ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍‌ ଓ ଇଂଲଣ୍ଡ ଶୃଙ୍ଖଳା: ଟେଷ୍ଟ୍ ଦଳରୁ ହାର୍ଦିକ ବାଦ୍‌, ଜାଦେଜା ଫେରିଲେ

ମୁମ୍ବାଇ : ଆସନ୍ତା ମାସରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍‌ ଏବଂ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଲାଗି ଶୁକ୍ରବାର ବିସିସିଆଇ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଅଲରାଉଣ୍ଡର୍‌ର ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଏବଂ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ପୃଥ୍ବୀ ସ’ ବାଦ୍‌ ପଡ଼ିଥିବା ବେଳେ କେଏଲ୍‌ ରାହୁଲ ଓ ଋଦ୍ଧିମାନ ସାହାଙ୍କୁ ‘ଫିଟନେସ୍‌ ସର୍ତ୍ତ’ରେ ସାମିଲ କରାଯାଇଛି। ଆହତ କାରଣରୁ ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ବାଦ୍‌ ପଡ଼ିଥିବା ବାମହାତୀ ଅଲରାଉଣ୍ଡର୍‌ ରବୀନ୍ଦ୍ର ଜାଦେଜା ଦଳକୁ ଫେରିଛନ୍ତି। ତାଙ୍କ ବ୍ୟତୀତ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି। ତେବେ ଜାଦେଜାଙ୍କ ବଦଳରେ ଗତ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରେ ଖେଳିଥିବା ଅକ୍ଷର ପଟେଲ୍‌ ନିଜ ପ୍ରଭାବୀ ପ୍ରଦର୍ଶନ ପାଇଁ ଦଳରେ ସ୍ଥାନ ସୁରକ୍ଷିତ ରଖିଛନ୍ତି। ଆହତ କାରଣରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରୁ ବଞ୍ଚିତ ହନୁମା ବିହାରୀ ମଧ୍ୟ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି। ଯୁବ ୱିକେଟରକ୍ଷକ ଈଶାନ କିଶନଙ୍କୁ ସୁଯୋଗ ଦିଆଯାଇନାହିଁ।

ରୋହିତ ଶର୍ମା, ଶୁଭମନ ଗିଲ୍‌, ମୟଙ୍କ ଅଗ୍ରୱାଲ୍‌ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଭାବେ ରହିଥିବା ବେଳେ ଫିଟନେସ୍‌ ସର୍ତ୍ତ ସହ କେଏଲ୍‌ ରାହୁଲଙ୍କୁ ମଧ୍ୟ ଚତୁର୍ଥ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ବିକଳ୍ପ ଭାବେ ରଖାଯାଇଛି। ରାହୁଲ ଆଇପିଏଲ୍‌ ସ୍ଥଗିତ ପୂର୍ବରୁ ନିଜ ଆପେଣ୍ଟିସାଇଟିସ୍ ଅସ୍ତ୍ରୋପଚାର କରାଇଥିଲେ। ଦ୍ବିତୀୟ ୱିକେଟରକ୍ଷକ ଋଦ୍ଧିମାନ ସାହା କୋଭିଡ୍‌ ସଂକ୍ରମିତ ଥିବାରୁ ତାଙ୍କ ପାଇଁ ମଧ୍ୟ ଫିଟନେସ୍‌ ସର୍ତ୍ତ ରଖାଯାଇଛି। ଆହତ କାରଣରୁ ଅଷ୍ଟ୍ରେଲିଆ ଗସ୍ତରେ ସମସ୍ତ ଫର୍ମାଟରେ ପଦାର୍ପଣ କରିଥିବା ଟି ନଟରାଜନଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ। ୪ ଷ୍ଟାଣ୍ଡବାଇ ଖେଳାଳିଙ୍କୁ ମିଶାଇ ଭାରତ ଏକ ୨୪ ଜଣିଆ ଦଳ ନେଇ ଜୁନ୍‌ ୨ରେ ଇଂଲଣ୍ଡ ଗସ୍ତ କରିବାର ଯୋଜନା ରହିଛି। ସାଉଥାମ୍ପଟନ୍‌ରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ଆଇସିସି ବିଶ୍ବ ଚାମ୍ପିଅନସିପ୍‌ ଫାଇନାଲ୍ ଜୁନ୍ ୧୮ରୁ ୨୨ ମଧ୍ୟ‌ରେ ଖେଳାଯିବ। ଏହା ପରେ ଅଗଷ୍ଟ ୪ରୁ ସେପ୍ଟେମ୍ବର ୧୪ ମଧ୍ୟରେ ଇଂଲଣ୍ଡ ବିପକ୍ଷରେ ବିରାଟ କୋହଲିଙ୍କ ଦଳ ୫ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ଖେଳିବ।

ଭାରତୀୟ ଟେଷ୍ଟ୍ ଦଳ: ରୋହିତ ଶର୍ମା, ଶୁଭମନ ଗିଲ୍, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ୍ (ୱିକେଟରକ୍ଷକ), ରବିଚନ୍ଦ୍ରନ୍‌ ଅଶ୍ବିନ୍‌ , ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍‌, ୱାସିଂଟନ୍ ସୁନ୍ଦର, ଯଶପ୍ରୀତ୍ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦୁଳ ଠାକୁର, ଉମେଶ ଯାଦବ, କେଏଲ୍‌ ରାହୁଲ୍‌ ଓ ଋଦ୍ଧିମାନ ସାହା। ଷ୍ଟାଣ୍ଡବାଇ: ଅଭିମନ୍ୟୁ ଈଶ୍ବରନ୍, ପ୍ରସିଦ୍ଧ କୃଷ୍ଣ, ଅଭେସ୍ ଖାନ୍‌, ଅର୍ଜାନ୍ ନାଗୱାସୱାଲା।

ଗସ୍ତ ପୂର୍ବରୁ ଜୈବ ସୁରକ୍ଷିତ ବଳୟ, କୋଭିସିଲ୍ଡ ଟିକା
ମୁମ୍ବାଇ : ନ୍ୟୁଜିଲାଣ୍ଡ୍ ବିପକ୍ଷ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍‌ ଏବଂ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ଲାଗି ବ୍ରିଟେନ୍ ଗସ୍ତ ପୂର୍ବରୁ ଭାରତୀୟ ଦଳ ଦେଶରେ ଏକ ସପ୍ତାହ ଧରି ଏକ ଜୈବ ବଳୟ ଭିତରେ ରହିବ ବୋଲି ଯୋଜନା କରିଛି ବିସିସିଆଇ। ବ୍ରିଟେନ୍‌ର ୧୫ ଦିନିଆ ସଙ୍ଗରୋଧ କଟକଣାକୁ ଏଡ଼ାଇବା ଲାଗି ଭାରତ ଏଭଳି ଯୋଜନା କରିଛି। ଯାତାୟତ କଟକଣା କାରଣରୁ ଭାରତ ମଧ୍ୟ ଚାର୍ଟାର୍ଡ ଫ୍ଲାଇଟରେ ଇଂଲଣ୍ଡ ଗସ୍ତ କରିବ ଏବଂ ଇଂଲଣ୍ଡକୁ ଅନୁରୋଧ କରିବ ସେଠାରେ ଗୋଟିଏ ସପ୍ତାହ ସଙ୍ଗରୋଧକୁ କମ୍‌ କରିବାକୁ। ତଥାପି ଇଂଲଣ୍ଡ ପାଣିପାଗ ସହ ନିଜକୁ ଖାପ ଖୁଆଇବା ଲାଗି ୮/୧୦ ଦିନ ପୂର୍ବରୁ ସେଠାରେ ପହଞ୍ଚିବାର ଯୋଜନା ରହିଛି। ବ୍ରିଟେନ୍ ସରକାରଙ୍କଠାରୁ ସବୁଜ ସଙ୍କେତ ମିଳିଲେ ଭାରତୀୟ ଦଳ ଆଗୁଆ ଜୁନ୍‌ ୯ ତାରିଖରୁ ଇଂଲଣ୍ଡରେ ସଙ୍ଗରୋଧ ଆରମ୍ଭ କରିବ ବୋଲି ଯୋଜନା ରହିଛି। ଗତବର୍ଷ ୟୁଏଇର ଜୈବ ବଳୟରୁ ଭାରତୀୟ ଦଳ ସିଧାସଳଖ ଅଷ୍ଟ୍ରେଲିଆ ଗସ୍ତ କରିଥିବାରୁ ସେଠାକାର ସରକାର ସଙ୍ଗରୋଧ ନିୟମରେ ଗୋଟିଏ ସପ୍ତାହର କୋହଳ କରିଥିଲା। ସେହିଭଳି ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତ ପୂର୍ବରୁ କୋଭିସିଲଡ୍ ଟିକା ନେବାର ସମ୍ଭାବନା ରହିଛି। କାରଣ ଉଭୟ ଡୋଜ୍‌ ଟିକା ଭାରତରେ ଥିବାବେଳେ ଭାରତୀୟ ଖେଳାଳିଙ୍କ ପାଇଁ ସମ୍ଭବ ନଥିବାରୁ ସେମାନେ କୋଭିସିଲ୍ଡ ନେବା ଲାଗି ପରାମର୍ଶ ଦିଆଯାଇଛି। କାରଣ କୋଭିସିଲ୍‌ଡ ବ୍ରିଟେନ୍ ଉତ୍ପାଦ ଏବଂ ସେଠାରେ ଦିଆଯାଉଥିବା ଆଷ୍ଟ୍ରାଜାନେକା ଟିକା ଭଳି। ଫଳରେ ସେଠାରେ ଭାରତୀୟ ଖେଳାଳିମାନେ ଦ୍ବିତୀୟ ଡୋଜ୍‌ ନେଇ ପାରିବେ।

ସମ୍ବନ୍ଧିତ ଖବର