ନୂଆଦିଲ୍ଲୀ: ଶୁକ୍ରବାର କ୍ରିକେଟ୍ ଜୀବନରେ ପୂର୍ଣ୍ଣଛେଦ ଟାଣିଥିବା ଅଫସ୍ପିନର୍ ହରଭଜନ ସିଂହ ଖୁବ୍ ଶୀଘ୍ର ରାଜନୀତିରେ ଯୋଗଦେବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବିଶେଷ କରି ପଞ୍ଜାବ ରାଜନୀତିରେ ସେ ସାମିଲ ହେବେ ବୋଲି ବିଶ୍ବାସ କରାଯାଉଛି। ଏଭଳି ଆଗ୍ରହ ଓ ଯୋଜନାକୁ ଭଜି ସମ୍ପୂର୍ଣ୍ଣ ଏଡ଼ାଇ ଦେଇନାହାନ୍ତି। କିନ୍ତୁ କେବେ, କେଉଁଠି, କେଉଁ ଦଳ ଓ କି କ୍ଷମତା ଭିତରେ ରାଜନୀତିକୁ ଆସିବେ ମନସ୍ଥ କରିନାହାନ୍ତି। ନିକଟରେ ପଞ୍ଜାବ କଂଗ୍ରେସ ମୁଖ୍ୟ ତଥା ଭଜିଙ୍କ ପୂର୍ବତନ ଦଳୀୟ ସାଥୀ ନବଜୋତ ସିଂହ ସିଦ୍ଧୁ ଭଜିଙ୍କ ସହ ଏକ ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ି ‘ଅଜସ୍ର ସମ୍ଭାବନା’ ଲେଖିଥିଲେ। ଏଥିରୁ ଭଜି ଖୁବ୍ ଶୀଘ୍ର କଂଗ୍ରେସରେ ଯୋଗଦେବେ ବୋଲି ଅଧିକାଂଶ ପୂର୍ବାନୁମାନ ଲଗାଇଥିଲେ। ହରଭଜନଙ୍କ ପକ୍ଷରୁ କିନ୍ତୁ କିଛି ସ୍ପଷ୍ଟ କରାଯାଇନାହିଁ। ‘ସଚ୍ଚୋଟତାର ସହ କହିଲେ ମୁଁ କିଛି ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚି ପାରିନାହିଁ। ଯେଉଁ ଦିଗରେ ଯିବାକୁ ଚାହୁଁଛି ଏହାକୁ କିଛି ଦିନ ଭିତରେ ଧାର୍ଯ୍ୟ କରିବି। ଯଦି ରାଜନୀତିରେ ଯୋଗଦେବି ତେବେ କେଉଁ ରୂପରେ ହେବ ଧାର୍ଯ୍ୟ କରିବାକୁ ହେବ। ଲୋକଙ୍କ ସେବା କରିବାକୁ ମୁଁ ଚାହୁଁଛି। ଭବିଷ୍ୟତ ଯୋଜନା ବିଷୟରେ ମୁଁ ନିଶ୍ଚିତ ଜଣାଇଦେବି। ମୁଁ ଏବେ ବି କ୍ରିକେଟ୍ ସହ ଜଡ଼ିତ ରହିଛି। କାରଣ କ୍ରିକେଟ୍ ପାଇଁ ହିଁ ମୋତେ ଲୋକ ଜାଣିଛନ୍ତି। ଅବସର ପୂର୍ବରୁ ହିଁ ମୋତେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତାବ ଆସିଛି। ଏହା ଏକ କ୍ରମବର୍ଦ୍ଦିଷ୍ଣୁ ଚାହିଦାର କାର୍ଯ୍ୟ। ଏଥିପାଇଁ ଚତୁରତାର ସହ ନିଷ୍ପତ୍ତି ନେବାକୁ ହେବ। ଅଧାମନରେ ମୁଁ ନିଷ୍ପତ୍ତି ନେବାକୁ ଚାହୁଁନାହିଁ। ମୁଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେବା ପରେ ଆଗେଇ ଯିବି’ ବୋଲି ଭଜି ପ୍ରକାଶ କରିଛନ୍ତି। ଦେଶ ପାଇଁ ଦୁଇ ଥର ବିଶ୍ବକପ୍ ଜିତିଥିବା ହରଭଜନ ମୋଟ ୭୧୧ ଅନ୍ତର୍ଜାତୀୟ ୱିକେଟ୍ ନେଇ ଅଗ୍ରଣୀ ଭାରତୀୟ ତାଲିକାରେ ଅନିଲ କୁମ୍ବଲେ (୯୫୩)ଙ୍କ ପଛକୁ ଦ୍ବିତୀୟରେ ରହିଛନ୍ତି। କପିଳ ଦେବ (୬୮୭) ଏବଂ ଆର୍ ଅଶ୍ବିନ୍ (୬୩୮*) ପଛକୁ ପଛ ରହିଛନ୍ତି।
ଭଜିଙ୍କୁ ଶୁଭେଚ୍ଛା
ଭଜି ତାଙ୍କ ଜୀବନରେ ଅନେକ ଘାତ ପ୍ରତିଘାତ ଓ ଆହ୍ବାନକୁ ପ୍ରତିହତ କରିଛନ୍ତି। କୌଣସି ଲକ୍ଷ୍ୟକୁ ସେ ସହଜରେ ଛାଡ଼ିଦିଅନ୍ତି ନାହିଁ। ପ୍ରଦର୍ଶନ ଦେଖାଇବାକୁ ତାଙ୍କ ଭୋକିଲା ପ୍ରବୃତ୍ତି ଜଣେ ଅଧିନାୟକ ପାଇଁ ଉଲ୍ଲାସର କାରଣ ଥାଏ: ସୌରଭ ଗାଙ୍ଗୁଲି, ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି।
ଭଜିଙ୍କୁ ମୁଁ ୧୮ ବର୍ଷ ବୟସରେ ମୋହାଲି ନେଟ୍ସରେ ଦେଖିଥିଲି। ଉତ୍ଥାନ ଓ ପତନ ଦେଇ ସେ ସଫଳ କ୍ରିକେଟ୍ର ହୋଇପାରିଛନ୍ତି। ସେ ହାସଲ କରିଥିବା କୃତିତ୍ବ ଉଲ୍ଲେଖନୀୟ। ୭୧୧ ଅନ୍ତର୍ଜାତୀୟ ୱିକେଟ୍ କିଛି କମ୍ ଉପଲବ୍ଧି ନୁହେଁ: ରାହୁଲ ଦ୍ରାବିଡ଼, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ।