ଟିଟେଙ୍କ ଅଧୀନରେ ବ୍ରାଜିଲ ଦଳର ଏକପ୍ରକାର ପୁନଃଜନ୍ମ ହୋଇଛି। ଦୁଇ ବର୍ଷ ତଳେ ସେ ପ୍ରବନ୍ଧକ ନିଯୁକ୍ତ ହେବା ପରଠାରୁ ଆମ ଦକ୍ଷିଣ ଆମେରିକୀୟ ପଡ଼ୋଶୀ ୨୧ରୁ ୧୭ ମ୍ୟାଚ୍ ଜିତି ପାରିଛି। କେବଳ ଗୋଟିଏ ମ୍ୟାଚ୍ ହାରିଛି। ୪୭ ଗୋଲ୍ ଦେବା ଏବଂ ମାତ୍ର ୫ ଗୋଲ୍ ବରଣ କଥାକୁ ଯଦି ବିଚାରକୁ ନିଆଯାଏ ତାହାଲେ ଏହାକୁ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନର ଆଖା ମିଳିବ। ସେମାନେ ନିକଟରେ ଖେଳିଥିବା ରୁଷିଆ, ଜର୍ମାନି ଓ କ୍ରୋଏସିଆ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍କୁ ଜିତିଛନ୍ତି। ଜର୍ମାନି ସଂରକ୍ଷିତ ଖେଳାଳିଙ୍କୁ ପରୀକ୍ଷା ନୀରିକ୍ଷା କରିଥିଲେ ମଧ୍ୟ ବ୍ରାଜିଲ ଅତି ଉଚ୍ଚକୋଟୀର ଖେଳ ଖେଳିଥିଲା। ହେଲେ ଗ୍ରୁପ୍-ଇରେ ସ୍ୱିଜରଲାଣ୍ଡ, ସର୍ବିଆ ଏବଂ କୋଷ୍ଟାରିକା ଭଳି ଦଳ ଥିବାରୁ ବ୍ରାଜିଲକୁ କଠୋର ପରୀକ୍ଷା ଅପେକ୍ଷା କରିରହିିଛି। ଅଭିଜ୍ଞତା କହେ ଯେ ବୃହତ୍ ପ୍ରତିଯୋଗିତାଗୁଡ଼ିକରେ ୟୁରୋପୀୟ ଦଳକୁ ଧରାଶାୟୀ କରିବା ସେତେଟା ସହଜ ନୁହେଁ। ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ ଅବଶ୍ୟ ଉତ୍କଷ୍ଟ ବୈଷୟିକ ଶୈଳୀ କିମ୍ବା କୌଶଳ ନାହିଁ। ହେଲେ ସୁବ୍ୟବସ୍ଥିତ ଏବଂ ଶୃଙ୍ଖଳିତ ଖେଳରେ ସେମାନେ ଏହି ଦୁର୍ବଳତାକୁ ଭରଣା କରି ନେଉଛନ୍ତି। ସତ କହିବାକୁ ଗଲେ ଧୈର୍ଯ୍ୟ ଓ ଅପେକ୍ଷା ହିଁ ସେମାନଙ୍କର ପ୍ରମୁଖ ଶକ୍ତି ବୋଲି ମୁଁ କହିବି। ସ୍ୱିଜରଲାଣ୍ଡ ଏହାର ବଳିଷ୍ଠ ଉଦାହରଣ। ବୋସ୍ନିଆର କୁଶଳୀ ପ୍ରଶିକ୍ଷକ ଭ୍ଲାଦିମିର ପେତକୋଭିକଙ୍କ ୪-୨-୩-୧ ରଣନୀତିରେ ସେମାନେ ବିଶ୍ୱମାନ୍ୟତାର ଷଷ୍ଠ ସ୍ଥାନକୁ ଉଠି ପାରିଛନ୍ତି। ସେପଟେ ବ୍ରାଜିଲ ବିଶ୍ୱକପ୍ ଅଭିଯାନ ୪-୩-୩ରେ ଆରମ୍ଭ କରିବ ବୋଲି ମୋର ବିଶ୍ୱାସ। ନେମାର ଓ କୁଟିନୋ ଅକ୍ରମଣ କରିବେ। ଜିସସ୍ ଓ ଫିର୍ମିନୋ ବାକ୍ସ ଭିତରେ ରହି ଗୋଲ୍ ଦେବାକୁ ଚେଷ୍ଟା କରିବେ। ଆଘାତ ସମସ୍ୟାରୁ ମୁକୁଳିବା ପରେ ନେମାର ଏବେ ଭଲ ଫର୍ମରେ ଅଛନ୍ତି। ହେଲେ ପ୍ରତିପକ୍ଷ ଟିକିଏ କଣ କହିଦେଲେ ଅନେକ ସମୟରେ ସେ ଉତ୍କ୍ଷିପ୍ତ ହୋଇ ଯାଉଥିବାରୁ ତାଙ୍କୁ ନିଜ ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ଟିଟେଙ୍କ ଅଧୀନରେ ବ୍ରାଜିଲ ତା’ର ଦୁର୍ବଳତାକୁ ଅନେକାଂଶରେ ଦୂର କରିଛି। କେନ୍ଦ୍ରୀୟ ରକ୍ଷଣଭାଗରେ ଥିଏଗୋ ସିଲଭା ଓ ମାର୍କିନୋ ଭଲ କରୁଛନ୍ତି। ମିରଣ୍ଡା ଓ ମାର୍ସେଲୋ ବି କିଛି କମ୍ ନୁହନ୍ତି। ତେବେ ଡାନି ଆଲଭେସ୍ ଆହତ ଥିବାରୁ ଏହି ଦଳର ଏକମାତ୍ର ଦୁର୍ବଳତା ହେଉଛି ରାଇଟ୍ ବ୍ୟାକ୍। ସ୍ୱିଜରଲାଣ୍ଡ ବି ବ୍ରାଜିଲ ଦକ୍ଷତା ଓ ଦୁର୍ବଳତାକୁ ଭଲ ଭାବରେ ଜାଣିଥିବ। ଏହି ଦଳ ମଧ୍ୟ ତାର ଗତ ୧୭ ମ୍ୟାଚ୍ରୁ ମାତ୍ର ଗୋଟିଏରେ ପରାଜିତ ହୋଇଛି। ସେମାନେ ବ୍ରାଜିଲକୁ ସ୍ଥାନ ପାଇଁ ଶୋଷିଲା କରିଦେବେ ବୋଲି ମୋର ବିଶ୍ୱାସ। ବେହରାମି, ଖାକା, ପେତକୋଭିକ, ସାକିରି ସମସ୍ତେ ବ୍ରାଜିଲ ପାଇଁ ସମସ୍ୟା ସୃଷ୍ଟି କରିବେ। ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ କୌଣସି ଦଳ ପାଇଁ ସହଜ ହୋଇ ନଥାଏ। ହେଲେ ରବିବାର ବ୍ରାଜିଲର ପଲ୍ଲା ଅପେକ୍ଷାକୃତ ଭାରି ରହିବ।
ନେମାରଙ୍କୁ ନିଜ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ
ହ୍ୟାଣ୍ଡ୍ ଅଫ୍ ଗଡ୍ ଡିଏଗୋ ମାରାଡୋନା
/sambad/media/post_attachments/wp-content/uploads/2018/06/13-Maradona.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)