କାହାରିକୁ ଦାବିଦାର କହି ହେବ ନାହିଁ

ହ୍ୟାଣ୍ଡ୍‌ ଅଫ୍‌ ଗଡ୍‌, ଡିଏଗୋ ମାରାଡୋନା

ପ୍ରାରମ୍ଭିକ ନାଟକର ଅନ୍ତ ଘଟିଛି। ଗତ ଥରର ବିଜେତା ବିଶ୍ୱକପ୍‌ରୁ ବିଦାୟ ନେଇ ସାରିଛି। ଶ୍ରେଷ୍ଠ ୧୬ ଦଳ ନକ୍‌ ଆଉଟ୍‌କୁ ଉନ୍ନୀତ ହୋଇଛନ୍ତି। ଏବେ ବାସ୍ତବ ଫୁଟ୍‌ବଲ୍‌ ଖେଳର ସମୟ ଆସିଯାଇଛି। ଉଚ୍ଚମାନର ଲଢ଼ୁଆ ପ୍ରକୃତି ରଖିଥିବା ଦଳ ହିଁ ବଞ୍ଚିରହିବ। ଏବେ କେବଳ ଦକ୍ଷତା ଓ କୌଶଳ ନୁହେଁ ସ୍ନାୟୁ ଲଢ଼େଇର ଆବଶ୍ୟକତା ରହିବ। ଯିଏ ଶୀଘ୍ର ପଲକ ପକାଇବ ସେ ନିଶ୍ଚିତ ଆଗ ବିଦାୟ ନେବ।
ନକ୍‌ ଆଉଟ୍‌ ସାଧାରଣତଃ ତିଷ୍ଠି ରହିବାର ପ୍ରତିଶ୍ରୁତି ରଖିଥାଏ। ଏଥର ବଡ଼ ମୁକାବିଲାରୁ ଆରମ୍ଭ। ଫ୍ରାନ୍‌ସ-ଆର୍ଜେଣ୍ଟିନା ଏବଂ ଉରୁଗୁଏ-ପର୍ତୁଗାଲ୍‌ ଲଢ଼େଇ ଦ୍ୱୟ ନିଶ୍ଚିତ ହେଭିେଓ୍ଵଟ୍‌ଙ୍କ ମୁକାବିଲା। ସାଧାରଣତଃ ଏଭଳି ମୁକାବିଲା ବିଶ୍ୱକପ୍‌ର ଶେଷ ଭାଗରେ ଦେଖିବାକୁ ମିଳିବା କଥା। ନିଆରା ପଥ ଦେଇ ପ୍ରି-କ୍ୱାର୍ଟର ଫାଇନାଲ୍‌ ଆସିଛନ୍ତି ଏହି ଦଳ ଗୁଡ଼ିକ। କାହାରିକୁ ଦାବିଦାର କହିହେବ ନାହିଁ। ଫ୍ରାନ୍‌ସ ୭ ପଏଣ୍ଟ୍‌ ସହ ଗ୍ରୁପ୍‌ ବିଜେତା ହୋଇଥିଲା। ୩ ଗୋଲ୍‌ ଦେଇଥିଲା କିନ୍ତୁ ଗୋଟିଏ ଆତ୍ମଘାତୀରୁ ଆସିଥିଲା। ଅର୍ଥାତ୍‌ ମାତ୍ର ଦୁଇଟି ଗୋଲ୍‌ରେ ଆଗକୁ ଆସିଛି। ଏହା ମଧ୍ୟ କାଗଜ କଲମରେ ଶ୍ରେଷ୍ଠ ଲାଗୁଥିବା ଏହି ଦଳର ଅଗ୍ରଭାଗକୁ ସନ୍ଦେହରେ ରଖିଛି। ବର୍ତମାନ କିନ୍ତୁ କାମଚଳାରେ ଚଳିବ ନାହିଁ। ଚତୁର ପଡ଼ିଆ ସଜ୍ଜାର ଖେଳ, ନିରଂତର ଜଗିବା, ଠିକଣା ଆଚରଣ ଜରିଆରେ ପ୍ରତିପକ୍ଷକୁ ନିରାଶ କରିହେବ। ଜର୍ଜ ସାମ୍ପୋଲିଙ୍କ ଆର୍ଜେଣ୍ଟିନା ବାହିନୀ ଏସବୁ ଦକ୍ଷତାକୁ କାର୍ଯ୍ୟରେ ଲଗାଇବାକୁ ପଡ଼ିବ।

ଆର୍ଜେଣ୍ଟିନା ପ୍ରାରମ୍ଭରୁ ଅନେକ ଖରାପର ସମ୍ମୁଖୀନ ହୋଇଛି। ରକ୍ଷଣଭାଗରେ ଦୁର୍ବଳତା, ଲିଓନେଲ୍‌ ମେସିଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳତା ଏବଂ ଖେଳାଳି ଚୟନ ପ୍ରସଙ୍ଗକୁ ନେଇ ସମାଲୋଚନା ଆଦି ଅନେକ ସମସ୍ୟା ରହିଥିଲା। ଅଣପ୍ରଶଂସିତ ପ୍ରାରମ୍ଭ ସତ୍ତ୍ୱେ ଶେଷ ମ୍ୟାଚ୍‌ରେ ସାହସିକ ପ୍ରଦର୍ଶନ ଜରିଆରେ ଜୀବନ ରେଖା ପାଇଥିଲେ। ନକ୍‌ ଆଉଟ୍‌ର ଅନୁଭବ ଦଳକୁ ଶେଷ ଲିଗ୍‌ରେ ମିଳିଛି। ସେଠାରୁ ମିଳିଥିବା ସକାରାତ୍ମକ ଦିଗକୁ ଦଳ ଆଗକୁ ନେଇ ପାରିବ। ଆର୍ଜେଣ୍ଟିନାକୁ ଏବେ ଗୋଟିଏ ଦଳ ଭାବେ ଲଢ଼ିବାକୁ ହେବ। ଲିଓ ଯାହା ଜାଣିଛନ୍ତି ସେ ନିଶ୍ଚିତ ଚେଷ୍ଟା କରିବେ, କିନ୍ତୁ ଅନ୍ୟମାନଙ୍କୁ ସେମାନଙ୍କ ଦାୟିତ୍ୱ ତୁଲାଇବାକୁ ପଡ଼ିବ। ଖେଳାଳିମାନେ ଏକାଠି ଲଢ଼ିପାରିବେ ବୋଲି ଦେଖାଇ ସାରିଛନ୍ତି। ଏବେ ସେମାନଙ୍କୁ ପୁଣି ଥରେ କରି ଦେଖାଇିବାକୁ ପଡ଼ିବ। ଏବର ପରୀକ୍ଷା ବଡ଼ କଷ୍ଟକର। ମଧ୍ୟଭାଗ ଏବଂ ରକ୍ଷଣଭାଗ ଏବେ ପ୍ରବଳ ଚାପରେ। ଜାଭିଏର୍‌ ମାସ୍କେରାନୋ ଏବଂ ନିକୋଲାସ୍‌ ଓଟାମେଣ୍ଡିଙ୍କୁ ଶ୍ରେଷ୍ଠତ୍ୱ ଦେଖାଇବାକୁ ପଡ଼ିବ। ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏମାନେ ନେତୃତ୍ୱ ନେଇଛନ୍ତି। ଅନ୍ୟ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଦକ୍ଷିଣ ଆମେରିକୀୟ ବନାମ ୟୁରୋପୀୟ ଶକ୍ତି ମଧ୍ୟରେ ପରୀକ୍ଷା ହେବ। କ୍ରିଷ୍ଟିଆନୋ ରୋନାଲ୍‌ଡୋ ହ୍ୟାଟ୍ରିକ୍‌ରୁ ଅଭିଯାନ ଆରମ୍ଭ କରିଛନ୍ତି। କିନ୍ତୁ ପେନାଲ୍‌ଟି ମିସ୍‌ କରିଥିବାରୁ ଯୁଗ୍ମ ଅଗ୍ରଣୀ ରହିଛନ୍ତି। ଲିଓନେଲ୍‌ ମେସି ମଧ୍ୟ ଆଗରୁ ଏକ ପେନାଲ୍‌ଟି ମିସ୍‌ କରିଥିଲେ। ଖେଳରେ ଏଭଳି ଘଟିଥାଏ କିନ୍ତୁ ସେଭଳି ପରିସ୍ଥିତିରୁ ଫେରିବା ବେଳେ ସମ୍ପୃକ୍ତ ଖେଳାଳି ଅଧିକ ଭୋକିଲା ଥାଏ। ଲୁଇସ୍‌ ସୁଆରେଜ ମଧ୍ୟ ଘନଘଟା ମୁକାବିଲା ବେଳେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରନ୍ତି। ଏବେ ଉଭୟ ରୋନାଲ୍‌ଡୋ ଓ ଲୁଇସ୍‌ଙ୍କ ଉପରେ ସେମାନଙ୍କ ଦେଶର ଆଶା ଭରିରହିଛି। ଉଭୟ ଦଳର ରକ୍ଷଣଭାଗ ମଧ୍ୟ ଚାପରେ ରହିବ। ଅଗ୍ରଭାଗ ଖେଳାଳିମାନଙ୍କୁ ବିପଜ୍ଜନକ ଅଞ୍ଚଳରେ ପୁରାଇ ନଦେବା ଲାଗି ମଧ୍ୟଭାଗରେ ଅନେକ କିଛି କରିବାକୁ ପଡ଼ିବ। ଉଭୟ ଉରୁଗୁଏ ଏବଂ ପର୍ତୁଗାଲ୍‌ ଏଭଳି ପରିସ୍ଥତିକୁ ହାତେଇବାରେ ଅଭ୍ୟସ୍ତ। ଶକ୍ତି ଓ ସାମର୍ଥ୍ୟର ଲଢ଼େଇରେ କିନ୍ତୁ ଉଭୟ ଦଳ ସମତୁଲ ଅଛନ୍ତି।

ସମ୍ବନ୍ଧିତ ଖବର