ଚଣ୍ଡୀଗଡ଼: ଭାରତୀୟ ମହିଳା କ୍ରିକେଟ୍ ଦଳ (ଟେ୍ଵଣ୍ଟି-୨୦)ର ଅଧିନାୟିକା ହରମନ୍ପ୍ରୀତ୍ କଉର୍ଙ୍କ ଅଜ୍ଞତା ଏବେ ତାଙ୍କୁ ଅଡୁଆରେ ପକାଇ ଦେଇଛି। ନକଲି ସ୍ନାତକ ପ୍ରମାଣପତ୍ର ଦେଇଥିବାରୁ ପଞ୍ଜାବ ସରକାର ତାଙ୍କୁ ନିଯୁକ୍ତ ଦେବାର ୪ ମାସ ପରେ ଡିଏସ୍ପି ପଦରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏଭଳି ନିଷ୍ପତ୍ତି ନେଇଛି। କିନ୍ତୁ ସେ ଦ୍ୱାଦଶ ପାସ୍ କରିଥିବାରୁ କନଷ୍ଟେବଳ ଚାକିରିକୁ ପଦଅବନତି କରି ଦିଆଯିବ ବୋଲି ସୂଚନା ମିଳିଛି। ଏପରିକି ତାଙ୍କ ବିରୋଧରେ ଠକେଇ ମାମଲା ପାଇଁ ବିଚାର କରାଯାଉଥିଲେ ମଧ୍ୟ ଦେଶ ପାଇଁ ଗୌରବ ଆଣିଥିବାରୁ ଏହି ଅର୍ଜୁନ ପୁରସ୍କାର ବିଜୟିନୀଙ୍କୁ ସ୍ୱତନ୍ତ୍ର ରିହାତି ସହ କ୍ଷମା କରିଦିଆଯିବ।
ପଞ୍ଜାବର ମୋଗା ଅଞ୍ଚଳରୁ ଆସିଥିବା ହରମନପ୍ରୀତ୍ ମୀରଟର ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରମାଣପତ୍ର ଦାଖଲ କରିଥିଲେ। କିନ୍ତୁ ତନଖି ପରେ ଏହା ନକଲି ଥିନା ନଜରକୁ ଆସିଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ପ୍ରମାଣପତ୍ରକୁ ଅସ୍ୱୀକାର କରାଯାଇଛି। ଏହା ପରେ ମାମଲାକୁ ଗୃହ ମନ୍ତ୍ରଣାଳୟକୁ ପଠାଇ ଦିଆଯାଇଥିଲା, ଯାହାକି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ଅଧୀନରେ ରହିଛି। ଗତବର୍ଷ ଜୁଲାଇରେ ମହିଳା ବିଶ୍ୱକପ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ କ୍ୟାପ୍ଟେନ୍ ଅମରିନ୍ଦର୍ ତାଙ୍କୁ ଡିଏସ୍ପି ପଦ ଯାଚିଥିଲେ। ପୂର୍ବରୁ ହରମନ୍ପ୍ରୀତ୍ ପଶ୍ଚିମ ରେଳବାଇରେ ଅଫ୍ିସ ସୁପରିଟେଣ୍ଡେଣ୍ଟ୍ ଭାବେ ନିଯୁକ୍ତ ଥିଲେ। ସେଠାରେ ୫ ବର୍ଷିଆ ଚୁକ୍ତିରେ ଥିବାରୁ ରେଳବାଇ ତାଙ୍କୁ ନଛାଡ଼ିବାରୁ ୬ ମାସ ଧରି ସେ ପଞ୍ଜାବ ପୁଲିସ୍ରେ ଯୋଗ ଦେଇ ପାରିନଥିଲେ। ଶେଷକୁ ମୁୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ହସ୍ତକ୍ଷେପ ଫଳରେ ଗତ ଫେବ୍ରୁଆରିରେ ଡିଏସ୍ପି ଭାବେ ଯୋଗ ଦେଇଥିଲେ।
ପୂର୍ବରୁ ହରମନପ୍ରୀତ୍ କଉରଙ୍କ ପିତା ହରମିନ୍ଦର ସିଂହ କିନ୍ତୁ ଅଭିଯାଗକୁ ଖଣ୍ଡନ କରି ଆସୁଥିଲେ। ସମାନ ପ୍ରମାଣପତ୍ର ଦେଇ ହରମନପ୍ରୀତ୍ ରେଳବାଇରେ ନିଯୁକ୍ତି ପାଇଥିଲେ ବୋଲି କହିଥିଲେ। ଏବେ କିନ୍ତୁ ସେସବୁ ମିଛ ପ୍ରମାଣିତ ହୋଇଛି। ହରମନପ୍ରୀତ୍ ଏ ସମ୍ପର୍କରେ କିଛି କହିନଥିଲେ ମଧ୍ୟ ତାଙ୍କ ଅଜ୍ଞତା ପଦାରେ ପଡ଼ିଛି। ପରୀକ୍ଷାରେ ନମନୀୟ ନୀତି ଥିବାରୁ ତାଙ୍କ ପ୍ରଶିକ୍ଷକଙ୍କ ପରାମର୍ଶରେ ସେ ମୀରଟ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ ବୋଲି ଯୁକ୍ତି ବାଢ଼ିଥିଲେ। ଏବେ କିନ୍ତୁ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ହରମନପ୍ରୀତ୍ଙ୍କୁ କନଷ୍ଟେବଳ ଚାକିରିରେ ସନ୍ତୁଷ୍ଟ ହେବାକୁ ପଡ଼ିବ। କିନ୍ତୁ ସ୍ନାତକ ଡିଗ୍ରୀ ହାସଲ ପରେ ସେ ଡିଏସ୍ପି ପଦକୁ ଫେରିପାରିବେ ବୋଲି ପଞ୍ଜାବ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଗତ ଫେବ୍ରୁଆରିରେ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ବିଜୟିନୀ ମନଦୀପ୍ କଉର୍ ସମାନ ପରିସ୍ଥିତିରେ ନକଲି ଡିଗ୍ରୀ ପ୍ରମାଣପତ୍ର କାରଣରୁ ଡିଏସ୍ପି ପଦରୁ ବହିସ୍କୃତ ହୋଇଥିଲେ।
ଅଡ଼ୁଆରେ ଅଧିନାୟିକା ହରମନପ୍ରୀତ୍
ନକଲି ଡିଗ୍ରୀ ପାଇଁ ଡିଏସ୍ପି ପଦ ଗଲା, ରହିବେ କନଷ୍ଟେବଳ
/sambad/media/post_attachments/wp-content/uploads/2018/07/3-Harmanpreet-Kaur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)