ଦକ୍ଷିଣ ଆମେରିକା ପରୀକ୍ଷା

ହ୍ୟାଣ୍ଡ୍‌ ଅଫ୍‌ ଗଡ୍‌ ଡିଏଗୋ ମାରାଡୋନା

କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟର ପ୍ରଥମ ରାତି ଦକ୍ଷିଣ ଆମେରିକୀୟ ଅଭିଯାନକୁ ଜୀବିତ ରଖିବାର ଆହ୍ଵାନ ନେଇ ଆସିବ। ୟୁରୋପୀୟ ଶକ୍ତି ବେଲଜିୟମ ଏବଂ ଫ୍ରାନ୍ସକୁ ଭେଟିବା ଉଭୟ ବ୍ରାଜିଲ ଓ ଉରୁଗୁଏ ପାଇଁ କଷ୍ଟକର ବ୍ୟାପାର ହେବ। ଅନ୍ୟ କେତେକ କାରକ ସହ ଏହି ଦୁଇ ମ୍ୟାଚ୍‌ରେ ଦୁଇ ଜଣ ଯାକ ନିଜ ନିଜର ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିକୁ ବି ଅନୁଭବ କରିବେ। ଲଗାତାର ଦୁଇଟି ହଳଦିଆ କାର୍ଡ ପାଇଥିବାରୁ ବ୍ରାଜିଲର ଦକ୍ଷ ରକ୍ଷଣଭାଗ ଖେଳାଳି କାସେମିରୋ ବେଲଜିୟମ ବିପକ୍ଷରେ ଖେଳି ପରିବେ ନାହିଁ। ଏଡିନସନ୍‌ କାଭାନି ଆଘାତ ସମସ୍ୟାରୁ ମୁକୁଳିପାରି ନଥିବାରୁ ଉରୁଗୁଏ ତାଙ୍କ ବିନା ପଡ଼ିଆକୁ ଓହ୍ଲାଇବାକୁ ବାଧ୍ୟ ହେବ। ଯାହା ମୋ ପଡ଼ୋଶୀ ବ୍ରାଜିଲ ସହ ଉରୁଗୁଏ ପାଇଁ ଚିନ୍ତାର କାରଣ ହେବ। ଗତ ବିଶ୍ୱକପ୍‌ ଅପେକ୍ଷା ଚଳିତ ଥରର ବ୍ରାଜିଲ ଦଳ ନିଶ୍ଚିତ ଭାବେ ଅଧିକ ଶକ୍ତିଶାଳୀ। ନେମାର ଓ କୁଟିନୋଙ୍କ ସହ ଓ୍ଵିଲିଆନ୍‌ ମଧ୍ୟ ଭଲ କରୁଛନ୍ତି। ଏହି ଦଳର ରକ୍ଷଣଭାଗ ମୋତେ ସବୁଠାରୁ ବେଶୀ ପ୍ରଭାବିତ କରିଛି। ସେମାନେ ଗତ ତିନିିଟି ମ୍ୟାଚ୍‌ରେ ଗୋଟିଏ ହେଲେ ବି ଗୋଲ୍‌ ବରଣ କରି ନାହାନ୍ତି। ସେପଟେ ଚାରିଟି ଲଗାତାର ବିଜୟ ସହ ବେଲଜିୟମ ତାର ଦକ୍ଷତାର ପ୍ରମାଣ ଦେଇ ସାରିଛି। ଜାପାନ ବିପକ୍ଷରେ ୦-୨ରେ ପଛୁଆ ଥାଇ ମଧ୍ୟ ସେମାନେ ଶେଷ କ୍ଷଣରେ ବିଜୟ ଛଡ଼ାଇ ନେଇଥିଲେ। ଇଡେନ୍‌ ହାଜାର୍ଡ, କେଭିନ ଡି’ ବ୍ରୁନ ଏବଂ ବିପଜ୍ଜନକ ଅଗ୍ରଭାଗ ଖେଳାଳି ରୋମେଲୁ ଲୋକାକୁ ପ୍ରତିପକ୍ଷକୁ ଧରାଶାୟୀ କରିବାରେ ପୂରା ଓସ୍ତାଦ। ଦୃଢ଼ ମାନସିକ ଦକ୍ଷତା ମଧ୍ୟ ସେମାନଙ୍କର ଆଉ ଏକ ଶକ୍ତିଶାଳୀ ଦିଗ। ଅନ୍ୟ କ୍ୱାର୍ଟର ଫାଇନାଲ୍‌ଟି ମସ୍କୋ ବିଶ୍ୱକପର ବଡ଼ ବଡ଼ ତାରକାଙ୍କୁ ବିଦାୟର ରାସ୍ତା ଦେଖାଇଥିବା ଦୁଇ ଦଳ ମଧ୍ୟରେ ଖେଳାଯିବ। ଫ୍ରାନ୍ସ ଲିଓନେଲ୍‌ ମେସିଙ୍କ ଆର୍ଜେଣ୍ଟିନା ଏବଂ ଉରୁଗୁଏ କ୍ରିଷ୍ଟିଆନ୍‌ ରୋନାଲଡୋଙ୍କ ପର୍ତୁଗାଲକୁ ପାଣି ପିଆଇ ଆଗକୁ ବଢ଼ିଛନ୍ତି। ଶକ୍ତିଶାଳୀ ମଧ୍ୟଭାଗ ଏବଂ ଆକ୍ରମଣ ପାଇଁ ଫ୍ରାନ୍ସ ଏକ ବିପଜ୍ଜନକ ଦଳ। ସେପଟେ ଉରୁଗୁଏର ଅଗ୍ରଭାଗ ଖେଳାଳିମାନେ ଛୋଟ ସୁଯୋଗରୁ ବଡ଼ ଫାଇଦା ଉଠାଇବାରେ ପୂରା ସିଦ୍ଧହସ୍ତ। କାଭାନି ଉପଲବ୍ଧ ନହେବା କିନ୍ତୁ ଉରୁଗୁଏ ପାଇଁ ଖରାପ ଖବର। ତାଙ୍କ ବିନା ଉରୁଗୁଏ ଅଗ୍ରଭାଗ ନିଶ୍ଚିତ ଭାବେ ଦୁର୍ଭଳ ହୋଇଯିବ। ଫ୍ରାନ୍ସର ଅସଲ ଶକ୍ତି ହେଉଛି ମଧ୍ୟଭାଗ। କିଲିଆନ୍‌ ଏମ୍‌ବାପେଙ୍କ ଅଭ୍ୟୁଦୟ ମୋତେ ଅନନ୍ଦିତ କରିଛି। ଦ୍ରୁତ ଗତି ଏବଂ ଖାଲି ସ୍ଥାନର ଲାଭ ଉଠାଇ ସେ ଆର୍ଜେଣ୍ଟିନା ଉପରେ ବିଧ୍ୱଂସକାରୀ ପ୍ରଭାବ ପକାଇଥିଲେ। ଉରୁଗୁଏ ବିପକ୍ଷରେ ସମ୍ଭବତଃ ସେ ସେହି ସୁଯୋଗ ପାଇବେ ନାହିଁ। ତୁଳନାତ୍ମକ ଭାବେ ଫ୍ରାନ୍ସ ପଲ୍ଲା କିନ୍ତୁ ଟିକିଏ ଭାରି ରହିବ। ହେଲେ ଉରୁଗୁଏ ସେମାନଙ୍କ ଜୀବନକୁ ଯେ କଷ୍ଟକର କରିଦେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର