଲଣ୍ଡନ : ଗତ ଜାନୁଆରିରେ ଡାହାଣ ହାତରେ ଆଘାତ ଲାଗିବାରୁ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଏହାର ଅସ୍ତ୍ରୋପଚାର ମାର୍ଚରେ କରାଇଥିଲେ। ସୁସ୍ଥ ହୋଇ ଫେରିବା ପରେ ସେ କାଉଣ୍ଟି ମ୍ୟାଚ୍‌ ଖେଳିଥିଲେ। ହେଲେ ଅସ୍ତ୍ରୋପଚାର ହୋଇଥିବା କହୁଣୀ ସ୍ଥାନରେ ପୁଣି ଯନ୍ତ୍ରଣା ଅନୁଭବ କରିବାରୁ ସେ ଅଧାରୁ ଆଉ ଖେଳିନଥିଲେ। ଶୁକ୍ରବାର ତାଙ୍କର ଏହି କହୁଣୀର ପୁନର୍ବାର ଅସ୍ତ୍ରୋପଚାର କରାଯାଇଛି ବୋଲି ଇସିବି ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ‌ସେ ଆଗାମୀ ଭାରତ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରୁ ବାଦ୍‌ ପଡ଼ିବାର ସମ୍ଭାବନା ଦେଖାଯାଇଛି। ୨୬ ବର୍ଷୀୟ ଆର୍ଚର ମଧ୍ୟ ଆସନ୍ତା ମାସରେ ହେବାକୁଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାରୁ ବାଦ୍‌ ପଡ଼ିଥିଲେ।