କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିବା ପରେ ହରଭଜନ ସିଂହ ଏକ ବଡ ବୟାନ ଦେଇଛନ୍ତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି ଷ୍ଟାର ସ୍ପିନର ହରଭଜନ ସିଂହ । ତେବେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିବା ପରେ ଭଜ୍ଜି ଏବେ ଏକ ବଡ ବୟାନ ଦେଇଛନ୍ତି । ଏହି ବୟାନରେ ସେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ କିଛି ମନ୍ତବ୍ୟ ରଖିବା ସହିତ, ତାଙ୍କୁ ଦଳରୁ କାହିଁକି ବାହାର କରାଯାଇଥିଲା ସେ ନେଇ ମଧ୍ୟ ମତ ରଖିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେଇ ହରଭଜନ କହିଛନ୍ତି, ମୋତେ ଯେତେବେଳେ ୩୧ ବର୍ଷ ହୋଇଥିଲା ସେତେବେଳକୁ ମୁଁ ଟେଷ୍ଟରେ ୪୦୦ ୱିକେଟ୍ ନେଇସାରିଥିଲି । ଯଦି ମୁଁ ଏତେ କମ୍ ବର୍ଷରେ ୩୦୦ ୱିକେଟ୍ ନେଇସାରିଥିଲି, ତେବେ ଆଗାମୀ ୮ରୁ ୯ ବର୍ଷ ଭିତରେ ମୁଁ ଆଉ ୧୦୦ରୁ ଅଧିକ ୱିକେଟ୍ ନେଇପାରିଥାନ୍ତି । ହେଲେ ଏହାପରେ ମୋତେ ଆଉ ଖେଳିବାକୁ ସୁଯୋଗ ଦିଆଯାଇ ନଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୋତେ ଦଳରେ ଚୟନ ମଧ୍ୟ କରାଯାଇ ନଥିଲା ବୋଲି ହରଭଜନ ଏହି ଇଣ୍ଟରଭ୍ୟୁରେ କହିଛନ୍ତି ।

ଖାଲି ସେତିକି ନୁହେଁ, ହରଭଜନ ଆହୁରି ମଧ୍ୟ କହିଛନ୍ତି ଯେ , ଜଣେ ଖେଳାଳି ୪୦୦ ୱିକେଟ୍ ନେବା ପରେ ତାଙ୍କୁ କିପରି ଦଳରୁ ବାହାର କରାଯାଇପାରିବ? ଏ ପ୍ରଶ୍ନର ଉତ୍ତର ତାଙ୍କୁ ଆଜି ପର୍ଯ୍ୟନ୍ତ ମିଳିନି । ତେବେ କେଉଁଠି ଅସୁବିଧା ଥିଲା? ତାହା ମଧ୍ୟ ସେ ଏପର୍ଯ୍ୟନ୍ତ ଜାଣିନାହାଁନ୍ତି ବୋଲି ହରଭଜନ କହିଛନ୍ତି । ଅନ୍ୟପଟେ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ମଧ୍ୟ ମତ ରଖିଛନ୍ତି ଭଜ୍ଜି ।

ହରଭଜନ କହିଛନ୍ତି, ଯେତେବେଳେ ମୋତେ ଦଳରୁ ବାଦ୍ ଦିଆଯାଇଥିଲା ସେତେବେଳେ ମୁଁ ଏନେଇ ଅଧିନାୟକ ଧୋନୀଙ୍କ ସହ କଥା ହୋଇଥିଲି । ହେଲେ ତାଙ୍କଠାରୁ ମୋତେ କିଛି ବି ଉତ୍ତର ମିଳି ନଥିଲା । ତା ପରେ ମୋତେ ଏହା ଅନୁଭବ ହେଲା ଯେ, ମୋତେ ଦଳରୁ ବାହାର କରିବା ନେଇ ମୋତେ କୌଣସି ବି କାରଣ କୁହାଯିବ ନାହିଁ । ତେଣୁ ଏହାପରେ ମୁଁ ଏହି କଥା ପଚାରିବା ଛାଡି ଦେଇଥିଲି ।

ସୂଚନାଯୋଗ୍ୟ ଯେ, ୪୧ ବର୍ଷୀୟ ହରଭଜନ ସିଂହ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିବା ସହିତ ସମସ୍ତ ପ୍ରକାର କ୍ରିକେଟକୁ ଅଲବିଦା କହିଥିଲେ । ତେବେ ଦୀର୍ଘ ୨୩ ବର୍ଷର କ୍ରିକେଟ୍ କ୍ୟାରିୟର ଭିତରେ ସେ ମୋଟ ୧୦୩ଟି ଟେଷ୍ଟ ଖେଳି ୪୧୭ ୱିକେଟ୍ ସହ ୨୩୬ଟି ଦିନିକିଆ ମ୍ୟାଚ୍ ଖେଳି ୨୬୯ ସଫଳତା ପାଇଥିଲେ । ସେହିପରି ୨୮ଟି ଟି-୨୦ ମ୍ୟାଚରୁ ସେ ୨୫ଟି ସଫଳତା ପାଇଥିଲେ ।

ସମ୍ବନ୍ଧିତ ଖବର