ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଫ୍ ସ୍ପିନର ହରଭଜନ ସିଂହ ଆଇପିଏଲ୍ ଜୀବନରୁ ଯଦିଓ ଅବସର ନେଇନାହାନ୍ତି, କିନ୍ତୁ ଏବେ ତାଙ୍କୁ ଆଉ ପଡ଼ିଆରେ ଦେଖାଯିବା ପରିବର୍ତ୍ତେ ଅଧିକ ସମୟ ଷ୍ଟୁଡିଓ ଭିତରେ ଦେଖିବାକୁ ମିଳୁଛି। ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିସାରିଥିବା ହରଭଜନ ତାଙ୍କର ଶେଷ ଆଇପିଏଲ୍ ପଞ୍ଜାବ ପକ୍ଷରୁ ଖେଳିବାକୁ ଆଗ୍ରହ ଦେଖାଇଛନ୍ତି। ଏକ ଟେଲିଭିଜନ୍ କାର୍ଯ୍ୟକ୍ରମରେ ଜଣେ ପ୍ରଶଂସକ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲା ବେଳେ ଭଲ ଲାଗୁଥିଲା ନା ପଞ୍ଜାବ କିଙ୍ଗ୍ସ ପାଇଁ ଖେଳିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ କେବେ ବି ଖେଳିବାକୁ ସୁଯୋଗ ପାଇନଥିବା କହିଥିଲେ।
ତଥାପି ଗତ ଦୁଇ ତିନି ବର୍ଷ ଧରି ସେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳିବାକୁ ଚାହୁଁଥିଲେ। ତାଙ୍କ ପାଖରେ ଯାହା ଦକ୍ଷତା ଅଛି ତାହାକୁ ପଞ୍ଜାବ ପାଇଁ ବ୍ୟବହାର କରିବାକୁ ସେ ଚାହିଁଥିଲେ। ଆଇପିଏଲ୍ରେ ପ୍ରଥମ ୧୦ ବର୍ଷ ମୁମ୍ବାଇ ପକ୍ଷରୁ ଖେଳିଥିବାରୁ ତାହା ତାଙ୍କ ପାଇଁ ସ୍ମରଣୀୟ ଥିଲା। ଦଳ ସହିତ ସେ ତିନିଥର ଟ୍ରଫି ଜିତିଛନ୍ତି। ୨୦୧୮ରେ ଚେନ୍ନାଇ ସୁପର କିଙ୍ଗ୍ସରେ ଯୋଗଦେବା ପରେ ଏହି ବର୍ଷ ଦଳକୁ ବିଜେତା କରାଇଥିଲେ। ପରେ ୨୦୨୧ରେ ସେ କୋଲ୍କାତା ନାଇଟ୍ ରାଇଡର୍ସକୁ ୨ କୋଟି ଟଙ୍କାରେ କିଣା ହୋଇ ଆସିଥିଲେ। ତେଣୁ କେବେ ବି ପଞ୍ଜାବ ପାଇଁ ଖେଳିନଥିବାରୁ ତାଙ୍କର ବିଦାୟୀ ଆଇପିଏଲ୍କୁ ଏହି ଦଳ ପକ୍ଷରୁ ଖେଳିବାକୁ ସେ ଚାହିଁଛନ୍ତି। ଆଇପିଏଲ୍ରେ ହରଭଜନ ୧୬୩ ମ୍ୟାଚ୍ ଖେଳିଥିଲା ବେଳେ ୧୫୦ ୱିକେଟ୍ ନେଇଛନ୍ତି। ଏହାବାଦ୍ ୧୩୭ ଷ୍ଟ୍ରାଇକ୍ ରେଟ୍ରେ ୮୩୩ ରନ୍ ସଂଗ୍ରହ କରିଛନ୍ତି।