ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମ୍ୟାଚ୍ ଫଳାଫଳକୁ ନେଇ ପାକିସ୍ତାନର ପୂର୍ବତନ ବାମହାତୀ ଦ୍ରୁତ ବୋଲର ମହମ୍ମଦ ଆମୀର ଓ ଭାରତୀୟ ସ୍ପିନର ହରଭଜନ ସିଂହଙ୍କ ମଧ୍ୟରେ କିଛି ଦିନ ଧରି ସାମାଜିକ ଗଣମାଧ୍ୟମରେ ତୀବ୍ର ବାକ୍ଯୁଦ୍ଧ ଚାଲିଛି। ଏଥିରେ ଆମୀରଙ୍କୁ ଜଣେ ‘ଫିକ୍ସର’ ବୋଲି କହି ହରଭଜନ ସମାଲୋଚନା କରିଥିଲେ। ଏହି ଘଟଣାକୁ ନେଇ ହରଭଜନ ଆଉ ପାଦେ ଆଗେଇ ଯାଇଛନ୍ତି। ସେ ପାକିସ୍ତାନ ଦଳର ପୂର୍ବତନ ଅଧିନାୟକ ତଥା ଏବର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଉଦ୍ଦେଶ୍ୟରେ ଟ୍ବିଟରରେ ବାର୍ତା ଛାଡ଼ିଛନ୍ତି। ହରଭଜନ ଜାରି କରିଥିବା ଏହି ବାର୍ତାରେ ଆମୀରଙ୍କ ଭଳି ଅସଭ୍ୟ ଲୋକଙ୍କ ପାଇଁ ସ୍କୁଲ୍ ଖୋଲିବାକୁ ଇମ୍ରାନ୍ଙ୍କୁ ପ୍ରସ୍ତାବ ଦେଇଛନ୍ତି। ଆମୀର ବରିଷ୍ଠଙ୍କୁ କିପରି ବ୍ୟବହାର ଦେଖାଯାଏ ଏବଂ ସେମାନଙ୍କ ସହ କଥାବାର୍ତା କରାଯାଏ ତାହା ଶିଖିନାହାନ୍ତି। ତେଣୁ ଇମ୍ରାନ୍ ଏକ ସ୍କୁଲ୍ ଖୋଲନ୍ତୁ, ଯେଉଁଠାରେ କି ଆମୀରଙ୍କ ଭଳି ଲୋକମାନେ ବରିଷ୍ଠ ଖେଳାଳିଙ୍କ ସହ କିପରି କଥାବାର୍ତା କରାଯାଏ ତାହା ଶିଖିପାରିବେ ବୋଲି ହରଭଜନ ଅନୁରୋଧ କରିଛନ୍ତି।
ହରଭଜନଙ୍କ କହିବା କଥା ହେଲା, ଆମ ଦେଶରେ ଭଲ ବ୍ୟବହାର କିପରି କରିବ ତାହା ଆମେ ଠିକ୍ ଭାବେ ଶିଖିଛୁ। ଆଜି ପର୍ଯ୍ୟନ୍ତ ଆମେ ୱାସିମ୍ ଆକ୍ରମଙ୍କ ଭଳି ଖେଳାଳିଙ୍କୁ ବହୁତ ସମ୍ମାନ କରୁ। ହେଲେ ଆମୀରଙ୍କ ଭଳି ବ୍ୟକ୍ତି କାହାକୁ କିପରି କଥାବାର୍ତା କରାଯାଏ ଜାଣିନାହାନ୍ତି। ଏହା ଶିକ୍ଷାଗତ ଅଭାବକୁ ଇଙ୍ଗିତ କରେ। ତଥାପି ଦେଶକୁ ବିକ୍ରି କରିଥିବା ଜଣେ ବ୍ୟକ୍ତିଙ୍କ ସଂପର୍କରେ ଅଧିକ କିଛି କହିବା ଉଚିତ ମଣୁନି ବୋଲି ହରଭଜନ କହିଛନ୍ତି।