ହାମିଲଟନ୍: ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଗୁରୁବାରଠୁ ସ୍ଥାନୀୟ ସେଡନ୍ ପାର୍କରେ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ୍। ଟସ୍ ହାରି ବ୍ୟାଟିଂ ପାଇଥିବା ଅତିଥି ଦଳ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ତମିମ୍ ଇକ୍ବାଲ (୧୨୬ ରନ୍, ୧୨୮ ବଲ୍, ୨୧ ଚୌକା, ୧ ଛକା)ଙ୍କ ଦ୍ରୁତ ଶତକ ସତ୍ତ୍ବେ ୨୩୪ ରନ୍ରେ ପ୍ରଥମ ପାଳିର ସମସ୍ତ ୱିକେଟ୍ ହରାଇଛି। ନିଲ୍ ୱାଗ୍ନର ଘରୋଇ ଦଳ ପକ୍ଷରୁ ଘାତକ ବୋଲିଂ କରିଥିଲେ। ସେ ୪୭ ରନ୍ରେ ୫ ଏବଂ ଟିମ୍ ସାଉଦି ୭୬ ରନ୍ରେ ୩ ୱିକେଟ୍ ଦଖଲ କରିବାରୁ ବାଂଲାଦେଶ ପ୍ରଥମ ପାଳି ୫୯.୨ ଓଭରରେ ଶେଷ ହୋଇଯାଇଥିଲା। ୱାଗ୍ନର ମଧ୍ୟ ନିଜ ଟେଷ୍ଟ୍ ଜୀବନରେ ଷଷ୍ଠ ଥର ପାଇଁ ୫ ୱିକେଟ୍ ସଫଳତା ହାତେଇଥିଲେ। ତମିମ୍ଙ୍କ ବ୍ୟତୀତ ସଦ୍ମନ ଇସ୍ଲାମ (୨୪), ମୋମିନୁଲ୍ ହକ୍ (୧୨), ଅଧିନାୟକ ମାହମଦୁଲ୍ଲା (୨୨), ଲିଟନ୍ ଦାସ (୨୯) ଓ ମେହେଦି ହାସନ୍ ମିରାଜ୍ (୧୦) ଦୁଇ ଅଙ୍କ ଛୁଇଁଥିଲେ। ବାଂଲାଦେଶ ପାଳିରେ ୩ କ୍ୟାଚ୍ ନେଇଥିବା ବିଜେ ୱାଟ୍ଲିଙ୍ଗ୍ ନ୍ୟୁଜିଲାଣ୍ଡ୍ର ଦ୍ବିତୀୟ ୱିକେଟ୍ରକ୍ଷକ ଭାବେ ୨୦୦ ଟେଷ୍ଟ୍ ସଫଳତା ପାଇଥିଲେ। ସେ ନ୍ୟୁଜିଲାଣ୍ଡ୍ କୀର୍ତିମାନ ନିଜ ନାମରେ ରଖିଥିବା ପୂର୍ବତନ ୱିକେଟ୍ରକ୍ଷକ ଆଦାମ୍ ପାରୋରେଙ୍କଠୁ ମାତ୍ର ଗୋଟିଏ ସଫଳତା ପଛରେ ରହିଛନ୍ତି। ପାରୋରେ ୱିକେଟ୍ ପଛରେ ୨୦୧ ସଫଳତା ପାଇଥିଲା ବେଳେ ବ୍ରେଣ୍ଡନ ମ୍ୟାକ୍ଲମ୍ ସର୍ବାଧିକ ୨୦୯ ସଫଳତା ନିଜ ନାମରେ ରଖିଛନ୍ତି। ହେଲେ ସେମଧ୍ୟରୁ ୩୧ କ୍ୟାଚ୍ ମ୍ୟାକ୍ଲମ୍ ୱିକେଟ୍ରକ୍ଷଣ ଦାୟିତ୍ବ ଛାଡ଼ିବା ପରେ ନେଇଛନ୍ତି। ବାଂଲାର ୨୩୪ ଜବାବରେ ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ଘରୋଇ ଦଳ ୨୮ ଓଭର ଖେଳି ବିନା ୱିକେଟ୍ରେ ୮୬ ରନ୍ କରି ମଜବୁତ୍ ସ୍ଥିତି ପାଇଯାଇଛି। ଜିତ୍ ରାଭାଲ (୫୧) ଅର୍ଧଶତକ ଜମାଇଥିଲା ବେଳେ ଟମ୍ ଲାଥାମ୍ ୩୫ ରନ୍ କରିଛନ୍ତି।
ହାମିଲଟନ୍ ଟେଷ୍ଟ୍: ତମିମଙ୍କ ଶତକ ବାଂଲାଦେଶ ୨୩୪
/sambad/media/post_attachments/wp-content/uploads/2019/03/Untitled-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)