ଭିନ୍ନକ୍ଷମ ବିଶ୍ୱ ବ୍ୟାଡ୍‌ମିଣ୍ଟନ: ପ୍ରମୋଦଙ୍କୁ କାଂସ୍ୟ

ଭୁବନେଶ୍ୱର: କୋରିଆର ଉଲ୍‌ସାନ୍‌ ସହରରେ ଚାଲିଥିବା ଭିନ୍ନକ୍ଷମ ବ୍ୟାଡ୍‌ମିଣ୍ଟନ ବିଶ୍ୱ ପ୍ରତିଯୋଗିତାରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ତାରକା ପ୍ରମୋଦ ଭଗତ କାଂସ୍ୟ ପଦକ ଜିତିଛନ୍ତି। ଶୁକ୍ରବାର ଏକକ ବର୍ଗ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଥିବା ପ୍ରମୋଦ ଶନିବାର ଚତୁର୍ଥ ଦିବସରେ ଜାପାନ ପ୍ରତିଦ୍ୱନ୍ଦ୍ୱୀ ପ୍ରତିଦୋଦି ଫୁଜିହାରାଙ୍କୁ ୧୮-୨୧, ୨୧-୧୭ ଓ ୨୧-୧୮ରେ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚି ପଦକ ନିଶ୍ଚିତ କରିଥିଲେ। ହେଲେ ସେମିଫାଇନାଲ୍‌ରେ ଇଣ୍ଡୋନେସିଆର ଉକନ ରୁକାଣ୍ଡିଙ୍କ ନିକଟରୁ ୧୫-୨୧ ଓ ୨୦-୨୧ରେ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଲେ। ଫଳରେ ତିନି ଥର ବିଶ୍ୱ ବିଜେତା ପ୍ରମୋଦଙ୍କର ଲଗାତାର ଚତୁର୍ଥ ଥର ବିଜେତା ହେବାର ସ୍ୱପ୍ନ ଧୂଳିସାତ୍‌ ହୋଇଗଲା।

ଅନ୍ୟପକ୍ଷରେ ଶୁକ୍ରବାର ମଧ୍ୟ ପ୍ରମୋଦ ଯୁଗଳ ବର୍ଗ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ଶନିବାର ଆଉ ଆଗକୁ ବଢି ପାରିନଥିଲେ। ତରୁଣଙ୍କୁ ସାଥୀ କରିଥିବା ପ୍ରମୋଦ ଯୁଗଳ କ୍ୱାର୍ଟର ଫାଇନାଲରେ ଇଣ୍ଡୋନେସିଆ ଯୋଡ଼ି ହେରି ସୁଶାନ୍ତ-ଉକୁନ ରୁକାଣ୍ଡିଙ୍କଠାରୁ ୭-୨୧ ଓ ୧୭-୨୧ରେ ହାରି ପଦକରୁ ବଞ୍ଚିତ ହୋଇଥିଲେ।

ସମ୍ବନ୍ଧିତ ଖବର