ବୁଦାପେଷ୍ଟ: କୋଭିଡ୍-୧୯ ମହାମାରୀ ଯୋଗୁଁ ପ୍ରାୟ ୪ ମାସ ଧରି ବନ୍ଦ ରହିଥିବା ଫର୍ମୁଲା ୱାନ୍ ଋତୁ ଫେରିବା ପରେ ରବିବାର ତୃତୀୟ ଗ୍ରାଁ ପ୍ରି ରେସ୍ ଆୟୋଜିତ ହୋଇଥିଲା। ଚଳିତ ଋତୁର ଏହି ତୃତୀୟ ରେସ୍ ହଙ୍ଗେରିଆନ୍ ଗ୍ରାଁ ପ୍ରିକୁ ଇଂଲଣ୍ଡର ମର୍ସିଡିଜ୍ ଚାଳକ ଲୁଇସ୍ ହାମିଲଟନ୍ ଜିତି ନେଇଛନ୍ତି। ୬ ଥର ବିଶ୍ବ ବିଜେତା ହାମିଲଟନ୍ଙ୍କର ଏହା ଚଳିତ ବର୍ଷର ଦ୍ବିତୀୟ ମୁକୁଟ। ଏହା ପୂର୍ବରୁ ସେ ଚଳିତ ଋତୁର ଦ୍ବିତୀୟ ରେସ୍ ତଥା ଷ୍ଟିରିଆନ୍ ଗ୍ରାଁ ପ୍ରିକୁ ଜିତି ନେଇଥିଲେ। ଏଥିସହିତ ହାମିଲଟନ୍ ମଧ୍ୟ ପ୍ରଥମ ଚାଳକ ଭାବେ ହଙ୍ଗେରିରେ ହ୍ୟାଟ୍ରିକ୍ (ଲଗାତାର ୩ ଥର ବିଜେତା) ଅର୍ଜନ କରିବାର ଗୌରବ ଅର୍ଜନ କରିଛନ୍ତି। କେବଳ ସେତିକି ନୁହେଁ, ସେ ମଧ୍ୟ ଗୋଟିଏ ଭେନ୍ୟୁରେ ସର୍ବାଧିକ ରେସ୍ ଜିତିବାର କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ମାଇକେଲ୍ ସୁମାକର (ଫ୍ରାନ୍ସରେ ୮ ଥର)ଙ୍କ ନାମରେ ଏହି କୀର୍ତ୍ତିମାନ ଥିଲା। ପୂର୍ବରୁ ହଙ୍ଗେରିରେ ୭ ଥର ବିଜେତା ହୋଇଥିବା ହାମିଲଟନ୍ ରବିବାର ରେସ୍ ଜିତି ନିଜ ସଂଖ୍ୟାକୁ ୮କୁ ବୃଦ୍ଧି କରିଥିଲେ। ଫଳରେ ସେ ସୁମାକରଙ୍କ ସମକକ୍ଷ ହୋଇଛନ୍ତି।
ଶନିବାର କୀର୍ତ୍ତିମାନଭରା ୯୦ ଥର ପୋଲ୍ ପୋଜିସନ୍ ହାସଲ କରିଥିବା ହାମିଲଟନ୍ ରବିବାର ହଙ୍ଗେରିରେ ଟ୍ରଫି କରାୟତ୍ତ କରିନେଇଥିଲା ବେଳେ ରେଡ୍ବୁଲ୍ର ମ୍ୟାକ୍ସ ଭର୍ସ୍ତାପେନ୍ ଦ୍ବିତୀୟ ଏବଂ ହାମିଲ୍ଟନ୍ଙ୍କ ଦଳୀୟ ସାଥୀ ଭାଲଟ୍ଟେରି ବୋଟାସ ତୃତୀୟ ସ୍ଥାନରେ ରହି ପୋଡିୟମ୍ ଫିନିସ୍ କରିଥିଲେ। ରେସିଂ ପଏଣ୍ଟ୍ର ଲାନ୍ସ ଷ୍ଟ୍ରୋଲ୍ ଓ ରେଡ୍ବୁଲ୍ ରେସିଂର ଆଲେକ୍ଜାଣ୍ଡର ଆଲ୍ବନ୍ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଥିଲେ। ସୂଚନାଯୋଗ୍ୟ, କୋଭିଡ୍-୧୯ ପରେ ଫେରିଥିବା ଫର୍ମୁଲା ୱାନ୍ର ପ୍ରଥମ ରେସ୍ ଅଷ୍ଟ୍ରିଆନ୍ ଗ୍ରାଁ ପ୍ରିକୁ ମର୍ସିଡିଜ୍ର ଭାଲଟ୍ଟେରି ବୋଟ୍ଟାସ ଜିତିଥିଲେ। ତେବେ ରବିବାର ହଙ୍ଗେରିଆନ୍ ଗ୍ରାଁ ପ୍ରି ରେସ୍ ପରେ ବୋଟ୍ଟାସ୍ଙ୍କଠୁ ଗୋଟିଏ ପଏଣ୍ଟ୍ ଆଗରେ ରହି ଚାଳକଙ୍କ ଚାମ୍ପିଅନ୍ସିପ୍ରେ ଶୀର୍ଷକୁ ଲମ୍ଫ ମାରିଛନ୍ତି।