ଭିନ୍ନକ୍ଷମ ବ୍ୟାଡ୍‌ମିଣ୍ଟନ ବିଶ୍ୱ ପ୍ରତିଯୋଗିତା: ପ୍ରମୋଦଙ୍କ ବିଜୟ ଅଭିଯାନ

ଭୁବନେଶ୍ୱର: କୋରିଆର ଉଲ୍‌ସନ୍‌ ସହରରେ ଚାଲିଥିବା ଭିନ୍ନକ୍ଷମ ବ୍ୟାଡ୍‌ମିଣ୍ଟନ ବିଶ୍ୱ ପ୍ରତିଯୋଗିତାରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରୁଥିବା ବିଶ୍ୱ ମାନ୍ୟତାର ଶୀର୍ଷ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ପ୍ରମୋଦ ଏକକ ବର୍ଗ ମୁକାବିଲାରେ ଭିଏତ୍‌ନାମ ପ୍ରତିଦ୍ୱନ୍ଦ୍ୱୀ ଟ୍ରିନ୍‌ ଆନ୍‌ ତୁଆନ୍‌ଙ୍କୁ ୧୯-୨୧, ୨୧-୧୬ ଓ ୨୧-୧୬ରେ ପରାସ୍ତ କରି ପରର୍ବତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପ୍ରମୋଦ ଗୁରୁବାର କୋରିଆର କିମ୍‌ ଚାଙ୍ଗ୍‌ ମାନ୍‌ଙ୍କ ସହ ଏକକ ମ୍ୟାଚ୍‌ ଖେଳିବା ପରେ ଯୁଗଳ ମୁକାବିଲାକୁ ମଧ୍ୟ ଓହ୍ଲାଇବେ। ଭାରତୀୟ ଦଳରେ ସାମିଲ ଥିବା ଅନ୍ୟତମ ଓଡ଼ିଆ ତାରକା ସୁନୀଲ ପ୍ରଧାନ ଗୁରୁବାର ଯୁଗଳ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ୨୪ ଜଣିଆ ଭାରତୀୟ ଦଳରୁ ପ୍ରମୋଦଙ୍କ ବ୍ୟତୀତ ମନୋଜ, ଆନନ୍ଦ, ତରୁଣ, ରାଜକୁମାର, ରାକେଶ, ପାରୁଲ୍‌, ମାନସୀ, ମାର୍କ, ପ୍ରଭୂ ମଧ୍ୟ ନିଜ ନିଜର ପ୍ରଥମ ପର୍ଯ୍ୟାୟ ମୁକାବିଲା ଜିତିଛନ୍ତି। ପ୍ରତି ୨ ବର୍ଷରେ ଆୟୋଜିତ ହେଉଥିବା ଏହି ବିଶ୍ୱ ପ୍ରତିଯୋଗିତାର ୨୦୧୫ ସଂସ୍କରଣରେ ଭାରତ ମୋଟ ୧୭ ପଦକ ଜିତିଥିଲା। ଏଥର ଲକ୍ଷ୍ନୌ ସାଇ କେନ୍ଦ୍ରରେ ପ୍ରଶିକ୍ଷଣ ଶିବିର ଶେଷରେ ୨୪ ଜଣିଆ ଦଳ କୋରିଆ ଯାତ୍ରା କରିଥିଲା।

ସମ୍ବନ୍ଧିତ ଖବର