ଡବ୍ଲୁଟିସି ଫାଇନାଲ୍‌ ପୂର୍ବରୁ ହଲ୍ ଅଫ୍ ଫେମ୍‌ରେ ସାମିଲ ହେବେ ୫ ପିଢ଼ିର ୧୦ ଖେଳାଳି, ଭାରତରୁ ବିନୁ ମଙ୍କଡ଼

ଦୁବାଇ: ଆସନ୍ତା ୧୮ ତାରିଖରୁ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ପ୍ରଥମ ଫାଇନାଲ୍‌କୁ ସ୍ମରଣୀୟ ଏବଂ ଐତିହାସିକ କରିବା ଲାଗି ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ଏହି ଅବସରରେ ୫ ପିଢ଼ିର ୧୦ ଜଣ ମହାନ ଖେଳାଳିଙ୍କୁ ସମ୍ମାନଜନକ ହଲ୍ ଅଫ୍ ଫେମ୍‌ରେ ସାମିଲ କରିବ। ଆଇସିସି କରିଥିବା ଘୋଷଣା ଅନୁସାରେ ହଲ୍ ଅଫ୍ ଫେମ୍‌ର ସ୍ବତନ୍ତ୍ର ସଂସ୍କରଣରେ ପ୍ରତ୍ୟେକ ପିଢ଼ିର ଦୁଇ ଜଣ ‌ଲେଖାଏଁ ମହାନ ଖେଳାଳିଙ୍କୁ ଏଥିରେ ସ୍ଥାନ ମିଳିବ। ରବିବାର ଆଇସିସି ଘୋଷଣା କରିଥିବା ଏହି ମହାନ୍‌ ଖେଳାଳିଙ୍କ ମଧ୍ୟରେ ଭାରତରୁ ବିନୁ ମଙ୍କଡ଼ ସ୍ଥାନ ପାଇଛନ୍ତି। ଜଣେ ଅନ୍ୟତମ ମହାନ୍‌ ଅଲ୍‌ରାଉଣ୍ଡର ଭା‌ବେ ଜଣାଶୁଣା ମଙ୍କଡ଼ ଭାରତ ପାଇଁ ୪୪ ଟେଷ୍ଟ୍‌ ଖେଳି ୩୧.୪୭ ହାରରେ ୨୧୦୯ ରନ୍‌ କରିଥିଲା ବେଳେ ୩୨.୩୨ ହାରରେ ୧୬୨ ୱିକେଟ୍‌ ଦଖଲ କରିଥିଲେ।

ସେ ଜଣେ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍‌ ସାଙ୍ଗକୁ ଅର୍ଥୋଡକ୍ସ ବୋଲର ଥିଲେ। ସେ କେବଳ ତିନି କ୍ରିକେଟର୍‌ଙ୍କ ମଧ୍ୟରୁ ଜଣେ ଥିଲେ ଯିଏକି ନିଜ ଟେଷ୍ଟ୍‌ କ୍ୟାରିୟରରେ ସମସ୍ତ ସ୍ଥାନରେ ବ୍ୟାଟିଂ କରିଥିଲେ। ପରେ ସେ କିଂବଦନ୍ତି ତଥା ଆଇସିସି ହଲ୍‌ ଅଫ୍‌ ଫେମ୍‌ର ସଦସ୍ୟ ସୁନିଲ ଗାଭାସ୍କରଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ମଙ୍ଗଡ଼ଙ୍କ ସହିତ ଇଂଲଣ୍ଡର ଟେଡ୍‌ ଡେକ୍ସଟର (୧୯୪୬-୧୯୭୦ ଯୁଦ୍ଧ ପରବର୍ତୀ ପିଢ଼ି) ଗୋଟିଏ ପିଢ଼ି ପାଇଁ ସାମିଲ ହୋଇଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଅବ୍‌ରେ ଫକ୍‌ନର ଓ ଅଷ୍ଟ୍ରେଲିଆର ମଣ୍ଟି ନୋ‌ବଲ୍‌ (୧୯୧୮ ପୂର୍ବ ପିଢ଼ି), ୱେଷ୍ଟଇଣ୍ଡିଜ୍‌ର ସାର୍‌ ଲିଏରି କୋନ୍‌ଷ୍ଟାଣ୍ଟିନେ ଓ ଅଷ୍ଟ୍ରେଲିଆର ଷ୍ଟାନ୍‌ ମ୍ୟାକାବେ (୧୯୧୮-୧୯୪୫ ପିଢ଼ି), ୱେଷ୍ଟଇଣ୍ଡିଜ୍‌ର ଡେସ୍‌ମଣ୍ଡ ହେନ୍‌ସ ଓ ଇଂଲଣ୍ଡର ବବ୍‌ ୱିଲ୍‌ସ (୧୯୭୧-୧୯୯୫ ପିଢ଼ି) ଏବଂ ଜିମ୍ବାୱେର ଆଣ୍ଡି ଫ୍ଲାୱାର ଓ ଶ୍ରୀଲଙ୍କାର କୁମାର ସାଙ୍ଗାକାରା (୧୯୯୬-୨୦୧୬ ଆଧୁନିକ ପିଢ଼ି) ସ୍ଥାନ ପାଇଛନ୍ତି। ଭୋଟ ଜରିଆରେ ହିଁ ଏହି କ୍ରିକେଟ୍ କିବଂଦନ୍ତିଙ୍କୁ ମନୋନୀତ କରିଛି ଆଇସିସି। ଏହି ୧୦ ଜଣଙ୍କ ମିଶାଇ ହଲ୍ ଅଫ୍ ଫେମ୍‌ରେ ଥିବା ଖେଳାଳିଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଯିବ। ପ୍ରଥମ ଥର ପାଇଁ ଆଇସିସି ଏକକାଳୀନ ଏତେ ଖେଳାଳିଙ୍କୁ ହଲ୍ ଅଫ୍ ଫେମ୍‌ରେ ନେଉଛି।

ସମ୍ବନ୍ଧିତ ଖବର