ହାମିଲଟନ୍ ଜିତିଲେ କାତାର ଗ୍ରାଁ ପ୍ରି

ଦୋହା: ବ୍ରିଟିଶ୍ ଫର୍ମୁଲା ୱାନ୍ କାର୍ ଚାଳକ ଲୁଇସ୍ ହାମିଲଟନ୍ କାତାର ଗ୍ରାଁ ପ୍ରି ଜିତି ନେଇଛନ୍ତି। ରବିବାରର ଘଟଣା ବହୁଳ ‌ରେସ୍‌ରେ ନିଜ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ମ୍ୟାକ୍ସ ଭର୍ସ୍ତାପେନଙ୍କୁ ପଛରେ ପକାଇ ବିଜୟ ଧାରାକୁ ଫେରିଥିବାରୁ ବେଶ୍ ଖୁସି ଅଛନ୍ତି ସେ। ଅନ୍ୟପକ୍ଷରେ ଉପବିଜେତା ଭର୍ସ୍ତାପେନ କହିଛନ୍ତି ଯେ ଷ୍ଟାର୍ଟିଂ ପୋଜିସନ୍‌ରେ ସାଲିସ୍ କରିବାକୁ ପଡ଼ିଥିବାରୁ ଆମ ହାତରୁ ଆଉ ଏକ ବିଜୟ ଖସି ଯାଇଛି। ତଥାପି ରେଡ୍‌ବୁଲ୍ ଦଳର ପ୍ରତିନିଧିତ୍ବ କରିଥିବା ଭର୍ସ୍ତାପେନ୍ ଚାମ୍ପିଅନସିପ୍ ପଏଣ୍ଟ୍‌ ତାଲିକାରେ ଏବେବି ହାମିଲଟନ୍‌ଙ୍କଠାରୁ ୮ ପଏଣ୍ଟ୍‌ ଆଗରେ ରହିଛନ୍ତି। ସେପଟେ ଆଲପାଇନ୍ ଦଳର ଅଭିଜ୍ଞ ଚାଳକ ଫର୍ଣ୍ଣାଣ୍ଡୋ ଆଲସୋଁ ଦୀର୍ଘ ୭ ବର୍ଷ ପରେ ପୋଡିୟମ୍‌ରେ ଛିଡ଼ା ହେବାର ‌ଗୌରବ ଅର୍ଜନ କରିଛନ୍ତି। ‌

ସେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଶେଷ ଥର ପାଇଁ ଆଲସୋଁ ୨୦୧୪ ମସିହାରେ କୌଣସି ଫର୍ମୁଲା ୱାନ୍ ରେସ୍‌ର ଶ୍ରେଷ୍ଠ ୩ଜଣଙ୍କ ମଧ୍ୟରେ ରହିଥିଲେ। ଏହି ପ୍ରତିଯୋଗିତାରେ ଚତୁର୍ଥରୁ ଦଶମ ସ୍ଥାନରେ ରହିଥିବା ଖେଳାଳିଙ୍କ ମଧ୍ୟରେ ଅଛନ୍ତି ସର୍ଗିଓ ପେରେଜ୍ (ରେଡ୍ ବୁଲ୍), ଏସ୍ତେବନ ଅକନ (ଅଲପାଇନ୍), ଲାନ୍ସ ଷ୍ଟ୍ରଲ୍ (ଆଷ୍ଟନ୍ ମାର୍ଟିନ), କାର୍ଲୋସ୍ ସେଞ୍ଜ୍ (ଫେରାରି), ଚାର୍ଲସ ଲେକଲର୍କ (ଫେରାରି), ଲାର୍ଡୋ ନୋରିସ୍ (ମ୍ୟାକଲରିନ୍) ଓ ସେବାସ୍ତିଆନ ଭେଟେଲ (ଆଷ୍ଟନ ମାର୍ଟିନ)।

ସମ୍ବନ୍ଧିତ ଖବର