ଲଣ୍ଡନ୍: ସପ୍ତମ ମାନ୍ୟତାପ୍ରାପ୍ତ ସିମୋନା ହାଲେପ ପ୍ରଥମ ଥର ଲାଗି ୱିମ୍ବଲ୍ଡନ୍ ଟେନିସ୍ ପ୍ରତିଯୋଗିତାର ମହିଳା ଏକକ ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ଗୁରୁବାର ସେମିଫାଇନାଲ୍ରେ ହାଲେପ ୬-୧, ୬-୩ ସିଧାସଳଖ ସେଟ୍ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ୟୁକ୍ରେନ୍ର ଏଲିନା ସ୍ବିତୋଲିନାଙ୍କୁ ହରାଇ ପ୍ରଥମ ରୋମାନୀୟ ମହିଳା ଭାବେ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସୌଭାଗ୍ୟବଶତଃ ସେମିଫାଇନାଲ୍ ପୂର୍ବରୁ ହାଲେପ୍ କୌଣସି ମାନ୍ୟତାପ୍ରାପ୍ତ ଖେଳିଳିଙ୍କୁ ଭେଟି ନଥିଲେ। ହେଲେ ସେମିଫାଇନାଲ୍ରେ ତାଙ୍କର ଭେଟ ସ୍ବିତୋଲିନାଙ୍କ ସହ ହୋଇଥିଲା। ଏହା ପୂର୍ବରୁ ସ୍ବିତୋଲିନାଙ୍କ ବିପକ୍ଷରେ ୭ ମ୍ୟାଚ୍ ଖେଳି ସେ ୪ଟିରେ ହାରିଥିବାରୁ ଏଥର ବିଜୟ ନେଇ ଦ୍ବନ୍ଦ୍ବରେ ଥିଲେ ହାଲେପ। ହେଲେ ୭୩ ମିନିଟ୍ ସଂଘର୍ଷ ପରେ ହାଲେପ ମ୍ୟାଚ୍କୁ ସହଜରେ ଜିତି ନେଇଥିଲେ। ଫାଇନାଲ୍ରେ ହାଲେପଙ୍କ ଭେଟ ୨୩ ଗ୍ରାଣ୍ଡ୍ସ୍ଲାମ୍ ବିଜୟିନୀ ତଥା ଏକାଦଶ ମାନ୍ୟତାପ୍ରାପ୍ତ ସେରେନା ୱିଲିୟମ୍ସଙ୍କ ସହ ହେବ। ଏଠାରେ ୭ ଥର ବିଜୟିନୀ ହୋଇଥିବା ଆମେରିକା ତାରକା ସେରେନା ମଧ୍ୟ ଗୁରୁବାର ଦ୍ବିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ୬-୧, ୬-୨ ସିଧାସଳଖ ସେଟ୍ରେ ଚେକ୍ଗଣରାଜ୍ୟର ବାର୍ବୋରା ଷ୍ଟ୍ରାଇକୋଭାଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ଫଳରେ ସେରେନା ସର୍ବାଧିକ ଗ୍ରାଣ୍ଡ୍ ସ୍ଲାମ୍ ମୁକୁଟ ବିଜୟିନୀ ପୂର୍ବତନ ଅଷ୍ଟ୍ରେଲୀୟ ଟେନିସ୍ ଖେଳାଳି ମାର୍ଗାରେଟ୍ କୋର୍ଟ (୨୪)ଙ୍କ ସମକକ୍ଷ ହେବାର ନିକଟବର୍ତୀ ହୋଇଛନ୍ତି।