ପ୍ରତି ମ୍ୟାଚ୍‌ରେ ପ୍ରମାଣ କରିବାକୁ କିଛି ଥାଏ

ହ୍ୟାଣ୍ଡ୍‌ ଅଫ୍‌ ଗଡ୍‌ ଡିଏଗୋ ମାରାଡୋନା

ତୃତୀୟ ସ୍ଥାନ ପାଇଁ ହେଉଥିବା ମୁକାବିଲା ସ୍ୱଳ୍ପ ଆଗ୍ରହ ସୃଷ୍ଟି କରିଥାଏ। ସମଗ୍ର ବିଶ୍ୱ ଏହାର ଦିନକ ପର ମୁକାବିଲା ଉପରେ ନଜର ପକାଇଛନ୍ତି। କିନ୍ତୁ ଶନିବାର ଇଂଲଣ୍ଡ ଓ ବେଲ୍‌ଜିୟମ୍‌ ମୁକାବିଲା ଦେଖିବାକୁ ସେଣ୍ଟ ପିଟରସବର୍ଗ ଆସୁଥିବା ପ୍ରଶଂସକଙ୍କ ପାଇଁ କିଛି କମ ରୋମାଞ୍ଚ ନାହିଁ।
ତଥାପି ଏହା ଭଲ ସମୟ ଯେ, ସେମାନେ କାହିଁକି ସେମିଫାଇନାଲ୍‌ ବାଧା ଟପି ପାରିଲେ ନାହିଁ ନିଜକୁ ପରଖି ପାରିବେ। ବେଲ୍‌ଜିୟମ୍‌ ଶ୍ରେଷ୍ଠ ପ୍ରୟାସ କରିଥିଲା, କିନ୍ତୁ ଫ୍ରାନ୍‌ସ ଗୋଲ୍‌ ଆଗରେ କୌଣସି ସୁଯୋଗ ରଖିନଥିଲା। ସେମାନେ ବହୁ ଆକ୍ରମଣ କରିଥିଲେ, ଅଗ୍ରଭାଗ ଭଲ ଆଗେଇଥିଲେ କିନ୍ତୁ ଠିକଣା ସମୟରେ ଅଟକିଯାଇଥିଲେ। ବେଲ୍‌ଜିୟମ୍‌ ଦଳରେ ଅନେକ ଅଭିଜ୍ଞ ଇଂଲିସ୍‌ ପ୍ରିମିୟର୍‌ ଲିଗ୍‌ ଖେଳାଳି ଅଛନ୍ତି। କିନ୍ତୁ ଏହା ଫରାସୀ ଦଳ ବିପକ୍ଷରେ ପ୍ରଭାବ ଛାଡ଼ିବା ଲାଗି ଯଥେଷ୍ଟ ନ ଥିଲା। ବ୍ରାଜିଲ୍‌ ବିପକ୍ଷ ପୂର୍ବ ମ୍ୟାଚ୍‌ରେ ବେଲଜିୟମ୍‌ ୩ଟିରୁ ୨ଟି ସୁଯୋଗକୁ ରୂପାନ୍ତର କରିପାରିଥିଲା। ଏହା ସବୁଠାରୁ ଉଲ୍ଲେଖନୀୟ ଗୋଲ୍‌ ରୂପାନ୍ତର ହାର ଥିଲା। ଏହାକୁ ଆମେ ଢ଼େର ପ୍ରଶଂସା କରିଥିଲୁ। କିନ୍ତୁ ଏହାର ଅନ୍ୟ ପାର୍ଶ୍ୱକୁ ଦେଖିଲେ ସେମାନେ ମାତ୍ର ତିନିଟି ସୁଯୋଗ ସୃଷ୍ଟି କରିପାରିଥିଲେ। ଆତ୍ମଘାତୀ ଗୋଲଟିକୁ ଛାଡ଼ିଦେଲେ ମଧ୍ୟ ଏହା ଦୁଇକୁ ଖସି ଆସିବ। ସେମିଫାଇନାଲ୍‌ରେ ମଧ୍ୟ ସେମାନେ ସେଇଆ କରିଥିଲେ। ଅଧିକ ଦୃଢ଼ମନା ରକ୍ଷଣଭାଗ ଖେଳାଳିଙ୍କ ବିପକ୍ଷରେ ହାଜାର୍ଡଙ୍କ ଦଳ ବିଫଳ ହୋଇଥିଲା। ବେଲଜିୟମ୍‌ର ଅକ୍ଷମତାକୁ ଛାଡ଼ିଦେଲେ କିନ୍ତୁ ଏହା ଫ୍ରାନ୍‌ସର ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିଥିଲା। ସେହିଭଳି କ୍ରୋଏସିଆ ନିକଟରୁ ପରାଜୟ ସତ୍ତ୍ୱେ ମୁଁ ଏହି ଯୁବ ଇଂଲଣ୍ଡ ଦଳକୁ ପସନ୍ଦ କରିଛି। ୨୮ ବର୍ଷ ପରେ ବିଶ୍ୱକପ୍‌ ସେମିଫାଇନାଲ୍‌ ଉଠିବା କିଛି କମ୍‌ କୃତିତ୍ୱ ନୁହେଁ। ବିଶେଷ କରି ସ୍ୱଳ୍ପ ଅଭିଜ୍ଞ ଦଳ ଭାବେ ସେମାନଙ୍କ ପ୍ରଦର୍ଶନ ନିଶ୍ଚିିତ ପ୍ରଶଂସନୀୟ। ସକରାତ୍ମକ ଖେଳ ଦେଖାଇଛନ୍ତି ସେମାନେ। ରକ୍ଷଣାତ୍ମକ ହେବା ପରିବର୍ତେ ଗ୍ୟାରେଥ୍‌ ସାଉଥ୍‌ଗେଟ୍‌ଙ୍କ ଦଳ ପ୍ରତିପକ୍ଷ ଦଳକୁ ମାଡ଼ି ବସୁଥିଲେ। ପରୋକ୍ଷ ଗୋଲ୍‌ ସୃଷ୍ଟି କରିବାରେ ସେମାନେ ମଧ୍ୟ ବେଶ ଫଳପ୍ରସୂ। ଖୋଲା ଖେଳରୁ ସେମାନେ ଯଦି ସ୍କୋର୍‌ କରିପାରୁଥାନ୍ତେ ତେବେ ନିଶ୍ଚିତ ଉନ୍ନତ ଦଳ ହୋଇଥାନ୍ତେ। ତଥାପି ଯାହା ହେଉ ନା କାହିଁକି ଏହି ପ୍ରକ୍ରିୟା ଜାରି ରହିବ। ରୁଷିଆରେ ସେମାନଙ୍କ ପ୍ରଦର୍ଶନ ଭବିଷ୍ୟତ ଲାଗି ଭଲ ସଙ୍କେତ ଦେଇଛି।

ସେମିଫାଇନାଲ୍‌ରୁ ହାରିଯିବା ପରେ ଭାବବିହ୍ଵଳ ହୋଇଥିବା ଦଳକୁ ବ୍ୟାଟେରି ଚାର୍ଜ କରିବା ଏବଂ ପୁଣି ଲଢ଼େଇ କରିବା ଏତେ ସହଜ ନୁହେଁ। ତଥାପି ଏହାର ବିକଳ୍ପ ନାହିଁ। ଶେଷ ଥର ପାଇଁ ଗ୍ରୁପ୍‌ ପର୍ଯ୍ୟାୟରେ ମୁକାବିଲା କରିବାବେଳେ ଉଭୟ ଦଳ ସଂରକ୍ଷିତ ଖେଳାଳିଙ୍କୁ ସୁଯୋଗ ଦେଇଥିଲେ। ଶନିବାର କିନ୍ତୁ ସେମାନେ ପୂର୍ଣ୍ଣ ସାମର୍ଥ୍ୟରେ ପଡ଼ିଆକୁ ଓହ୍ଲାଇବେ ବୋଲି ଆଶା ରହିବ। ସ୍ୱଭାବିକ ଖେଳ ଖେଳିବେ ବୋଲି ଧାରଣା ରହିଛି। କେଭିନ୍‌ ଡି ବ୍ରୁଇନ୍‌, ଇଡେନ୍‌ ହାଜାର୍ଡ, ହ୍ୟାରି କେନ୍‌, ରହିମ୍‌ ଷ୍ଟର୍ଲିଂ ପ୍ରମୁଖ ଏହି ମ୍ୟାଚ୍‌କୁ ରୋମାଞ୍ଚ ଭରିଦେବାରେ କିଛି କମ୍‌ ଦକ୍ଷ ନୁହନ୍ତି। ମୁଁ ଭାବୁଛି ଇଂଲଣ୍ଡ ନିଜର ଅଗ୍ରଭାଗ ଉପରେ ନିଜର ରଖିଥିବ। ଗତିଶୀଳ ଆକ୍ରମଣକାରୀଙ୍କ ବିପକ୍ଷରେ ବେଲ୍‌ଜିୟମ୍‌ ରକ୍ଷଣଭାଗ ସେତେ ଭଲ ନୁହେଁ। ଯାହାକି ଜାପାନ ବିପକ୍ଷ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ମୁଁ ଆଶ୍ଚର୍ଯ୍ୟ ଯେ ବ୍ରାଜିଲ୍‌ ଏହାର ଫାଇଦା ଉଠାଇ ପାରିନଥିଲା। ଇଂଲଣ୍ଡ ବିପକ୍ଷରେ ସେମାନଙ୍କୁ ସମାନ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତଥାପି ଅନ୍ୟ ମୁକାବିଲା ଭଳି ଏହା ସେତେଟା ଜମାଣିଆ ହେବ ନାହିଁ। କିନ୍ତୁ ପ୍ରତି ଖେଳାଳିଙ୍କ ପାଇଁ ନିଶ୍ଚିତ ଏହା ନୂଆ ଆହ୍ଵାନ ହେବ। କାରଣ ସବୁବେଳେ କିଛି ନା କିଛି ପ୍ରମାଣ କରିବାର ଥାଏ। ସେମାନେ ନିଜକୁ ପ୍ରୟୋଗ କରି ଖେଳିଲେ ଏବଂ ଏକାଗ୍ର ରହିଲେ ଆମେ ନିଶ୍ଚିତ କିଛି ମନୋରଂଜନ ପାଇଯିବା।

ସମ୍ବନ୍ଧିତ ଖବର