ସ୍ପେନ୍‌ରେ ବି ହାମିଲଟନ୍‌ ସଫଳ

ବାର୍ସେଲୋନା: ଫର୍ମୁଲା ଓ୍ଵାନ୍‌ ସର୍କିଟରେ ମର୍ସିଡିସ୍‌ ଦଳର ବ୍ରିଟିସ୍‌ ଚାଳକ ଲୁଇସ୍‌ ହାମିଲଟନଙ୍କ ବିଜୟ ଧାରା ଜାରି ରହିଛି। ଗତ ସପ୍ତାହରେ ଆଜରବାଇଜନ ଗ୍ରାଁ ପ୍ରି ଜିତିଥିବା ହାମିଲଟନ ରବିବାର ରାତିରେ ଆୟୋଜିତ ସ୍ପାନିସ୍‌ ଗ୍ରାଁ ପ୍ରିରେ ମଧ୍ୟ ବିଜୟ ଧ୍ୱଜା ଉଡ଼ାଇଛନ୍ତି। ତାଙ୍କ ସାଥୀ ଚାଳକ ଭାଲଟେରି ବୋତାସ ଏଠାରେ ଦ୍ୱିତୀୟ ସ୍ଥାନରେ ରହିବା ପରେ ମର୍ସିଡିଜ୍‌ ଓ୍ଵାନ୍‌-ଟୁ ଫିନିସ୍‌ ପାଇଛି। ହାମିଲଟନଙ୍କ ଚିର ପ୍ରତିଦ୍ୱନ୍ଦ୍ୱୀ ସେବାସ୍ତିଆନ୍‌ ଭେଟେଲ କିନ୍ତୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଛନ୍ତି। ଶେଷ କିଛି ଲ୍ୟାପ୍‌ରେ ଭଲ ପ୍ରଦର୍ଶନ କରି ରେଡ୍‌ ବୁଲର ମ୍ୟାକ୍ସ ଭର୍ଷ୍ଟାପେନ୍‌ ତାଙ୍କୁ ପଛରେ ପକାଇ ତୃତୀୟ ସ୍ଥାନ ଅଧିକାର କରି ନେଇଥିଲେ। ଏହି ବିଜୟ ପରେ ହାମିଲଟନ୍‌ (୯୫) ଏବେ ଚାଳକ ପଏଣ୍ଟ ତାଲିକାରେ ଭେଟେଲ (୭୮)ଙ୍କଠାରୁ ପୂରା ୧୭ ପଏଣ୍ଟ ଆଗରେ ରହିଛନ୍ତି। ଫୋର୍ସ ଇଣ୍ଡିଆର ଦୁଇ ଚାଳକ ରେସ୍‌ ଶେଷ କରି ନ ପାରି ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହିବାର ସୁଯୋଗ ହରାଇଥିଲେ। ଅନ୍ୟ ପକ୍ଷରେ ହାମିଲଟନ ବାର୍ସେଲୋନା ସର୍କିଟରେ ତୃତୀୟ, ଚଳିତ ଋତୁର ଦ୍ୱିତୀୟ ଏବଂ ଖେଳ ଜୀବନର ୬୪ତମ ବିଜୟ ହାସଲ କରିଥିଲେ।

ସମ୍ବନ୍ଧିତ ଖବର