ହାମିଲଟନ୍‌ଙ୍କୁ ପଞ୍ଚମ ଫର୍ମୁଲା ୱାନ୍‌ ମୁକୁଟ:ମେକ୍ସିକୋ ଗ୍ରାଁ ପ୍ରି ଜିତିଲେ ଭର୍ସ୍ତାପେନ୍‌

ମେକ୍ସିକୋ ସିଟି: ବ୍ରିଟେନ୍‌ର ଲୋକପ୍ରିୟ ଚାଳକ ଲୁଇସ୍‌ ହାମିଲଟନ୍‌ ପଞ୍ଚମ ଥର ଲାଗି ଫର୍ମୁଲା ୱାନ୍‌ ମୁକୁଟ ନିଜ ନାମରେ କରିଛନ୍ତି। ରବିବାର ରେଡ୍‌ବୁଲ୍‌ ତାରକା ମ୍ୟାକ୍ସ ଭର୍ସ୍ତାପେନ୍‌ ମେକ୍ସିକୋ ଗ୍ରାଁ ପ୍ରି ଜିତିଥିଲେ। ଏହି ରେସ୍‌ରେ ମର୍ସିଡିଜ୍‌ ଚାଳକ ହାମିଲଟନ୍‌ ଚତୁର୍ଥରେ ରହିଥିଲେ। ହେଲେ ତାଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଜର୍ମାନିର ସେବସ୍ତିଆନ୍‌ ଭେଟଲ୍‌ ଦ୍ବିତୀୟରେ ରହିବା‌ରୁ ହାମିଲଟନ୍‌ଙ୍କ ବିଶ୍ବ ବିଜେତା ହେବା ସ୍ପଷ୍ଟ ହୋଇ ଯାଇଥିଲା। ଅନ୍ୟପକ୍ଷରେ କିମି ରାଇକୋନେନ୍ ତୃତୀୟ ସ୍ଥାନରେ ରହିଥିଲେ। ଚଳିତ ଋତୁର ଆଉ ଦୁଇଟି ରେସ୍‌ ଥିଲା ବେଳେ ହାମିଲଟନ୍‌ ୧୯ ରେସ୍‌ରୁ ୯ଟି ଜିତି ୩୫୮ ପଏଣ୍ଟ୍‌ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ଫେରାରିର ଭେଟଲ୍‌ (୨୯୪ ପଏଣ୍ଟ୍‌) ଦ୍ବିତୀୟରେ ରହିଛନ୍ତି। ଏଣୁ ବଳକା ଦୁଇଟି ରେସ୍‌ରେ ଭେଟେଲ ବିଜୟୀ ହେଲେ ମଧ୍ୟ ହାମିଲଟନଙ୍କୁ ଟପିବାର ଆଦୌ ସମ୍ଭାବନା ନାହିଁ। ବିଶ୍ବବିଜେତା ହେବାରେ ଏହି ମର୍ସିଡିଜ୍‌ ଚାଳକ ଏବେ ଜର୍ମାନି କିମ୍ବଦନ୍ତୀ ମାଇକେଲ୍‌ ସୁମାକର (୭ ଥର)ଙ୍କ ପଛରେ ରହିଛନ୍ତି। ଅନ୍ୟପକ୍ଷରେ ଆର୍ଜେଣ୍ଟିନାର ଚର୍ଚିତ ଚାଳକ ଜୁଆନ୍‌ ମାନୁଏଲ୍‌ ଫାଙ୍ଗିଓ (୫ ଥର)ଙ୍କ ସହ ସମକ୍ଷକ ହୋଇଛନ୍ତି।

ସମ୍ବନ୍ଧିତ ଖବର