୧୬ ବଲ୍‌ରେ ଅର୍ଦ୍ଧଶତକ: ପୋଲାର୍ଡଙ୍କ କୀର୍ତ୍ତିମାନ ଭାଙ୍ଗିଲେ ଈଶାନ

ମୁଁ ବିଶ୍ବକପ୍‌ରେ ପାଳି ଆରମ୍ଭ କରିବି: ଈଶାନ

ଆବୁଧାବି: ମୁମ୍ବାଇ ଇଣ୍ଡିଆନ୍‌ସ ଓପ୍‌ନର ଈଶାନ କିଷନ ଶୁକ୍ରବାର ଚଳିତ ଆଇପିଏଲ୍‌ରେ ଲିଗ୍‌ ପର୍ଯ୍ୟାୟର ଅନ୍ତିମ ଦିବସରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏହି ମ୍ୟାଚ୍‌ରେ ମୁମ୍ବାଇ ୨୩୫ ରନ୍‌ କରିଥିଲା ବେଳେ ୨୩ ବର୍ଷ ବୟସ୍କ ଈଶାନ ବ୍ୟକ୍ତିଗତ ଭାବେ ୩୨ ବଲ୍‌ରୁ ୮୪ ରନ୍‌ କରିଥିଲେ। ତାଙ୍କର ଏହି ମାରାଥନ୍‌ ପାଳି ଅବସରରେ ସେ ୧୬ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିବା ପ‌ରେ ପରବର୍ତୀ ୧୬ ବଲ୍‌ରୁ ୩୪ ରନ୍ ଆଦାୟ କରିଥିଲେ। ଏହି ପାଳି ଅବସରରେ ଈଶାନ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍‌ସ ପାଇଁ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ମାତ୍ର ୧୬ ବଲ୍‌ରେ ୫୦ ରନ୍‌ ସଂଗ୍ରହ କରିବାରେ ସେ ମୁମ୍ବାଇ ଇଣ୍ଡିଆନ୍‌ସର ଦ୍ରୁତତମ ବ୍ୟାଟ୍‌ସମ୍ୟାନ୍‌ ଭାବେ ପରିଗଣିତ ହୋଇଥିଲେ। ଏଥି ସହିତ ସେ ନିଜ ଦଳର ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର କିରଣ ପୋଲାର୍ଡଙ୍କ କୀର୍ତ୍ତିମାନକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଇଶାନ ଏହା ପୂର୍ବ ରାଜସ୍ଥାନ ରୟାଲ୍‌ସ ବିପକ୍ଷ ମ୍ୟାଚ୍‌ରେ ୨୫ ବଲ୍‌ରୁ ୫୦ ରନ୍‌ ସଂଗ୍ରହ କରିଥିଲେ। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍‌ସ ପକ୍ଷରୁ ଦ୍ରୁତତମ ଅର୍ଦ୍ଧଶତକ ଜମାଇବାର କୀର୍ତ୍ତିମାନ ପୋଲାର୍ଡଙ୍କ ନାମରେ ରହିଥିଲା। ପୋଲାର୍ଡ ୧୭ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଯାହାକୁ କି ସେ ୨୦୧୬ ସଂସ୍କରଣରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ହାସଲ କରିଥିଲେ।

ଦୁବାଇ: ଅଧିନାୟକ ବିରାଟ କୋହଲି କହିଛନ୍ତି ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମୁଁ ଭାରତୀୟ ଦଳ ପାଇଁ ପାଳି ଆରମ୍ଭ କରିବି। ଏଭଳି ବକ୍ତବ୍ୟ ଦେଇଛନ୍ତି ଯୁବ ୱିକେଟରକ୍ଷକ ବ୍ୟାଟର୍‌ ଈଶାନ କିଶାନ। ମୁମ୍ବାଇ ଇଣ୍ଡିଆନ୍ସର ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ରେ ଲଗାତାର ଅର୍ଦ୍ଧଶତକ ହାସଲ କରିଥିବା ଈଶାନ ଫର୍ମକୁ‌ ଫେରିବା ପରେ କୋହଲିଙ୍କଠାରୁ ଏଭଳି ପ୍ରତିଶ୍ରୁତି ପାଇଥିବା ବିଶ୍ବାସ କରାଯାଉଛି। ୨୩ ବ‌ର୍ଷୀୟ ଈଶାନ ଶୁକ୍ରବାର ରାତିରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୩୨ ବଲରୁ ୮୪ ରନ୍‌ କରିଥିଲେ। ଏହା ପୂର୍ବ ମ୍ୟାଚ୍‌ରେ ସେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୨୫ ବଲ୍‌ରୁ ୫୦* ରନ୍‌ କରିଥିଲେ। ନେଟ୍‌ ରନ୍ ରେଟ୍ (ଏନ୍‌ଆର୍‌ଆର୍‌)ରେ କୋଲ୍‌କତା ନାଇଟ୍ ରାଇଡର୍ସ ନିକଟରୁ ପଛରେ ପଡ଼ି ମୁମ୍ବାଇ ପ୍ଲେ ଅଫ୍‌ରୁ ବଞ୍ଚିତ‌ ହୋଇଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ ଫର୍ମକୁ‌ ଫେରିଥିବାରୁ ଏହା ଭାରତୀୟ ଦଳ ପାଇଁ ଭଲ ବୋଲି ଇଶାନ କହିଛନ୍ତି। ‘‘ବିରାଟ ଭାଇଙ୍କ କହିବା ମୁତାବକ ମୁଁ ଓପନ୍‌ କରିବାକୁ ଭଲ ପାଏ। କିନ୍ତୁ ବଡ଼ ସ୍ତରରେ ଖେଳିବାକୁ ପ୍ରତି ପରିସ୍ଥିତି ଲାଗି ପ୍ରସ୍ତୁତି କରିଥିବା ଆବଶ୍ୟକ। ବିଶ୍ବକପ୍‌ ପୂର୍ବରୁ ଟଚ୍‌କୁ ଆସିବା ଦଳ ପାଇଁ ଭଲ କଥା’ ବୋଲି ଈଶାନ କହିଥିଲେ। ଭଲ ମାନସିକତାରେ ରହିବା ଗୁରୁତ୍ବପୂର୍ଣ୍ଣ, ମୁମ୍ବାଇର ଶେଷ ଲିଗ୍‌ ବେଳକୁ ଆମେ କର ବା ମର ସ୍ଥିତିରେ ଥିଲୁ। କିନ୍ତୁ ସକାରାତ୍ମକ ମାନସିକତାରେ ଖେଳିବା ଏକମାତ୍ର ଆଭିମୁଖ୍ୟ ଥିଲା। ପ୍ରତିଟି ପରିସ୍ଥିତି ପାଇଁ ଜଣେ ପ୍ରସ୍ତୁତ ଥିବା ଆବଶ୍ୟକ। ବିରାଟ ଭାଇ, ଏଚ୍‌ପି (ହାର୍ଦିକ ପାଣ୍ଡ୍ୟା), କେପି (କିରଣ ପୋଲାର୍ଡ)ଙ୍କ ସହ ମୁଁ ଆଲୋଚନା କରି ସକାରାତ୍ମକ ମାନସିକତା ରଖିଥାଏ ବୋଲି କହିଥିଲେ ଏହି ପାଟନା ପ୍ରତିଭା।

ସମ୍ବନ୍ଧିତ ଖବର