ବକୁ : ଦୁର୍ଘଟଣାପ୍ରବଣ, ବିବାଦୀୟ ଏବଂ ଘଟଣା ବହୁଳ ଆଜରବାଇଜନ୍ ଗ୍ରାଁ ପ୍ରିକୁ ବ୍ରିଟିସ୍ ଚାଳକ ଲୁଇସ୍ ହାମିଲଟନ୍ ଜିତି ନେଇଛନ୍ତି। ଏଥିସହିତ ଚଳିତ ଋତୁର ଫର୍ମୁଲାଓ୍ଵାନ୍ ଚାଳକ ତାଲିକାରେ ସେ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସେହିଭଳି ହାମିଲଟନଙ୍କ ଏହି ବିଜୟ ମଧ୍ୟ ଚଳିତ ଋତୁରେ ମର୍ସିଡିସ୍ ଦଳର ପ୍ରଥମ ବିଜୟ ହୋଇଛି। ଏକାଧିକ କାର୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଚାଳକଙ୍କ ସୁରକ୍ଷାକୁ ନେଇ ଆୟୋଜକମାନେ ଚିନ୍ତିତ ଥିବା ଏହି ପ୍ରତିଯୋଗିତାରେ କିମି ରାଇକୋନେ୍ ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ ଫୋର୍ସ ଇଣ୍ଡିଆର ସର୍ଗିଓ ପେରେଜ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିଭଳି ଫେରାରିର ଅନ୍ୟତମ ଚାଳକ ସେବାସ୍ତିଆନ୍ ଭେଟେଲ ପୋଲ୍ ପୋଜିସନରୁ ରେସ୍ ଆରମ୍ଭ କରି ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ଏହି ପ୍ରତିଯୋଗିତା ପୂର୍ବରୁ ସେ ହିଁ ଚାଳକ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ଥିଲେ। ଆଜରବାଇଜନରେ ବିଜୟୀ ହୋଇଥିଲେ ଏହା ତାଙ୍କ ଖେଳ ଜୀବନର ୫୦ତମ ଏବଂ ଚଳିତ ଋତୁର ଗତ ୪ ରେସରୁ ତୃତୀୟ ବିଜୟ ହୋଇଥାଆନ୍ତା। ସଂପ୍ରତି ହାମିଲଟନ୍ ୭୦ ପଏଣ୍ଟରେ ଥିଲା ବେଳେ ଭେଟେଲ ୬୬ ପଏଣ୍ଟ ପାଇ ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି। ରେଡ୍ ବୁଲର ଦୁଇ ତାରକା ଚାଳକ ମ୍ୟାକ୍ସ ଭର୍ସଷ୍ଟାପେନ୍ ଓ ଡାନିଏଲ୍ ରିକିଆର୍ଡୋ ପରସ୍ପରର କାର୍କୁ ଧକ୍କା ଦେଇ ରେସ୍ରୁ ବାଦ ପଡ଼ିଥିଲେ। ଦୁଇ ସପ୍ତାହ ତଳେ ଚାଇନା ଗ୍ରାଁ ପ୍ରି ଜିତିଥିବା ଏବଂ ଗତବର୍ଷ ଆଜରବାଇଜନରେ ବିଜେତା ହୋଇଥିବା ରିକିଆର୍ଡୋ ତାଙ୍କ ୨୦ ବର୍ଷୀୟ ସାଥୀ ଭର୍ସଷ୍ଟାପେନଙ୍କ ପଛରେ ନିଜ କାର୍ ପିଟି ଦେଇଥିଲେ। ସେତେବେଳକୁ ଉଭୟ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଥିଲେ। ଫୋର୍ସ ଇଣ୍ଡିଆର ପେରେଜ୍ ନିଜ କାର୍ ଚାଳନା କଳା କୌଶଳରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚକମା ଦେଇ ତୃତୀୟ ସ୍ଥାନରେ ରହି ୧୫ ପଏଣ୍ଟ ଅର୍ଜନ କରି ନେଇଥିଲେ। ଚାଳକ ପଏଣ୍ଟ ତାଲିକାରେ ସଂପ୍ରତି ସେ ନବମ ସ୍ଥାନରେ ରହିଛନ୍ତି।
ହାମିଲଟନ୍ ଜିତିଲେ ଆଜରବାଇଜନ୍ ଗ୍ରାଁ ପ୍ରି
ଫୋର୍ସ ଇଣ୍ଡିଆର ପେରେଜ୍ ତୃତୀୟ
/sambad/media/post_attachments/wp-content/uploads/2018/04/azar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)