ଭଜିଙ୍କଠୁ ୪ କୋଟି ଠକିନେଲେ ଚେନ୍ନାଇ ବେପାରୀ

ଚେନ୍ନାଇ: ଭାରତୀୟ ସ୍ପିନର ହରଭଜନ ସିଂହ ଏକ ବଡ଼ ଧରଣ ଠକାମୀର ଶିକାର ହୋଇଛନ୍ତି। ଲକ୍ଷେ କିମ୍ବ‌ା ଦୁଇ ଲକ୍ଷ ନୁହେଁ, ଚେନ୍ନାଇର ଜଣେ ବ୍ୟବସାୟୀ ତାଙ୍କଠାରୁ ପୂରା ୪ କୋଟି ଟଙ୍କା ଠକି ନେଇଛି। ଭଜି ଏଥିନେଇ ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଠକାମୀ ମାମଲା ଦାୟର କରିଛନ୍ତି। ବ୍ୟବସାୟୀ ଜଣକ ଗୁରୁବାର ଅଗ୍ରୀମ ଜାମିନ ପାଇଁ ମାଡ୍ରାସ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେବା ପରେ ଯାଇ ଏହି ମାମଲା ପଦାକୁ ଆସିଛି। ଭଜି କରିଥିବା ଅଭିଯୋଗରେ ଦର୍ଶାଇଥିଲେ ଯେ ଜି ମହେଶ ନାମକ ଏହି ବ୍ୟବସାୟୀ ଜଣଙ୍କ ସହ ଜଣେ ବନ୍ଧୁଙ୍କ ଜରିଆରେ ସେ ପରିଚିତ ହୋଇଥିଲେ। ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଆଇପିଏଲ୍ ଖେଳୁଥିବାରୁ ସେ ଢେର କିଛି ସମୟ ଚେନ୍ନାଇରେ କଟାଉଥିଲେ ଏବଂ କିଛି ଦିନ ଭିତରେ ହିଁ ମହେଶ ତାଙ୍କର ବିଶ୍ବାସ ଭାଜନ ହୋଇପାରିଥିଲେ। ଫଳରେ ସେ ତାଙ୍କୁ ଏହି ଟଙ୍କା ଋଣ ଆକାରରେ ଦେଇଥିଲେ। ଢେର କିଛି ସମୟ ଅତିବାହିତ ହେବା ପରେ କିନ୍ତୁ ମହେଶ ଏହି ଟଙ୍କା ପରିଶୋଧ ନ କରି, ଆଉ ଧରାଛୁଆଁ ଦେଇ ନଥିଲେ। ଏପରିକି ମହେଶ ଦେଇଥିବା ୨୫ ଲକ୍ଷ ଟଙ୍କାର ଚେକ୍ ମଧ୍ୟ ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ନଥିବାରୁ ବାଉନ୍ସ ହୋଇଯାଇଥିଲା।

ଅନ୍ୟ ଉପାୟ ନପାଇ ନିକଟରେ ଚେନ୍ନାଇ ଯାଇଥିଲା ବେଳେ ଭଜି ଏହି ବିଷୟ ସହରର ପୁଲିସ କମିସନରଙ୍କୁ ଜଣାଇଥିଲେ। ଲିଖିତ ଭାବେ ମଧ୍ୟ ଅଭିଯୋଗ କରିଥିଲେ। ଭଜି କରିଥିବା ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ କମିସନର ଚେନ୍ନାଇର ନିଲନକରାଇ ଅଞ୍ଚଳର ଏସିପି ବିଶ୍ବସରିୟାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମହେଶଙ୍କୁ ସମନ ଜାରି କରି ତାଙ୍କ ନିକଟରେ ହାଜର ହେବାକୁ ବିଶ୍ବସରିୟା କହିଥିଲେ। ଗିରଫ ହେବା ଭୟରେ ମହେଶ କିନ୍ତୁ ଅଗ୍ରୀମ ଜାମିନ ପାଇଁ ଉଚ୍ଚନ୍ୟାୟାଳୟରେ ଆବେଦନ କରିବା ପରେ ତାଙ୍କ କଳା କାରନାମା ପଦାରେ ପଡ଼ିଥିଲା। ମହେଶ ତାଙ୍କ ଆବେଦନରେ କହିଛନ୍ତି ଯେ ସ୍ଥାନୀୟ ଥଲମ୍ବୁର ଅଞ୍ଚଳରେ ଥିବା ଏକ ଅଚଳନ୍ତି ସମ୍ପତ୍ତିକୁ ବନ୍ଧା ରଖି ଭଜିଙ୍କଠାରୁ ସେ ଋଣ ଆକାରରେ କିଛି ଅର୍ଥ ନେଇଥିଲେ। ଏଥିନେଇ ଭଜିଙ୍କ ନାଁରେ ସେ ସଂପୃକ୍ତ ସମ୍ପତ୍ତିର ପାୱାର ଅଫ୍ ଆଟର୍ନି ବି କରିଥିଲେ। ସୂଚନାଯୋଗ୍ୟ ଯେ ବ୍ୟକ୍ତିଗତ କାରଣ ପାଇଁ ହରଭଜନ ଚଳିତ ବର୍ଷ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍-୧୩ରୁ ଓହରି ଯାଇଛନ୍ତି। ଏହି ବିଷୟ ସେ ଢେର କିଛି ଦିନ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସର ପରିଚାଳନା ମଣ୍ଡଳିକୁ ଜଣାଇ ସାରିଛନ୍ତି।

ସମ୍ବନ୍ଧିତ ଖବର

Comments are closed.