ନୂଆଦିଲ୍ଲୀ: ସୋମବାର ଚଳିତ ଆଇପିଏଲ୍ର ୬୨ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୩୪ ରନ୍ରେ ପରାସ୍ତ କରିଥିଲା ଗତବର୍ଷର ବିଜେତା ଗୁଜରାଟ ଟାଇଟନ୍ସ। ଏହି ମ୍ୟାଚ୍ରେ ଟାଇଟନ୍ସ ଓପ୍ନର ଶୁବମନ ଗିଲ୍ ଚିତାକର୍ଷକ ଶତକ ହାସଲ କରି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ତାଙ୍କ ୫୮ ବଲ୍ ଶତକୀୟ ପାଳିରେ ଗିଲ୍ ୧୩ ଚୌକା ଓ ୧ ଛକା ମାରିଥିଲେ। ହେଲେ ୨୨ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲା ବେଳେ ଆଦୌ ଛକା ମାରିନଥିଲେ। ଫଳରେ ଏହା ଆଇପିଏଲ୍ରେ ଛକା ବିହୀନ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ହୋଇଥିଲା। ଗିଲ୍ ଏଭଳି ଏକ ରେକର୍ଡରେ ସଚିନ ତେନ୍ଦୁଲକରଙ୍କ କୀର୍ତ୍ତିମାନକୁ ଭାଙ୍ଗିଥିଲେ। ସଚିନ ୨୦୧୦ ସଂସ୍କରଣରେ ଦିଲ୍ଲୀ ଡେୟାର ଡେଭିଲ୍ସ (ଏବର ଦିଲ୍ଲୀ କ୍ୟାପିଟାଲ୍ସ) ବିପକ୍ଷ ଏକ ମ୍ୟାଚ୍ରେ ଆଦୗ ଛକା ମାରିନପାରି ୨୩ ବଲ୍ରୁ କରିଥିବା ଅର୍ଦ୍ଧଶତକ ଦ୍ରୁତତମ ରେକର୍ଡ ବହନ କରିଥିଲା।
ସୋମବାର ମ୍ୟାଚ୍ରେ ଏକାଧିକ କୀର୍ତ୍ତିମାନ ପ୍ରତିଷ୍ଠା ହୋଇଥିଲା। ସେଥିରୁ ଗିଲ୍ ଏବଂ ଭୁବନେଶ୍ବର କୁମାର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଖେଳାଳି ଭାବେ ଗୋଟିଏ ଶତକ ଏବଂ ଗୋଟିଏ ୫ ୱିକେଟ୍ ସଫଳତା ହାତେଇଥିଲେ। ଏଭଳି ଘଟଣା ଆଇପିଏଲ୍ ଇତିହାସରେ ପ୍ରଥମ ଥିଲା ବେଳେ ପୁରୁଷ ଟ୍ବେଣ୍ଟି-୨୦ ଫର୍ମାଟ୍ରେ ତୃତୀୟ ଥିଲା। ଏହା ପୂର୍ବରୁ କର୍ଣ୍ଣାଟକର କରୁଣ ନାୟାର (୧୧୧ ରନ୍) ଓ ତାମିଲନାଡୁର ଭି ଅତିଶୟରାଜ ଡେଭିଡ୍ସନ୍ (୫/୩୦) ୨୦୧୭-୧୮ରେ ସୟଦ୍ ମୁସ୍ତାକ ଅଲ୍ଲୀ ଟ୍ରଫି ପ୍ରତିଯୋଗିତାରେ ଏବଂ ୨୦୨୧ରେ ଏକ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ରେ ବେଲ୍ଜିୟମ୍ର ସାବେର ଜାକିଲ (୧୦୦*) ଓ ଅଷ୍ଟ୍ରେଲିଆର ଅକିବ୍ ଇକ୍ବାଲ (୫/୫) ଏଭଳି ସଫଳତା ହାସଲ କରିଥିଲେ।
ସୋମବାର ମ୍ୟାଚ୍ରେ ପତନ ଘଟିଥିବା ଉଭୟ ଦଳର ମୋଟ ୧୮ ୱିକେଟ୍ ମଧ୍ୟରୁ ଗୋଟିଏ ରନ୍ ଆଉଟ୍ରୁ ଆସିଥିଲା ବେଳେ ଅବଶିଷ୍ଟ ୧୭ ୱିକେଟ୍ ପେସ୍ ବୋଲରମାନେ ଅକ୍ତିଆର କରିଥିଲେ। ଯାହାକି ଆଇପିଏଲ୍ ରେକର୍ଡ। ଏହି ମ୍ୟାଚ୍ରେ ସ୍ପିନରମାନେ ୧୩ ଓଭର ବୋଲିଂ କରିଥିଲେ ମଧ୍ୟ ଗୋଟିଏ ହେଲେ ୱିକେଟ୍ ପାଇନଥିଲେ। ଏହା ପୂର୍ବରୁ ଗୋଟିଏ ଆଇପିଏଲ୍ ମ୍ୟାଚ୍ରେ ପେସର୍ମାନେ ସର୍ବାଧିକ ୧୫ ୱିକେଟ୍ ଦଖଲ କରିବାର ରେକର୍ଡ ୪ ଥର ରହିଥିଲା।
ଚଳିତ ସଂସ୍କରଣରେ ମହମ୍ମଦ ସାମି ପାୱାରପ୍ଲେରେ ୧୫ ୱିକେଟ୍ ଅକ୍ତିଆର କରିସାରିଲେଣି। ଯାହାକି ଚଳିତ ଋତୁରେ ସର୍ବାଧିକ। କେବଳ ମିଚେଲ ଜନ୍ସନ୍ (୧୬ ୱିକେଟ୍, ୨୦୧୩) ଏବଂ ଟ୍ରେଣ୍ଟ୍ ବୋଲ୍ଟ (୧୬ ୱିକେଟ୍, ୨୦୨୦) ଆଇପିଏଲ୍ର ଗୋଟିଏ ଋତୁରେ ସାମିଙ୍କଠୁ ଅଧିକ ୱିକେଟ୍ ଦଖଲ କରିବାରେ ରେକର୍ଡ ରଖିଛନ୍ତି।
ଗୋଟିଏ ଆଇପିଏଲ୍ ମ୍ୟାଚ୍ରେ ୩ ଜଣ ବୋଲର ୪ କିମ୍ବା ତା’ଠୁ ଅଧିକ ଲେଖାଏଁ ୱିକେଟ୍ ଅକ୍ତିଆର କରିବା ପ୍ରଥମ ଘଟଣା। ଗୁଜରାଟ ଟାଇଟନ୍ସ-ସନ୍ରାଇଜର୍ସ ହାଇଦ୍ରାବାଦ ମୁକାବିଲାରେ ଭୁବନେଶ୍ବର କୁମାର, ମହମ୍ମଦ ସାମି ଏବଂ ମୋହିତ ଶର୍ମା ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ପୁରୁଷ ଟ୍ବେଣ୍ଟି-୨୦ ଫର୍ମାଟ୍ରେ ୩ ଜଣ ବୋଲର ୪+ ୱିକେଟ୍ ଦଖଲ କରିବା ଷଷ୍ଠ ଥର ପାଇଁ ଦେଖିବାକୁ ମିଳିଛି।
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସବୁ ପ୍ରକାର କ୍ରିକେଟ୍ରେ ଶତକ
ଶୁବମନ୍ ଗିଲ୍ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟେଷ୍ଟ, ଦିନିକିଆ, ଟ୍ବେଣ୍ଟି-୨୦ ଓ ଆଇପିଏଲ୍ରେ ଶତକ ମାରିବାର କୀର୍ତ୍ତିମାନ ରଚିଛନ୍ତି। ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଶୁବମନ୍ ୫୮ ବଲ୍ରେ ୧୦୧ ରନ୍ ସଂଗ୍ରହ କରିଥିଲେ। ଏଥିପୂର୍ବରୁ ଏହି ପଞ୍ଜାବୀ ବ୍ୟାଟର ଚଳିତ ବର୍ଷ ଆରମ୍ଭରୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ଦ୍ବିଶତକ ମାରିଥିଲେ। ହାଇଦ୍ରାବାଦରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ୧୪୯ ବଲ୍ରୁ ସେ ୨୦୮ ରନ୍ ସଂଗ୍ରହ କରିଥିଲେ। ଏହାପରେ ଅହମଦାବାଦରେ ପୁଣି ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଶତକ (୯୯ ବଲ୍ରୁ ୧୨୬* ରନ୍) ଏବଂ ମାର୍ଚ୍ଚରେ ଏହି ସ୍ଥାନରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୩୫ ବଲ୍ରୁ ୧୨୮ ରନ୍ କରିଥିଲେ। ଏବେ ପୁଣି ଥରେ ଅହମଦାବାଦରେ ଆଇପିଏଲ୍ ଶତକ ଅର୍ଜନ କରିଥିବାରୁ ସମ୍ଭବତଃ ଏହି ସ୍ଥାନ ଶୁବମନଙ୍କ ପାଇଁ ଶୁଭ ପ୍ରମାଣିତ ହେଉଛି। ଏହି ଶତକ ସହାୟତାରେ ଶୁବମନ୍ ଚଳିତ ଆଇପିଏଲ୍ରେ ୧୩ ମ୍ୟାଚ୍ରୁ ୫୭୬ ରନ୍ (୧ ଶତକ, ୪ ଅର୍ଦ୍ଧଶତକ) ସହ ଦ୍ବିତୀୟ ସର୍ବାଧିକ ସ୍କୋରର ହୋଇପାରିଛନ୍ତି।
କୋହଲିଙ୍କ ପ୍ରଶଂସା
ଆଇପିଏଲ୍ରେ ପ୍ରଥମ ଶତକ ମାରିବା ପରେ ଶୁବମନ ଗିଲ୍ଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି। ତାଙ୍କର ଏହି ଶତକରେ ଆତ୍ମବିଭୋର ହୋଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ରିକେଟର ବିରାଟ କୋହଲି ମଧ୍ୟ ନିଜକୁ ରୋକିପାରିନାହାନ୍ତି। ଇନ୍ଷ୍ଟାଗ୍ରାମ୍ରେ କୋହଲି ଏହି ଶତକୀୟ ପାଳିର ଫଟୋ ସେୟାର କରିବା ସହ ଶୁବମନଙ୍କୁ ‘‘ଆଗକୁ ବଢ ଏବଂ ପରବର୍ତ୍ତୀ ପିଢିର ନେତୃତ୍ବ ନିଅ’ର ପରାମର୍ଶ ଦେଇଛନ୍ତି। ଏହି ଶତକ ପରେ ଗିଲ୍ ମଧ୍ୟ ଆଇପିଏଲ୍ ପଦାର୍ପଣ କଥାକୁ ମନେପକାଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ୨୦୧୮ରେ ଆଇପିଏଲ୍ ପଦାର୍ପଣ କରିଥିଲା ସମୟରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିଲେ। ଏବେ ସଂଯୋଗ ବଶତଃ ସେହି ହାଇଦ୍ରାବାଦ ବିପକ୍ଷରେ ତାଙ୍କର ପ୍ରଥମ ଶତକ ମଧ୍ୟ ଅର୍ଜନ କରିଛନ୍ତି। ତେବେ ହାଇଦ୍ରାବାଦ ବୋଲର ଅଭିଷେକ ଶର୍ମା ତାଙ୍କର ପିଲାଦିନ ସାଙ୍ଗ ଥିଲା ବେଳେ ତାଙ୍କୁ ଛକା ମାରିବା ମୁହୂର୍ତ୍ତ ଶୁବମନଙ୍କ ପାଇଁ ସ୍ମରଣୀୟ ରହିବ ବୋଲି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ସେ ପ୍ରତିକ୍ରିୟା ରଖିଥିଲେ। ଶୁବମନଙ୍କ ଏହି ଶତକୀୟ ପାଳି ସହଯୋଗରେ ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ରେ ସ୍ଥାନ ପକ୍କା କରିଛି।