ନୂଆଦିଲ୍ଲୀ: ଫର୍ମୁଲା ୱାନ୍‌ର ସବୁଠୁ ସଫଳ ଡ୍ରାଇଭର୍‌ ଲୁଇସ ହାମିଲଟନ୍‌ ନିଜ ଦଳ ଫେରାରି ଛାଡ଼ିବା ନେଇ ଚର୍ଚ୍ଚା ଚାଲିଛି। ଚଳିତ ମାସ ପ୍ରଥମ ସପ୍ତାହାନ୍ତରେ ହୋଇଥିବା ହଙ୍ଗେରିଆନ୍‌ ଓପନ୍‌ରେ ସେ ଦ୍ବାଦଶ ସ୍ଥାନରେ ରହିଥିଲେ। ଏହାପରେ ସେ ଚଳିତ ମାସରେ କିଛି ଦିନ ବିରତି ନେଇ ପ୍ରତିଯୋଗିତାଠୁ ‌ଦୂରେଇ ରହିବାକୁ ଚିନ୍ତା କରିଛନ୍ତି। ହଙ୍ଗେରିରେ ଦ୍ବାଦଶ ସ୍ଥାନରେ ରହିବା ପରେ ସେ କହିଛନ୍ତି, ‘‘ବହୁତ ଖରାପ, ଭାବୁଛି ମୋ ସ୍ଥାନରେ ଫେରାରି ଆଉ କାହାକୁ ନେଇପାରେ’’। 

Advertisment

ଏହି ବାର୍ତ୍ତା ତାଙ୍କ ଫେରାରି ଛାଡ଼ିବା ଚର୍ଚ୍ଚାକୁ ଜୋର୍‌ କରିଛି। ୭ ଥରର ବିଶ୍ବବିଜେତା ଏବଂ ରେକର୍ଡ ୧୦୫ ବିଜୟ ପାଇଥିବା ଏହି ଇଂଲିସ୍‌ ଡ୍ରାଇଭର୍‌ ୧୪ ରେସ୍‌ରେ ପୋଡିୟମ୍‌ ଫିନିସ୍‌ କରିବାରେ ବିଫଳ ହୋଇଛନ୍ତି। ଗତ ଜୁନ୍‌ରେ କାନାଡ଼ାରେ ସେ ଫେରାରି ସହ ବହୁଦିନ ରହିବେ  ବୋଲି ସାମ୍ବାଦିକମାନଙ୍କୁ କହିଥିଲେ। ସେ କହିଥିଲେ, ‘‘ରେସିଂ ପ୍ରତି ଆଗ୍ରହ ନଥିବା ନେଇ ସ‌ମସ୍ତେ ମୋ ବିଷୟରେ ଲେଖୁଛନ୍ତି। ମୁଁ ଏବେ ଫେରାରି ସହ ଆରମ୍ଭ କରିଛି। ଫେରାରି ଦଳ ପାଇଁ ମୁଁ କ’ଣ କରିପାରିବି? ସେଭଳି ପ୍ରଶ୍ନ ସଂପ୍ରତି ମୋ ମନରେ ନାହିଁ। ତେଣୁ ଏଥିରେ କିଛି ସନ୍ଦେହ ନାହିଁ। ଏଭଳି ଚର୍ଚ୍ଚା ବନ୍ଦ କରନ୍ତୁ’’। ସୂଚନାଯୋଗ୍ୟ ‌ଯେ ହାମିଲଟନ୍‌ ଗତ ବର୍ଷ ମର୍ସିଡିଜ୍‌ ସହ ସମ୍ପର୍କ ତୁଟାଇ ଫେରାରିରେ ଚଳିତ ବର୍ଷ ଯୋଗ ଦେଇଥିଲେ।