ହାମିଲ୍‌ଟନ୍‌ଙ୍କୁ ବିଶ୍ୱ ମୁକୁଟ:ଭେର୍ଷ୍ଟାପେନ୍‌ ଜିତିଲେ ମେକ୍ସିକାନ୍‌ ଗ୍ରାଁ ପ୍ରି

ମେକ୍ସିକୋ ସିଟି: ବ୍ରିଟେନ୍‌ ଫର୍ମୁଲା ଓ୍ଵାନ୍‌ ଚାଳକ ଲୁଇସ୍‌ ହାମିଲଟନ୍‌ ଅପ୍ରତ୍ୟାଶିତ ତଥା ନାଟକୀୟ ଭାବେ ବିଶ୍ୱ ମୁକୁଟ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ମେକ୍ସିକାନ୍‌ ଗ୍ରାଁ ପ୍ରି ରେସ୍‌ରେ ତାଙ୍କ ଟ୍ରଫି ପ୍ରତିଦ୍ୱନ୍ଦ୍ୱୀ ସେବାଷ୍ଟିଏଭ୍‌ ଭେଟେଲଙ୍କ ସହିତ ପ୍ରଥମ ଲ୍ୟାପ୍‌ରେ ସଂଘର୍ଷ ହେବା ସତ୍ୱେ ସେ ନବମ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ୩୨ ବର୍ଷୀୟ ଏହି ମର୍ସିଡିଜ୍‌ ଚାଳକ ଚତୁର୍ଥ ଥର ବିଶ୍ୱ ମୁକୁଟ ପାଇଛନ୍ତି। ୪ ଥର ବିଜେତା ହେବାରେ ସେ ପ୍ରଥମ ବ୍ରିଟିସ୍‌ ଚାଳକ ହୋଇଛନ୍ତି। ଫେରାରି ତାରକା ସେବାଷ୍ଟିଏନ୍‌ ଭେଟେଲ୍‌ଙ୍କୁ ଏଠାରେ ଟାଇଟଲ୍‌ ଜିତିଥିଲେ ହାମିଲ୍‌ଟନ୍‌ଙ୍କୁ ବିଶ୍ୱ ମୁକୁଟ ଲାଗି ଶୀର୍ଷ ୫ ଭିତରେ ରହିବା ଆବଶ୍ୟକ ଥିଲା। କିନ୍ତୁ ପ୍ରାରମ୍ଭିକ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ନବମ ସ୍ଥାନରେ ରହି ମଧ୍ୟ ହାମିଲଟନ ବିଜେତା ପାଲଟିଥିଲେ। ଭେଟେଲ୍‌ ଚତୁର୍ଥରେ ରହିଥିଲେ।

ପ୍ରଥମ ବ୍ରିିଟିସ୍‌ ଖେଳାଳି ଭାବେ ହାମିଲଟନ୍‌ ୪ ଥର ବିଶ୍ୱ ବିଜେତା ହୋଇ ଜ୍ୟାକି ଷ୍ଟୁଆର୍ଟଙ୍କୁ ପଛରେ ପକାଇଥିଲେ। କିନ୍ତୁ ଭେଟେଲ୍‌ ଓ ଫ୍ରାନ୍‌ସର ଆଲେନ୍‌ ପ୍ରଷ୍ଟଙ୍କ ସମକକ୍ଷ ରହିଲେ। କେବଳ ଜର୍ମାନିର ମାଇକେଲ୍‌ ସୁମାକର ଏବଂ ଆର୍ଜେଣ୍ଟିନାର ଜୁଆନ୍‌ ଫାଙ୍ଗିଓ ଏବେ ଆଗୁଆ ରହିଛନ୍ତି। ସୁମାକର ୭ ଥର ଏବଂ ମାନୁଏଲ୍‌ ୫ ଥର ବିଶ୍ୱ ବିଜେତା ହୋଇଛନ୍ତି। ରବିବାର କ’ଣ ଘଟିଗଲା ମୁଁ ଜାଣି ପାରିଲି ନାହିଁ। ମୁଁ ତାଙ୍କୁ ଢ଼େର ସୁଯୋଗ ଦେଇଥିଲି। କିନ୍ତୁ ୪୦ ସେକେଣ୍ଡ୍‌ ପଛରେ ଥିଲେ ବି ନଛୋଡ଼ବନ୍ଧା ଥିଲି ବୋଲି କହିଥିଲେ ହାମିଲଟନ୍‌। ବିଗତ ୬ ରେସ୍‌ରୁ ୫ଟିରେ ବିଜୟୀ ହାମିଲଟନ୍‌ କିନ୍ତୁ ବିଜୟ ସହିତ ମୁକୁଟ ବିଜେତା ହେବାର ଅଭିଳାଷକୁ ପୁରଣ କରି ନ ପାରି ନିରାଶ ହୋଇଛନ୍ତି। ରେଡ୍‌ବୁଲ୍‌ର ନେଦରଲାଣ୍ଡ୍‌ ଚାଳକ ମ୍ୟାକ୍ସ ଭେର୍ଷ୍ଟାପେନ୍‌ ମେକ୍ସିକାନ୍‌ ଗ୍ରାଁ ପ୍ରି ରେସ୍‌ ଜିତି ନେଇଥିଲେ। ହାମିଲଟନଙ୍କ ମର୍ସିଡିଜ୍‌ ସାଥୀ ଭଲଟେରି ବୋଟ୍ଟାସ୍‌ ଏବଂ ଫେରାରୀର ଫିନଲାଣ୍ଡ୍‌ ତାରକା କିମି ରାଇକୋନେନ୍‌ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟରେ ରହିଥିଲେ। ଅନ୍ୟପକ୍ଷରେ ଦଳଗତ ପ୍ରତିଯୋଗିତା କନ୍‌ଷ୍ଟକ୍ଟର୍ସ ଦୌଡ଼ରେ ମର୍ସିଡିସ୍‌ (୫୯୫) କିନ୍ତୁ ଫେରାରି (୪୫୫) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଚଳିତ ଋତୁର ଆଉ ଦୁଇଟି ରେସ୍‌ ବ୍ରାଜିଲ୍‌ ଓ ଆବୁଧାବି ବାକି ରହିଛି।

ସମ୍ବନ୍ଧିତ ଖବର