ଭୁବନେଶ୍ବର: ବିପ୍ଲବ ସାମନ୍ତରାୟଙ୍କ ଅର୍ଦ୍ଧଶତକୀୟ ପାଳି ସହାୟତାରେ ବରୋଦା ବିପକ୍ଷରେ ଓଡ଼ିଶା ଖେଳୁଥିବା ରଣଜୀ ଟ୍ରଫି ମ୍ୟାଚ୍ର ପ୍ରଥମ ଦିନରେ ମାତ୍ର ୧୯୩ ରନ୍ର ସ୍କୋର କରିପାରିଛି। ଦିନର ଷ୍ଟମ୍ପ୍ସ ବେଳକୁ ଘରୋଇ ବରୋଦା ୧ ୱିକେଟ୍ ବିନିମୟରେ ୫୦ ରନ୍ ସଂଗ୍ରହ କରିଛି। ଜ୍ୟୋତ୍ସ୍ନିଲ୍ ସିଂହଙ୍କୁ ପାଳିର ଦ୍ବିତୀୟ ତଥା ବ୍ୟକ୍ତିଗତ ପ୍ରଥମ ଓଭରରେ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଆଉଟ୍ କରି ପ୍ରାରମ୍ଭିକ ସଫଳତା ଦେଇଛନ୍ତି। ଖେଳ ବନ୍ଦ ରହିବା ବେଳକୁ ଶିବାଳିକ ଶର୍ମା ୨୮* ଓ ଶାଶ୍ବତ ରାୱତ ୧୭* ରନ୍ରେ ଅପରାଜିତ ଅଛନ୍ତି।
ଏଥିପୂର୍ବରୁ ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମ୍ରେ ସ୍ପିନର୍ଙ୍କୁ ସୁହାଉଥିବା ପିଚ୍କୁ ଦେଖି ଓଡ଼ିଶା ତାହାର ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଥିଲା। ଦ୍ରୁତ ବୋଲର ରାଜେଶ ମହାନ୍ତିଙ୍କ ସ୍ଥାନରେ ବାମହାତୀ ସ୍ପିନର୍ ହର୍ଷିତ ରାଠୋଡ୍ଙ୍କୁ ସାମିଲ କରାଯାଇଥିଲା। ଟସ୍ ଜିତି ବ୍ୟାଟିଂ କରିଥିବା ଓଡ଼ିଶା କିନ୍ତୁ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୪୬ ରନ୍ ଭିତରେ ଅନୁରାଗ ଷଡ଼ଙ୍ଗୀ (୩), ସନ୍ଦୀପ ପଟ୍ଟନାୟକ (୯), ଶାନ୍ତନୁ ମିଶ୍ର (୨୩) ଓ ଗୋବିନ୍ଦ ପୋଦ୍ଦାର (୧୧) ପ୍ୟାଭିଲିୟନ ଫେରିଥିଲେ।
ମଧ୍ୟାହ୍ନଭୋଜନ ପରେ କାର୍ତ୍ତିକ ବିଶ୍ବାଳ (୧୬) ମଧ୍ୟ ଆଉଟ୍ ହୋଇଯାଇଥିଲେ। ବିପ୍ଳବଙ୍କ ସହ ଯୁବ ୱିକେଟ୍ରକ୍ଷକ ବ୍ୟାଟର୍ ଆଶୀର୍ବାଦ ସ୍ବାଇଁ ଷଷ୍ଠ ୱିକେଟ୍ରେ ୭୨ ରନ୍ର ଭାଗୀଦାରି ଗଢ଼ି ଦଳକୁ ୧୫୦ ପାଖରେ ପହଞ୍ଚାଇଥିଲେ। ଆଶୀର୍ବାଦ (୩୭)ଙ୍କୁ ମହେଶ ପିଠିଆ ଆଉଟ୍ କରି ଯୋଡ଼ି ଭାଙ୍ଗିବା ପରେ ପୁଣି ଥରେ ୱିକେଟ୍ ଖସିବା ଧାରା ଆରମ୍ଭ ହୋଇଥିଲା। ଅବଶ୍ୟ ସୂର୍ଯ୍ୟକାନ୍ତ ପ୍ରଧାନ (୧୮) ତିନିଟି ଚୌକା ମାରି ଶେଷ ଭାଗରେ କିଛିଟା ରୋମାଞ୍ଚ ଭରିଥିଲେ, ହେଲେ ସେ ଅଧିକ ସମୟ ବ୍ୟାଟିଂ କରିପାରି ନଥିଲେ। ରକ୍ଷଣାତ୍ମକ ଖେଳି ଅର୍ଦ୍ଧଶତକ ଅର୍ଜନ କରିବା ପରେ ବିପ୍ଲବ (୫୮) ମଧ୍ୟ ମହେଶଙ୍କ ଶିକାର ହୋଇଥିଲେ। ଏହି ପାଳିରେ ମହେଶ ଚତୁର୍ଥ ୫ୱିକେଟ୍ ସଫଳତା ପାଇ ଓଡ଼ିଶାର ବିପର୍ଯ୍ୟୟ ଘଟାଇଥିଲେ। ଆକାଶ ସିଂହ ଓ ଭାର୍ଗବ ଭଟ୍ଟ ୨ ୱିକେଟ୍ ଲେଖାଏଁ ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି ୬୫ ଓଭରରେ ୧୯୩/୧୦ (ବିପ୍ଲବ ସାମନ୍ତରାୟ-୫୮, ଆଶୀର୍ବାଦ ସ୍ବାଇଁ-୩୭, ଶାନ୍ତନୁ ମିଶ୍ର-୨୩, ମହେଶ ପିଠିୟା-୫/୬୧, ଆକାଶ ସିଂହ-୨/୪୨, ଭାର୍ଗବ ଭଟ୍ଟ-୨/୪୪)। ବରୋଦା ପ୍ରଥମ ପାଳି ୨୨ ଓଭରରେ ୫୦/୧ (ଶିବାଳିକ ଶର୍ମା-୨୮*, ଶାଶ୍ବତ ରାୱତ-୧୭*, ଜ୍ୟୋତ୍ସ୍ନିଲ୍ ସିଂହ-୫, ଗୋବିନ୍ଦ ପୋଦ୍ଦାର-୧/୧୫)।