ହାମିଲଟନ ଜିତିଲେ ଜାପାନିଜ୍ ଗ୍ରାଁ ପ୍ରି

ସୁଜୁକା: ଫର୍ମୁଲା ୱାନ୍ ସର୍କିଟ୍‌ରେ ବ୍ରିଟିସ୍ ଚାଳକ ଲୁଇସ୍ ହାମିଲଟନଙ୍କ ବିଜୟ ଧାରା ଜାରି ରହିଛି। ଦେଢ଼ ସପ୍ତାହ ତଳେ ରସିଆନ୍ ଗ୍ରାଁ ପ୍ରି ଜିତିଥିବା ହାମିଲଟନ୍ ରବିବାର ଜାପାନିଜ୍ ଗ୍ରାଁ ପ୍ରିରେ ମଧ୍ୟ ଏହି ସଫଳତା ‌େଦାହରାଇଛନ୍ତି। ରସିଆନ୍ ଗ୍ରାଁ ପ୍ରି ଭଳି ଏଠାରେ ମଧ୍ୟ ଦଳଗତ ଭାବେ ମର୍ସିଡିଜ୍ ଦଳ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହି ୱାନ୍-ଟୁ ଫିନିସ୍ ପାଇଛି। ହାମିଲଟନ୍ ପ୍ରଥମ ସ୍ଥାନରେ ରହିଥିଲା ବେଳେ ତାଙ୍କ ସାଥୀ ଚାଳକ ଭାଲେଟ୍ରି ବୋଟାସ ଦ୍ବିତୀୟ ସ୍ଥାନରେ ରହିଥିଲେ। ରେଡ୍‌ବୁଲର ମ୍ୟାକ୍ସ ଭର୍ସଷ୍ଟାପେନ୍ ପାଞ୍ଚ ସେକେଣ୍ଡର ପେନାଲ୍ଟି ପାଇବା ସତ୍ତ୍ବେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ହାମିଲଟନଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ସେବାସ୍ତିଆନ୍ ଭେଟେଲଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ରବିବାରର ବିଜୟ ସହ ହାମିଲଟନ୍ ଚଳିତବର୍ଷ ଚାଳକ ଚାମ୍ପିଅନସିପ୍ ଜିତିବାର ନିକଟତର ହୋଇଛନ୍ତି। ଭେଟେଲ ଏବଂ ତାଙ୍କ ଭିତରେ ଥିବା ପଏଣ୍ଟ ପାର୍ଥକ୍ୟ ୬୭କୁ ବଢ଼ିଛି। ଚଳିତ ଋତୁର ୧୭ ରେସ୍ ପରେ ହାମିଲଟନ୍ ୩୩୧ ଏବଂ ଭେଟେଲ ୨୬୪ ପଏଣ୍ଟରେ ଅଛନ୍ତି। ଆଉ ମାତ୍ର ଚାରିଟ୍ ରେସ୍ ବାକି ଥିବାରୁ ହାମିଲଟନଙ୍କୁ ଭେଟେଲ ପ୍ରଥମ ସ୍ଥାନରୁ ହଟାଇବାର ଆଶା କମ୍ ରହିଛି। ଆଜିର ବିଜୟ ହାମିଲଟନଙ୍କ ୭୧ତମ ବିଜୟ ଥିଲା।

ସମ୍ବନ୍ଧିତ ଖବର