ହାଫିଜ୍‌ଙ୍କ ବୋଲିଂ ଢଙ୍ଗ ପୁଣି ସନ୍ଦେହରେ

ଆବୁଧାବି: ପୁଣି ଥରେ ପାକିସ୍ତାନ ଡାହାଣହାତୀ ଅଫ୍‌ ସ୍ପିନର୍‌ ମହମ୍ମଦ ହାଫିଜ୍‌ଙ୍କ ବୋଲିଂ ଢଙ୍ଗ ସନ୍ଦେହ ଘେରକୁ ଆସିଛି। ବୁଧବାର ଆବୁଧାବିରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆ ବେଳେ ତାଙ୍କ ବୋଲିଂ ଢଙ୍ଗ ବେଆଇନ ବୋଲି ମ୍ୟାଚ୍‌ ଅଧିକାରୀ ଆଇସିସକୁ ରିପୋର୍ଟ ଦେଇଛନ୍ତି। ନିଜର ବୋଲିଂ ଢଙ୍ଗ ଠିକ୍‌ ଥିବା ନେଇ ହାଫିଜ୍‌ଙ୍କୁ ୧୪ ଦିନ ମଧ୍ୟରେ ଆଇସିସି ପରୀକ୍ଷାକେନ୍ଦ୍ରରେ ପ୍ରମାଣ କରିବାକୁ ହେବ। ଯଦି ଏଥିରେ ସେ ବିଫଳ ହୁଅନ୍ତି ତେବେ ତାଙ୍କୁ ବୋଲିଂ କରିବାରୁ ବାରଣ କରାଯିବ। ଗତ ତିନି ବର୍ଷ ମଧ୍ୟରେ ହାଫିଜ୍‌ ତୃତୀୟ ଥର ଲାଗି ଏଭଳି ସନ୍ଦେହ ଘେରକୁ ଆସିଛନ୍ତି।

ପୂର୍ବରୁ ଦୁଇଥର ମଧ୍ୟ ତାଙ୍କୁ ବୋଲିଂ କରିବାକୁ ବାରଣ କରାଯାଇଥିଲା। ଏଭଳି ସମସ୍ୟାରୁ ମୁକୁଳି ସେ ଚଳିତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଦଳକୁ ଫେରିଥିଲେ। ପ୍ରଥମ ଥର ୨୦୧୪ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍‍ ବେଳେ ତାଙ୍କ ବୋଲିଂ ଢଙ୍ଗ ବେଆଇନ ବୋଲି ଜଣାପଡ଼ିଥିଲା। ସେହି ବର୍ଷ ଡିସେମ୍ବରରେ ପ୍ରମାଣିତ ହେବା ପରେ ବୋଲିଂରୁ ବାସନ୍ଦ କରାଯାଇଥିଲା। ବୋଲିଂ ଢଙ୍ଗ ଠିକ୍‌ ବୋଲି ପ୍ରମାଣ ଦେବା ପରେ ହାଫିଜ୍‌ ଅପ୍ରେଲ୍‌ ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିଲେ। ପୁନର୍ବାର ସେହିବର୍ଷ େଓ୍ଵଷ୍ଟ୍‍ଇଣ୍ଡିଜ୍‌ ବିପକ୍ଷ ଗଲ୍‌ ଟେଷ୍ଟ୍‍ରେ ତାଙ୍କର ବୋଲିଂ ଢଙ୍ଗ ବେଆଇନ ବୋଲି ଧରା ପଡ଼ିଥିଲା। ଫଳରେ ତାଙ୍କୁ ଆଇସିସି ଗୋଟିଏ ବର୍ଷ ପାଇଁ ବାସନ୍ଦ କରିଥିଲା।

ସମ୍ବନ୍ଧିତ ଖବର