ନୂଆଦିଲ୍ଲୀ: କିଛି ମାସ ତଳେ ଭାରତୀୟ ମହିଳା କ୍ରିକେଟର୍ କାଶଭୀ ଗୌତମଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ପୂରଣ କରିଛନ୍ତି। ମହିଳା ପ୍ରିମିୟର୍ ଲିଗ୍ ବେଳେ ହାର୍ଦିକଙ୍କୁ ଗୁଜରାଟ ଜାଏଣ୍ଟସ୍ରୁ ଖେଳୁଥିବା ୨୧ ବର୍ଷୀୟା କାଶଭୀ ଭେଟିଥିଲେ। ଆଲୋଚନା ବେଳେ ହାର୍ଦିକଙ୍କୁ ତାଙ୍କ ସାଥୀମାନେ କହିଥିଲେ, କାଶଭୀ ତୁମର ବଡ଼ ପ୍ରଶଂସକ ଏବଂ ତାଙ୍କ ବ୍ୟାଟ୍ରେ ‘ଏଚ୍ପି୩୩’ ଲେଖିଛନ୍ତି। ଏହା ହାର୍ଦିକଙ୍କ ମନକୁ ଛୁଇଁଥିଲା ଏବଂ କାଶଭୀଙ୍କୁ ଏକ ୧୧୦୦ ଗ୍ରାମ୍ର ବ୍ୟାଟ୍ ଦେବାକୁ କହିଥିଲେ। ହାର୍ଦିକ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ କାଶଭୀଙ୍କୁ ଏହି ଉପହାର ଦେଇଛନ୍ତି।
ବ୍ୟାଟ୍ ପ୍ରଦାନ ବେଳର ଭିଡିଓରେ ହାର୍ଦିକ କହୁଛନ୍ତି, ପ୍ରଥମ କଲ୍ ପାଇଁ ଅଭିନନ୍ଦନ, ଏହା ନେଇ ଦେଖ, ଭଲ ନଲାଗିଲେ ଫେରାଇଦେବ। ଖେଳ ଏବଂ ଉପଭୋଗ କର। ଭଲରେ ରୁହ, ଭାରତ ପାଇଁ ଖେଳ। ଯୁବା ଅଲ୍ରାଉଣ୍ଡର୍ କାଶଭୀ ଡବ୍ଲ୍ୟୁପିଏଲ୍ରେ ଚମତ୍କାର ପ୍ରଦର୍ଶନ କରିବା ପରେ ପ୍ରଥମ ଥର ଲାଗି ଭାରତୀୟ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ଡବ୍ଲ୍ୟୁପିଏଲ୍ ସେ ୯ ମ୍ୟାଚ୍ ଖେଳି ୬.୪୫ ଇକୋନୋମିରେ ୧୧ ୱିକେଟ୍ ହାସଲ କରି ଗୁଜରାଟର ଅଗ୍ରଣୀ ୱିକେଟ୍ ହାସଲକାରୀ ହୋଇଥିଲେ। ଏଥିସହ ବ୍ୟାଟିଂରେ ମଧ୍ୟ କିଛି ଉପଯୋଗୀ ପାଳି ଖେଳିଥିଲେ।