ଗାଭାସ୍କରଙ୍କୁ ଅର୍ଦ୍ଧଶତାବ୍ଦୀ ସମ୍ବର୍ଦ୍ଧନା, ସର୍ବଦା ଗାଭାସ୍କରଙ୍କ ଭଳି ହେବାକୁ‌ ଚେଷ୍ଟା କରିଥିଲି: ସଚିନ

ଅହମଦାବାଦ: ପୂର୍ବତନ ଭାରତୀୟ ଅଧିନାୟକ ତଥା ବ୍ୟାଟିଂ କିଂବଦନ୍ତି ସୁନିଲ ମନୋହର ଗାଭାସ୍କର ଶନିବାର ତାଙ୍କ ଟେଷ୍ଟ୍‌ ପଦାର୍ପଣକୁ ୫୦ତମ ବାର୍ଷିକୀ ପାଳନ କରିଥିବା ବେଳେ ବିସିସିଆଇ ଏହି ମହାନ ବ୍ୟାଟ୍ସମ୍ୟାନଙ୍କୁ ସମ୍ବର୍ଦ୍ଧିତ କରିଛି। ୧୯୭୧ ମସିହା ମାର୍ଚ୍ଚ ୬ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରି ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିବା ୭୧ ବ‌ର୍ଷୀୟ ଗାଭାସ୍କର ଅର୍ଦ୍ଧଶତାବ୍ଦୀ ଧରି ନିରଂତର ଭାବେ ଭାରତୀୟ କ୍ରିକେଟ୍ ସହ ଜଡ଼ିତ ଅଛନ୍ତି। ଶନିବାର ଭାରତ-ଇଂଲଣ୍ଡ ଟେଷ୍ଟ୍‌ର ତୃତୀୟ ଦିନ ମଧ୍ୟାହ୍‌ଣ ଭୋଜନ ବେଳେ ବିସିସିଆଇ ସମ୍ପାଦକ ଜୟ ଶାହ ଏକ ସ୍ମାରକୀ ଟେଷ୍ଟ୍ କ୍ୟାପ୍‌ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

‘ଗୌରବର ୫୦ ବର୍ଷ’ ବୋଲି ମଧ୍ୟ ବିସିସିଆଇ ଟ୍ବିଟ୍‌ କରିଥିଲା। ବିଶ୍ବର ବୃହତ୍ କ୍ରିକେଟ୍ ଷ୍ଟାଡିୟମ୍‌ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଏହି ମହାନ ବ୍ୟାଟ୍ସମ୍ୟାନଙ୍କୁ ସମ୍ବର୍ଦ୍ଧିତ କରିବା ସବୁ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ମଧ୍ୟ ଶାହ ପ୍ରକାଶ କରିଛନ୍ତି। ଭାରତ ପାଇଁ ୧୨୫ ଟେଷ୍ଟ୍‌ ଓ ୧୦୮ ଦିନିକିଆ ଖେଳି ଯଥାକ୍ରମେ ୧୦,୧୨୨ ଓ ୩,୦୯୨ ରନ୍‌ ସଂଗ୍ରହ କରିଥ‌ିଲେ। ଦୀର୍ଘ ୧୭ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଛାଇ ରହିଥିବା ଗାଭାସ୍କର ମଧ୍ୟ ୧୯୮୩ ମସିହାର ବିଶ୍ବକପ୍ ବିଜୟୀ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ। ଟେଷ୍ଟ୍ କ୍ରିକେଟ୍‌ରେ ପ୍ରଥମେ ୧୦,୦୦୦ ରନ୍‌ ଓ ୩୦ ଶତକ କୃତିତ୍ବ ମଧ୍ୟ ତାଙ୍କ ନାମରେ ରହିଛି।

ମୁମ୍ବାଇ: ପ୍ରତି ବ୍ୟକ୍ତି କାହାକୁ ନା କାହାକୁ ଆଦର୍ଶ କରିବାକୁ ଚାହାନ୍ତି। ଯୁବ ସଚିନ ତେନ୍ଦୁଲକର ବି ଏହାର ବ୍ୟତିକ୍ରମ ନଥିଲେ। ସେ ଆଉ କାହାକୁ ନୁହେଁ ଲିଟିଲ ମାଷ୍ଟର୍‌ ସୁନିଲ ଗାଭାସ୍କରଙ୍କ ଭଳି ହେବାକୁ ଚେଷ୍ଟା କରିଥିଲେ। ଶନିବାର ସୁନିଲ ଗାଭାସ୍କରଙ୍କ ଟେଷ୍ଟ୍ ପଦାର୍ପଣର ୫୦ତମ ବାର୍ଷିକୀ ଉପଲକ୍ଷେ ଶୁଭକାମନା ଜଣାଇଥିଲେ ସଚିନ। ‘୫୦ ବର୍ଷ ତଳେ ଆଜିର ଦିନରେ ସେ ଝଡ଼ ଭଳି କ୍ରିକେଟ୍ ଦୁନିଆକୁ ଆସିଥିଲେ। ପଦାର୍ପଣ ଶୃଙ୍ଖଳାରେ ୭୭୪ ରନ୍‌ କରିଥିଲେ ଏବଂ ଆମେ ସଭିଏଁ ଏହି ନାୟକଙ୍କୁ ଆଦର୍ଶ କରି ବଢ଼ିଥିଲୁ’ ବୋଲି ସଚିନ୍‌ ଟ୍ବିଟ୍‌ କରିଛନ୍ତି। ୧୯୭୧ ମସିହାର ସେହି ଶୃଙ୍ଖଳାରେ ଅଜିତ ୱାଦେକରଙ୍କ ନେତୃତ୍ବାଧିନ ଦଳ ପ୍ରଥମ ଥର ୱେଷ୍ଟଇଣ୍ଡିଜ୍‌ରେ ୧-୦ରେ ବିଜୟୀ ହୋଇଥିଲା। ଏହାର କିଛି ମାସ ମଧ୍ୟରେ ଇଂଲଣ୍ଡରେ ବି ଟେଷ୍ଟ୍ ଶୃଙ୍ଖଳା ଜିତିଥିଲା। ୧୯୭୧ ମସିହାର ଦଳ ଆମ ପାଇଁ ଆଲୋକ ବର୍ତ୍ତିକା ଥିଲା। ଗାଭାସ୍କରଙ୍କ ଭଳି ହେବାକୁ ମୁଁ ସର୍ବଦା ଚେଷ୍ଟା କରିଥିଲି, ଏହା କେବେ ବି ବଦଳିନଥିଲା ବୋଲି ସଚିନ ପ୍ରକାଶ କରିଥିଲେ। ହରଭଜନ ସିଂହ ମଧ୍ୟ ଟ୍ବିଟର୍ ପୃଷ୍ଠାରେ ଲେଖିଥିଲେ ‘ଅଭିନନ୍ଦନ ସନ୍ନି ସାର୍‌’।

ସମ୍ବନ୍ଧିତ ଖବର