ଅହମଦାବାଦ: ଆଇପିଏଲ୍‌ରେ ପ୍ରଥମ ଥର ପାଇଁ ଦୁଇ ଦଳର ନେତୃତ୍ବ ନେଇଥିଲେ ପାଣ୍ଡ୍ୟା ଭାଇ-କୃନାଲ ଓ ହାର୍ଦିକ। ବଡ଼ ଭାଇ କୃନାଲ ପ୍ରଥମ ପାଳି ବେଳେ ହାର୍ଦିକଙ୍କ କ୍ୟାଚ୍‌ ନେଇଥିଲେ। କିନ୍ତୁ ମ୍ୟାଚ୍‌ ଜିତିଗଲେ ସାନ ଭାଇ ହାର୍ଦିକ। ଅହମଦାବାଦର ଐତିହାସିକ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମାଚ୍‌ରେ ବିଜେତା ଗୁଜରାଟ ଟାଇଟନ୍ସ ୫୬ ରନ୍‌ରେ ଏକତରଫା ଭାବେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସକୁ ପରାସ୍ତ କରି ପ୍ଲେ ଅଫ୍‌ ଯୋଗ୍ୟତାକୁ ନିଶ୍ଚିତ କରିଛି। ହାର୍ଦିକଙ୍କ ଦଳ ଏକାଦଶ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ପାଇଥିବା ବେଳେ ଶୀର୍ଷ ସ୍ଥାନକୁ ମଧ୍ୟ ଦୃଢ଼ କରିଛି। କେଏଲ୍ ରାହୁଲଙ୍କ ଅନୁପସ୍ଥିତିରେ କୃନାଲଙ୍କ ଦଳ କିନ୍ତୁ ଏକାଦଶ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରିଛି। ଏପରିକି ଉଭୟ ଋତୁର ସମସ୍ତ ୪ ମ୍ୟାଚ୍‌ ଜିତି ଲକ୍ଷ୍ନୌ ବିପକ୍ଷରେ ଗୁଜରାଟ ୪-୦ରେ ଅପରାଜେୟ ରେକର୍ଡକୁ ଆଗକୁ ନେଇଛି। ରବିବାର ପ୍ରଥମ ୱିକେଟ୍ ପାଇଁ ୧୨ ଓଭରରେ ୧୪୨ ରନ୍‌ ଉଠାଇଥିବା ଶୁବମନ ଗିଲ୍ (ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି) ଏବଂ ଋଦ୍ଧିମାନ ସାହା (ସର୍ବାଧିକ ପଏଣ୍ଟର ଇମ୍ପାକ୍ଟ ଖେଳାଳି) ବ୍ୟକ୍ତିଗତ ପୁରସ୍କାର ଅର୍ଜନ କରିଥିଲେ।

Advertisment

କୃନାଲ ପାଣ୍ଡ୍ୟା ଟସ୍ ଜିତି ଫିଲ୍ଡିଂ କରିଥ‌ିଲେ। ପ୍ରଥମରୁ କିନ୍ତୁ ଋଦ୍ଧିମାନ ସାହା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଆରମ୍ଭରୁ ଚୌକା ଓ ଛକା ବର୍ଷା କରି ମାତ୍ର ୨୦ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରି ନେଇଥିଲେ। ପ୍ରଥମରୁ ରହି ରହି ଖେଳିଥିବା ଶୁବମନ କିନ୍ତୁ ୫୦ ରନ୍ ପାଇଁ ୨୯ ବଲ୍‌ ଖେଳିଥିଲେ। ସାହା ୪୩ ବଲ୍‌ରୁ ୮୧ ରନ୍‌ କରି ଅୱେସ ଖାନ୍‌ଙ୍କ ଶିକାର ହୋଇଥିଲେ। ଶୁବମନ ଗିଲ୍‌ କିନ୍ତୁ ୫୧ ବଲ୍‌ରୁ ୯୪ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ। ହାର୍ଦିକ ପାଣ୍ଡ୍ୟା ଓ ଡେଭିଡ୍ ମିଲର ମଧ୍ୟ ଭଲ ଖେଳିଥିଲେ। ଫଳରେ ଘରୋଇ ଗୁଜରାଟ ଟାଇଟନ୍ସ ୨୨୭ ରନ୍‌ର ଆହ୍ବାନଭରା ସ୍କୋର୍‌ ଛିଡ଼ା କରିଦେଇଥିଲା।

ଗୁଜରାଟର ଏହା ମଧ୍ୟ ଆଇପିଏଲ୍‌ରେ ସର୍ବୋଚ୍ଚ ଦଳଗତ ସ୍କୋର୍‌ ହୋଇଥିଲା। ଲକ୍ଷ୍ନୌର ୮ ଜଣ ବୋଲିଂ କରିଥିଲେ ମଧ୍ୟ ରନ୍‌ ଗତିକୁ ନିୟନ୍ତ୍ରଣ କରିପାରିନଥିଲେ। ଗୁଜରାଟ ପାୱାର ପ୍ଲେ ୬ ଓଭରରେ ବିନା ୱିକେଟ୍‌ରେ ୭୮ ରନ୍ କରିଥିବା ବେଲେ ଲକ୍ଷ୍ନୌ ବିନା କ୍ଷତିରେ ୭୨ ରନ୍ କରି ଦୃଢ଼ ଜବାବ ଦେଇଥିଲା। କାଏଲ ମାୟର୍ସଙ୍କୁ ଆଉଟ୍ କରି ମୋହିତ ଶର୍ମା ଦଳକୁ ପ୍ରଥମ ୱିକେଟ୍‌ ଦେବା ପରେ ଦୁଇ ଆଫଗାନିସ୍ତାନ ସ୍ପିନର୍ ରସିଦ୍ ଖାନ୍ ଏବଂ ନୂର ଅହମ୍ମଦ ମିଳିତ ଭାବେ ୮ ଓଭରରେ ୬୦ ରନ୍‌ ଦେଇ ଲକ୍ଷ୍ନୌକୁ ଲକ୍ଷ୍ୟ ପଥ ଆଡ଼କୁ ଯିବାକୁ ଦେଇନଥିଲେ। କେଏଲ ରାହୁଲଙ୍କ ଅନୁପସ୍ଥିତି ପାଇଁ ନବୀନ ଉଲ୍ ହକଙ୍କ ବଦଳରେ ଚଳିତ ଋତୁରେ ପ୍ରଥମ ଥର ଖେଳିଥିବା କ୍ବିଣ୍ଟନ୍ ଡି’କକ୍ (୪୧ ବଲ୍‌ରୁ ୭୦) ଏକା ଲଢ଼ିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା। ମଧ୍ୟକ୍ରମ ମନ୍ଥର ରହିବା ପରେ ମୋହିତ ଶର୍ମା (୪-୦-୨୯-୪) ଚମତ୍କାର ବେଲିଂ ଚିତ୍ର ସହ ଲକ୍ଷ୍ନୌକୁ ୧୭୧/୭ରେ ରୋକି ଦେଇଥିଲେ।