ମାନାମା (ବାହାରିନ): ଶୁକ୍ରବାର ଚଳିତ ଋତୁର ପ୍ରଥମ ବାହାରିନ ଗ୍ରାଁ ପ୍ରି ଅଭ୍ୟାସ ଅବସରରେ ଫର୍ମୁଲା ୱାନ୍‌ ପ୍ରବନ୍ଧକମାନେ ଲୁଇସ ହାମିଲଟନଙ୍କୁ ଅଳଙ୍କାର ପ୍ରତିବନ୍ଧକରୁ ମୁକ୍ତ କରିଛନ୍ତି। ହାମିଲଟନ ସବୁବେଳେ ନାକରେ ନୋଥ ଓ କାନରେ କୁଣ୍ଡଳି ଲଗାଇଥା’ନ୍ତି। ଫର୍ମୁଲା ୱାନ୍‌ ରେସ୍‌ରେ ଭାଗ ନେବାବେଳେ ସୁରକ୍ଷା ଦୃଷ୍ଟିରୁ କୌଣସି ଅଳଙ୍କାର ବ୍ୟବହାର ଲାଗି ହାମିଲଟନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ନାକରୁ ନୋଥ କାଢ଼ିଦେଲେ ଏହା ଛିଣ୍ଡିଯିବା କିମ୍ବା କ୍ଷତ ହୋଇଯିବାର ବିପଦ ଥିବାରୁ ହାମିଲଟନ ରାଜି ହେଉନଥିଲେ। ୭ ଥର ବିଶ୍ବ ବିଜେତା ମର୍ସିଡିଜ୍‌ ଚାଳକ ହାମିଲଟନ୍‌ ସମସ୍ତ ଅଳଙ୍କାର ନ ହଟାଇବାକୁ ଅନୁରୋଧ ମଧ୍ୟ କରିଥିଲେ। ଶେଷରେ ଆନ୍ତର୍ଜାତିକ ରେସିଂ ସଂଘର ଡାକ୍ତରୀ ଦଳ ସହ ପରାମର୍ଶ ପରେ ଏବଂ ଏଭଳି ଅସୁବିଧା ହେବାନେଇ ହାମିଲଟନ୍‌ଙ୍କ ସ୍ବୀକାରୋକ୍ତି ପରେ ଫର୍ମୁଲା ୱାନ୍‌ ପ୍ରବନ୍ଧକମଣ୍ଡଳୀ ତାଙ୍କ ଉପରୁ କଟକଣା ହଟାଇ ନେଇଛନ୍ତି। ତେଣୁ ବର୍ଷ ବର୍ଷ ଧରି ନିଜର ବାମ ନାକରେ କୁଣ୍ଡଳି ଲଗାଇ ଆସୁଥିବା ହାମିଲଟନଙ୍କୁ ବାହାରିନ ଗ୍ରାଁ ପ୍ରିରେ ଡାହାଣ ନାକରେ ପିନ୍ଧିଥିବାର ଫଟୋ ପ୍ରସାରିତ ହୋଇଛି।