ନାରୀ ବେଶରେ ନର କ୍ରିକେଟର୍‌

ଭଜିଙ୍କ ଦୁଷ୍ଟାମିର ଶିକାର ‌ହେଲେ ପୁରୁଣା, ନୂଆଙ୍କୁ ହଇରାଣ କଲେ ଯୁବି

ମୁମ୍ବାଇ : ଭାରତୀୟ କ୍ରିକେଟ୍‌ର ଦୁଇ ପୂର୍ବତନ ତାରକା ଖେଳାଳି ହରଭଜନ ସିଂହ ଓ ଯୁବରାଜ ସିଂହ ପଡ଼ିଆ ଭିତରେ ପ୍ରତିପକ୍ଷ ଖେଳାଳିଙ୍କୁ ନିଜ ପ୍ରଚଣ୍ଡ ପ୍ରତିଭାରେ ନୟାନ୍ତ କରନ୍ତି। ପଡ଼ିଆ ବାହାରେ କିନ୍ତୁ ନିଜ ସାଥୀ ଖେଳାଳିଙ୍କ ସହ ବିଭିନ୍ନ ଥଟ୍ଟାମଜା କରିବାକୁ ପସନ୍ଦ କରନ୍ତି। ଅବସର ନେଇ ସାରିଥିଲେ ମଧ୍ୟ ଯୁବିଙ୍କ ସେହି ପିଲାଳିଆମି ଏବେ ବି ଯାଇନି। ଭଜି ମଧ୍ୟ କିଛି କମ୍ ନୁହନ୍ତି। କରୋନା ପ୍ରକୋପ ପାଇଁ ଘରେ ରହିବାକୁ ବାଧ୍ୟ ହୋଇଥିବା ଏହି ଦୁଇ ଲୋକପ୍ରିୟ ଖେଳାଳି ଜେଣ୍ଡର ସ୍ବାପ୍ ବା ଲିଙ୍ଗ ବଦଳ ଆପ୍ ଜରିଆରେ ପୂର୍ବତନ ଓ ଏବେକାର କ୍ରିକେଟରଙ୍କୁ ନାରୀ ବେଶରେ ସଜାଇ ତା’ର ଫଟୋକୁ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଏହି ଫଟୋଗୁଡ଼ିକୁ ଯିଏ ଦେଖୁଛି, ସିଏ ନ ହସି ରହି ପାରୁନାହାନ୍ତି। ବିରାଟ ‌କୋହଲି, ରୋହିତ ଶର୍ମା, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର ଓ ୟୁଜବେନ୍ଦ୍ର ଚହଲଙ୍କ ସହ ଆହୁରି ଅନେକ ଭାରତୀୟ କ୍ରିକେଟରଙ୍କ ନାରୀ ବେଶ ଫଟୋକୁ ପ୍ରକାଶ କରି ସେମାନଙ୍କ ମଧ୍ୟରୁ ନିଜ ପସନ୍ଦର ବାନ୍ଧବୀ ବାଛିବାକୁ ଯୁବି ନିଜ ପ୍ରଶଂସକଙ୍କୁ ଆହ୍ବାନ କରିଛନ୍ତି। ତାଙ୍କୁ ଦେଖି ଭଜି ନିଜ ପୁରୁଣା ସାଥୀ ଯେମିତି କି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ବୀରେନ୍ଦ୍ର ସେହବାଗଙ୍କ ଭଳି ଖେଳାଳିଙ୍କ ଉପରେ ଜେଣ୍ଡର ସ୍ବାପ୍ ଆପକୁ ପ୍ରୟୋଗ କରିଛନ୍ତି। ସେମାନଙ୍କ ନାରୀ ବେଶକୁ ସାମାଜିକ ଗଣମାଧ୍ୟମରେ ଛାଡ଼ି ଆପଣ କାହା ସହ ଡେଟ୍‌ରେ ଯିବାକୁ ଚାହିଁବେ ବୋଲି ପ୍ରଶଂସକଙ୍କୁ ପ୍ରଶ୍ନ କରିଛନ୍ତି। ସଚିନ, ସୌରଭ, ଦ୍ରାବିଡ୍‌, ସେହବାଗଙ୍କ ସହ ଭଜିଙ୍କ ଫଟୋ ଗୁଚ୍ଛରେ ସେ ନିଜେ ଓ ଯୁବି ମଧ୍ୟ ଅଛନ୍ତି। ଭଜିଙ୍କ ଏହି ଫଟୋ ଦେଖି ତାଙ୍କ ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଜାଦାର ଉତ୍ତର ଦେଇଥିଲେ। ନିଜ ଫଟୋକୁ ଲକ୍ଷ୍ୟ କରି ଗାଙ୍ଗୁଲି ଲେଖିଥିଲେ ଯେ କଳା ଚଷମା ପିନ୍ଧିଥିବା ମଝି ମହିଳାଙ୍କୁ ମୁଁ ପସନ୍ଦ କରେ।

ସେପଟେ ଯୁବରାଜ ପ୍ରକାଶ କରିଥିବା ଜେଣ୍ଡର ସ୍ବାପ୍ ଫଟୋରୁ ଭଜି ଦ୍ରୁତ ‌ବୋଲର ଭୁବନେଶ୍ବର କୁମାରଙ୍କୁ ବାଛିଛନ୍ତି। ପୂର୍ବତନ କ୍ରିକେଟର ଆଶିଷ ନେହରାଙ୍କ ପତ୍ନୀ ରୁଷମା ମଧ୍ୟ ଭଜିଙ୍କ ସହ ଏକମତ ହୋଇଛନ୍ତି। ‘ଭୁବି ସବୁଠାରୁ ସୁନ୍ଦର’ ବୋଲି ବଲିଉଡ୍ ‌ଅଭି‌ନେତା ନିଜ ପ୍ରତିକ୍ରିୟାରେ ଲେଖିଛନ୍ତି। ଅଭିନେତା କରଣ ୱାହି ମଧ୍ୟ ଭୁବିଙ୍କୁ ବାଛିଛନ୍ତି। ‘ମୋ ଭୋଟ ଭୁବିଙ୍କୁ ଯାଉଛି’ ବୋଲି ସେ ଲେଖିଛନ୍ତି। ଭୁବନେଶ୍ବର ନିଜେ ମଧ୍ୟ ନିଜକୁ ବାଛିଛନ୍ତି। ‘ମୁଁ ଭୁବିଙ୍କୁ ବାଛୁଛି’ ବୋଲି ସେ ଲେଖିଛନ୍ତ। ଯୁବି ଓ ଭଜି ବହୁ ପୁରୁଷ କ୍ରିକେଟରଙ୍କୁ ମହିଳା ରୂପ ଦେଇଥିଲେ ମଧ୍ୟ ଏହି ଧାରା ସ୍ପିନର ୟୁଜବେନ୍ଦ୍ର ଚହଲ ଆରମ୍ଭ କରିଥିଲେ। ଯୁବି ଓ ଭଜିଙ୍କ ଏହି ନିଆରା ଫଟୋ ଆଲବମକୁ ଲକ୍ଷ ଲକ୍ଷ ଲାଇକ୍ ମିଳୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର