ବିଶ୍ୱକପ୍‌ରେ କୌଣସି ଦଳର ପ୍ରଥମ ମ୍ୟାଚ୍‌ରେ କିଛି ନା କିଛି ଥାଏ। ତୁମେ କେତେ ପ୍ରସ୍ତୁତ ଓ ଦୃଢ଼ ତାହାର କିଛି ମାନେ ନଥାଏ। ପଡ଼ିଆ, ପ୍ରଶଂସକ ଏବଂ ପରିବେଶ ସହିତ ଅପରିଚିତକୁ ଛାଡ଼ିଦେଲେ ମ୍ୟାଚ୍‌କୁ ଭିନ୍ନ କରିବା ଲାଗି ନିଶ୍ଚିତ ଚାପ ରହିଥାଏ। ମୁଁ ନିଶ୍ଚିତ ଆପଣ ୧୯୯୦ ମସିହାର ଆର୍ଜେଣ୍ଟିନା-କାମେରୁନ୍‌ ମ୍ୟାଚ୍‌ କଥାକୁ କହିବେ। କିନ୍ତୁ ପରବର୍ତୀ ସଂସ୍କରଣଗୁଡ଼ିକ ଦେଖିଲେ ମଧ୍ୟ ଉଦ୍‌ଘାଟନୀ ମ୍ୟାଚ୍‌ରେ ହେଭିେଓ୍ଵଟ୍‌ ଦଳ ହାରିବାର ନଜିର ରହିଛି। ଦଳ ମଧ୍ୟରେ ବଡ଼ ଫରକ ନ ଥିଲେ ଆଗୁଆ ଲୟକୁ ଫେରିବା ଏବଂ ପ୍ରତିପକ୍ଷଙ୍କୁ ରଙ୍ଗହୀନ କରିଦେବା ବଡ଼ କଥା। ସେହି ଦୃଷ୍ଟିରୁ ଦେଖିଲେ ଛୋଟ ଦଳ ହାରିଗଲେ ଆଶ୍ଚର୍ଯ୍ୟ ହେବାରେ କିଛି ନ ଥାଏ। ରୁଷିଆରେ ଦକ୍ଷିଣ ଆମେରିକୀୟ ଦଳଗୁଡ଼ିକ ପାଇଁ ଭଲ ପ୍ରଦର୍ଶନ କରିବା ଏତେ ସହଜ ହେବ ନାହିଁ। ଆର୍ଜେଣ୍ଟିନା ଭେଟିବ ଆଇସଲାଣ୍ଡ୍‌କୁ। ଆର୍ଜେଣ୍ଟିନା ଦଳରେ ଲିଓନେଲ୍‌ ମେସି ଥିଲେ ବି ୟୁରୋପୀୟ ଦଳକୁ ହରାଇବା କଷ୍ଟକର। ବ୍ରାଜିଲ୍‌ ଏବଂ ପେରୁ ଭଳି ଦଳ ମଧ୍ୟ ସମାନ ପରୀକ୍ଷାରେ ପଡ଼ିବେ ଯଥାକ୍ରମେ ସ୍ୱିଜରଲାଣ୍ଡ୍‌ ଓ ଡେନମାର୍କ ବିପକ୍ଷରେ। ଇଜିପ୍ଟ ବିପକ୍ଷରେ ଉରୁଗୁଏ ଟପ୍‌ ଗିୟର୍‌ ପକାଇ ଦେଇଛି। କିନ୍ତୁ ଜାପାନ ବିପକ୍ଷ ମୁକାବିଲା କଲମ୍ବିଆ ପାଇଁ ସହଜ ହେବ ବୋଲି ବିଶ୍ୱାସ ହେଉଛି।
ଯୋଗ୍ୟତା ପର୍ଯ୍ୟାୟରେ ଆର୍ଜେଣ୍ଟିନା ଯେଭଳି ଖେଳିଛି ମୁଁ ସେଥିରେ ଖୁସି ନୁହେଁ। ଲିଓଙ୍କ (ମେସି)ଙ୍କ ଚମତ୍କାରିତା ପାଇଁ ଏହି ଦଳ ଯୋଗ୍ୟତା ଅର୍ଜନ କରିଛି। ରକ୍ଷଣଭାଗ କୁହନ୍ତୁ କି ପୁରୋଭାଗ ଦଳ ଅସଂଗଠିତ ଥିଲା। ୨୦୧୪ ମସିହା ଦଳ ତୁଳନାତ୍ମକ ଭାବେ ଅଧିକ ସଂଗଠିତ ଥିଲା। ନକ୍‌ ଆଉଟ୍‌ ପର୍ଯ୍ୟାୟରେ ଦେଶ ୪ ୟୁରୋପୀୟ ଦଳ ବିପକ୍ଷରେ ମାତ୍ର ଗୋଟିଏ ଗୋଲ୍‌ ବରଣ କରିଥିଲା। ଜର୍ଜ ସାମ୍ପୋଲିଙ୍କ ଦଳ ମଧ୍ୟ ସେତେ ବଂଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ସୁଯୋଗ ପାଇନାହିଁ। ସେହି ଦୃଷ୍ଟିରୁ ଦେଖିଲେ ପ୍ରଶିକ୍ଷକଙ୍କୁ ତୁରନ୍ତ ଦଳକୁ ସଂଗଠିତ କରିନେବାକୁ ପଡ଼ିବ। ସେଥର ସାମ୍ପୋଲିଙ୍କ ଅଧିନରେ ଚିଲି ଅଧିକ ସଂଗଠିତ ଥିଲା ଏବଂ ଆଶା ସଞ୍ଚାର କରିଥିଲା। ତାଙ୍କୁ ଜଣାଥିଲା ରକ୍ଷଣଭାଗରେ ଶୃଙ୍ଖଳା କେତେ ଗୁରୁତ୍ୱପୂର୍ଣ୍ଣ। ମଧ୍ୟଭାଗ ସହ ଯୋଡ଼ିବା ମଧ୍ୟ ସେ ଜାଣିଥିଲେ। ୨୦୧୪ ମସିହାରେ ମଧ୍ୟ ଜାଭିଏର ମାସ୍କେରାନୋ ଏହି ବିଭାଗରେ ଚମତ୍କାର ନାୟକ ଥିଲେ। ସେ ଦଳରେ ଥିଲେ ବି ସମାନ ଶକ୍ତି ଓ ସାମର୍ଥ୍ୟରେ ନାହାନ୍ତି। ବରଂ ନିକୋଲାସ୍‌ ଓଟୋମେଣ୍ଡିଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ଦଳର ସମସ୍ତ ରକ୍ଷଣଭାଗ ଖେଳାଳି ଶୀର୍ଷସ୍ତରୀୟ ୟୁରୋପୀୟ ଲିଗ୍‌ରେ ଖେଳିଛନ୍ତି, ତାଙ୍କୁ ଜଣା କ’ଣ କରିବା ଆବଶ୍ୟକ। ନିଜକୁ ପ୍ରୟୋଗ କରିବା ଏବଂ ସଙ୍କଳ୍ପବଦ୍ଧତା ଅତି ଜରୁରି। କାରଣ ଦଳକୁ ଆଇସଲାଣ୍ଡ୍‌, କ୍ରୋଏସିଆ ଏବଂ ନାଇଜେରିଆକୁ ନେଇ ଗଠିତ କଷ୍ଟକର ଗ୍ରୁପ୍‌ରେ ସ୍ଥାନ ମିଳିଛି।

Advertisment

ଆଇସଲାଣ୍ଡ୍‌ ଏକ ଛୋଟ ଦେଶ ଏବଂ ନିଜର ପ୍ରଥମ ବିଶ୍ୱକପ୍‌ ଖେଳିବ ସତ। କିନ୍ତୁ ଏହି ଦେଶକୁ ହାଲ୍‌କାରେ ନେବା ବୋକାମି ହେବ। ଦୁଇ ବର୍ଷ ତଳେ ୟୁରୋ ପଦାର୍ପଣରେ ଏହି ଦେଶ କ୍ୱାର୍ଟରଫାଇନାଲ୍‌ ପହଞ୍ଚିଯାଇଥିଲା। ଏହି ସ୍ତରରେ ଖେଳିବା ଲାଗି ସେମାନଙ୍କ ନିକଟରେ ସମସ୍ତ ପ୍ରକାର କୌଶଳ ଓ କୁଶଳି ଅଛନ୍ତି। ଦକ୍ଷତାରେ କମି ଥିବା ଅନୁଭବ ହେଉଛି। ଶକ୍ତିଶାଳୀ ଦଳ ବିପକ୍ଷରେ ନିଜ ଅର୍ଧେକକୁ ଗହଳିପୂର୍ଣ୍ଣ କରିବାରେ ସମାନଙ୍କୁ ସ୍ୱତନ୍ତ୍ର ପ୍ରୟୋଗାତ୍ମକ ଫୁଟ୍‌ବଲ୍‌ ଖେଳିବାକୁ ପଡ଼ିବ। ଏହା ଏକ ଫଳପ୍ରଦ କୌଶଳ ହୋଇଥିଲେ ବି ଆର୍ଜେଣ୍ଟିନା ବିପକ୍ଷରେ ଗୋଲ୍‌ ସ୍କୋର୍‌ କରିବା କଷ୍ଟକର। ଆଇସଲାଣ୍ଡକୁ ଆଗୁଆ ଗୋଲ୍‌ ଦେଇ ପ୍ରତିପକ୍ଷଙ୍କୁ ପ୍ରଥମରୁ ଚାପରେ ପକାଇବା ଏବଂ ଆତ୍ମବିଶ୍ୱାସରେ ରହିବା ଠିକ୍‌ ହେବ। ଆର୍ଜେଣ୍ଟିନା କ’ଣ କରିପାରିବ ସେଥି ପାଇଁ ମୁଁ ଆକଳନ କରିବାରେ ବିଶ୍ୱାସ ରଖୁନାହିଁ। ଲିଓନେଲ୍‌ ମେସିଙ୍କୁ ନିଜ ମହାନତା ପ୍ରମାଣ ଲାଗି ଏହି ଟ୍ରଫି ଜିତିବାର ମଧ୍ୟ ଆବଶ୍ୟକତା ନାହିଁ। ତଥାପି ସେ ଏହା ଜିତିବାକୁ ବ୍ୟଗ୍ର। ଏହା ଦଳ ପାଇଁ ସବୁଠାରୁ ବଡ଼ ଫାଇଦା। ତାଙ୍କ ଶାରୀରିକ ଭାଷା ସକରାତ୍ମକ ରହିଛି ଏବଂ ଅନ୍ୟ ସମସ୍ତେ ମ୍ୟାଚ୍‌କୁ କିଛି କ୍ଷଣରେ ମୋଡ଼ିଦେବାରେ ସକ୍ଷମ। ବିଶ୍ୱକପ୍‌ ଜିତିବାର ଅନୁଭବକୁ ବର୍ଣ୍ଣନା କରିବା କଷ୍ଟକର କଥା। କିନ୍ତୁ ମୁଁ ଚାହୁଁଛି ଲିଓ ଏଭଳି ଅଭିଜ୍ଞତା ପାଆନ୍ତୁ। ନିଜକୁ ପ୍ରବର୍ତାଇବାରେ ସେ ଦକ୍ଷ ଥିବାରୁ ପ୍ରତିପକ୍ଷକୁ କଳ୍ପନା ବାହାରକୁ ନେଇଯାଇପାରନ୍ତି। ୨୦୧୪ ମସିହା କଥା କୁହନ୍ତୁ କିମ୍ବା ଏଥରର ଯୋଗ୍ୟତା ପର୍ଯ୍ୟାୟ। ଅଗ୍ରଭାଗ ଖେଳାଳି କ୍ୱଚିତ୍‌ ଗୋଲ୍‌ ଦେଉଥିଲେ। ଏଥର କିନ୍ତୁ ଲିଓ ମାରାତ୍ମମ ରହିବେ, ସେ ପଡ଼ିଆରେ ଥିବା ପର୍ଯ୍ୟନ୍ତ ଆର୍ଜେଣ୍ଟିନା କିଛି ବି କରିପାରେ। କିନ୍ତୁ ମୁଁ ଯେଭଳି କହିଥାଏ, ତାଙ୍କୁ ସମର୍ଥନର ଆବଶ୍ୟକତା ରହିଛି।