ଅନାଥାଶ୍ରମରୁ ହଲ୍‌ ଅଫ୍‌ ଫେମ୍‌, ଭାରତରେ ଜନ୍ମ ହୋଇଥିଲେ ମହାନ ମହିଳା କ୍ରିକେଟର୍‌ ଲିସା

ନୂଆଦିଲ୍ଲୀ: ପ୍ରତିଟି ସଫଳତା ପଛରେ ଗୋଟିଏ‌ ଗୋଟିଏ କାହାଣୀ ଥାଏ। ଏହି କଥାଟି ମଧ୍ୟ କ୍ରୀଡ଼ାବିତ୍‌ ଜୀବନରେ ଅକ୍ଷରେ ଅକ୍ଷରେ ପ୍ରମାଣିତ ହୋଇଛି। ଅତ୍ୟନ୍ତ ସାଧାରଣ ପରିବାରରୁ ଆସି ବଡ଼ ତାରକା ବନିବାର ଅନେକ ଉଦାହରଣ କ୍ରୀଡ଼ାକ୍ଷେତ୍ରରେ ରହିଛି। ଏକାଧିକ ପ୍ରତିବଂଧକକୁ ଅତିକ୍ରମ କରି ସଫଳତାର ସିଡି ଚଢ଼ିବାର ଅଭିଜ୍ଞତା‌ ଖେଳାଳିଙ୍କ ଜୀବନରେ ଭଲ ଭାବେ ପ୍ରତିଫଳିତ ହୋଇଥାଏ। ଏଭଳି ଜଣେ ଜ୍ବଳନ୍ତ ଉଦାହରଣ ହେଲେ ପୂର୍ବତନ ଅଷ୍ଟ୍ରେଲୀୟ ମହିଳା କ୍ରିକେଟର୍‌ ଲିସା ସ୍ଥାଲେକର। ନିକଟରେ କ୍ରିକେଟର୍‌ ସବୁଠୁ ଗୌରବମୟ ଗାଥା ରଖୁଥିବା ‘ହଲ୍‌ ଅଫ୍‌ ଫେମ୍‌’ରେ ସାମିଲ ହୋଇଛନ୍ତି ଲିସା। ଲିସାଙ୍କ ଜୀବନଯାତ୍ରା ଶୁଣିଲେ ବି ଏହା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଯିବ।

୧୯୭୮ ମସିହାର କଥା, ସ୍ଥାଲେକରଙ୍କୁ ମାତ୍ର ୩ ସପ୍ତାହ ହୋଇଥିଲା। ତାଙ୍କୁ ପୁନେର ଏକ ଅନାଥାଶ୍ରମରୁ ତାଙ୍କ ପାଳିତ ପିତାମାତା ପୋଷ୍ୟ କରିଥିଲେ। ଆପଣ ଏହା ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ ଲିସା ସ୍ଥାଲେକର ଭାରତ ଜନ୍ମିତ ବୋଲି। ବାସ୍ତବରେ ତାଙ୍କ ମୂଳ ନାମ ଥିଲା ଲୈଲା। ତାଙ୍କ ଜନ୍ମିତ ପିତାମାତା ପାଳିବାକୁ ସକ୍ଷମ ନ ଥିବାରୁ ପୁନେର ଏହି ଅନାଥାଶ୍ରମରେ ଛାଡ଼ି‌‌ ଦେଇଥିଲେ। ସେହି ସମୟରେ ଆମେରିକାର ଏକ ଦମ୍ପତ୍ତି ଗୋଟିଏ ପୁତ୍ର ସନ୍ତାନକୁ ପୋଷ୍ୟ କରିବା ଲାଗି ଆସିଥିଲେ। ତାଙ୍କ ନଜର କିନ୍ତୁ ଏହି ଛୋଟ ଝିଅଟି ଉପରେ ପଡ଼ିଥିଲା। ଔପଚାରିକତା ଶେଷ କରିବା ପରେ ଲିସାଙ୍କୁ ସେ ଆମେରିକା ନେଇଯାଇଥିଲେ। ଆମେରିକା ଓ କେନିଆରେ ୪ ବର୍ଷ ରହିବା ପରେ ଏହି ଦମ୍ପତି ଅଷ୍ଟ୍ରେଲିଆରେ ସ୍ଥାୟୀ ଅବସ୍ଥାନ କରିଥିଲେ। ସେହିଠାରୁ ଆରମ୍ଭ ହୋଇଥିଲା ସ୍ଥାଲେକରଙ୍କ କ୍ରିକେଟ୍‌ ଜୀବନ। ଦିନେ ଅନାଥାଶ୍ରମରେ ଅନିଶ୍ଚିତ ଭବିଷ୍ୟତ ଭିତରେ ଥିବା ସ୍ଥାଲେକର ପରବର୍ତୀ ସମୟରେ ବିଶ୍ବର ଜଣେ ମହାନ ମହିଳା କ୍ରିକେଟ୍‌ ଅଲରାଉଣ୍ଡର୍‌ ପାଲଟି ଯାଇଥିଲେ। ୨ ଥର ଲେଖାଏଁ ଦିନିକିଆ (୨୦୦୫, ୨୦୧୩) ଏବଂ ଟି-୨୦ ବିଶ୍ବକପ୍‌ (୨୦୧୦ ଓ ୨୦୧୨) ଜିତିଥିଲେ। ପ୍ରଥମ ମହିଳା କ୍ରିକେଟର୍‌ ଭାବେ ଦିନିକିଆରେ ୧୦୦୦ ରନ୍‌ ଏବଂ ୧୦୦ ୱିକେଟ୍‌ ନେବାର ଡବଲ୍‌ ଅର୍ଜନ କରିଥିଲେ। ୨୦୧୭ ମସିହାରେ ଅବସର ନେଇଥିବା ଲିସା ଅଷ୍ଟ୍ରେଲିଆ ପାଇଁ‌ ମୋଟ ୮ ଟେଷ୍ଟ, ୧୨୫ ଦିନିକିଆ ଏବଂ ୫୪ ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ। ମିଳିତ ଭାବେ ୧୮୭ ମ୍ୟାଚ୍‌ରୁ ପ୍ରାୟ ୪୦୦୦ ରନ୍ ଏବଂ ୨୦୦ ୱିକେଟ୍ ନେଇଛନ୍ତି।

କ୍ରିକେଟ୍‌କୁ ଆସିବାରେ ଲିସା ନିଜ ପିତାଙ୍କୁ ଶ୍ରେୟ ଦିଅନ୍ତି। ‘ମୋ ପିତା କ୍ରିକେଟକୁ ଭଲ ପାଉଥିଲେ, ୮-୯ ବ‌ର୍ଷ ବୟସର ହୋଇଥିବି ବୋଧେ ମୁଁ ଏହି ଖେଳର ପ୍ରେମରେ ପଡିଯାଇଥିଲିା’ ବୋଲି ଲିସା କହିଛନ୍ତି। ୨୦୧୨ ମସିହାରେ ଗାର୍ଡିଏନ୍ ରିପୋର୍ଟ କରିଥିଲା ଯେ ଲିସା ପୁନେ ଆସି ସମ୍ପୃକ୍ତ ଅନାଥାଶ୍ରମ ବୁଲିଥିଲେ, ଯେଉଁଠୁ ତାଙ୍କ ଜୀବନ ଯାତ୍ରାର ପ୍ରଥମ ପର୍ବ ଆରମ୍ଭ ହୋଇଥିଲା। ଆମେରିକୀୟ ଦମ୍ପତିଙ୍କ ପସନ୍ଦ ପରେ ତାଙ୍କ ଜୀବନ କିଭଳି ନାଟକୀୟ ଭାବେ ବଦଳିଯାଇଥିଲା ଅନୁଭବ କରିଥିଲେ। କିଛି ଦିନ ତଳେ ସେ ତାଙ୍କ ରଚିତ ପୁସ୍ତକ ‘ସେକର’ରେ ମଧ୍ୟ ଖୋଲାଖୋଲି ଭାବେ ନିଜ ଅବସାଦ ସହ ଅନେକ ବ୍ୟକ୍ତିଗତ କାହାଣୀର ଅବତାରଣ କରିଥିଲେ।

ସମ୍ବନ୍ଧିତ ଖବର