ବାପା ହେବ ତ ଏମିତି

ଭଦୋଭରା : ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଶନିବାର ହୃଦୟକୁ ଛୁଇଁଗଲା ଭଳି ଏକ ଫଟୋ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଥିଲେ। ଏଥିରେ ସେ ନିଜ ୪ ମାସର ପୁଅକୁ କ୍ଷୀର ପିଆଉଥିବା ଦେଖିବାକୁ ମିଳୁଛି। ଗତ କିଛି ମାସ ହେବ ନିରନ୍ତର କ୍ରିକେଟ୍ ଖେଳି ଆସୁଥିବା ୨୭ ବର୍ଷୀୟ ପାଣ୍ଡ୍ୟା ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ‌ଶେଷ କରି ଦୀର୍ଘ ଦିନ ପରେ ପୁଅକୁ ଦେଖିଥିଲେ। ପୁଅ ଅଗସ୍ତ୍ୟକୁ ମିସ୍ କରୁଥିବା ଅନେକ ଥର ମଧ୍ୟ ସାକ୍ଷାତକାରରେ କହିଥିଲେ। ଆଉ ଘରକୁ ଫେରିଲା ପରେ ପୁଅଠାରୁ କ୍ଷଣକ ପାଇଁ ମଧ୍ୟ ଅଲଗା ହେଉନାହାନ୍ତି ସେ। ବାପା ହେବାର ସବୁ କର୍ତ୍ତବ୍ୟ କରୁଛନ୍ତି। ପୂର୍ବରୁ କିନ୍ତୁ ପାଣ୍ଡ୍ୟା ନିଜ ବେପରୁଆ ଜୀବନଶୈଳୀ ପାଇଁ ବିବାଦରେ ରହିବା ସହ ଏକ ଟେଲିଭଜନ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ ଭାରତୀୟ ଦଳରୁ ନିଲମ୍ବିତ ହୋଇଥିଲେ। ବିବାହ, ବିଶେଷ କରି ପିତା ହେବା ପରେ କିନ୍ତୁ ସେ ସଂପୂର୍ଣ୍ଣ ବଦଳି ଯାଇଛନ୍ତି। ଯାହା ତାଙ୍କ ଆଚାର ବ୍ୟବହାରରୁ ସ୍ପଷ୍ଟ ହୋଇଛି।

ଶନିବାର ଫଟୋଟି ପକାଇ ପୁଅ ପ୍ରତି ଥିବା ଭଲ ପାଇବାକୁ ଦର୍ଶାଇବା ସହ ତା’ ତଳେ ଏକ ସୁନ୍ଦର କ୍ୟାପସନ୍ ଦେଇଛନ୍ତି ଏହି ସଫଳ କ୍ରିକେଟ୍‌ ତାରକା। ଯାହା ତାଙ୍କ ବ୍ୟକ୍ତିତ୍ବର ଏକ ନୂଆ ଏବଂ ମନଛୁଆଁ ଦିଗକୁ ଉନ୍ମୋଚିତ କରିଛି। ସେ ଲେଖିଛନ୍ତି ‘ଜାତୀୟ କର୍ତ୍ତବ୍ୟରୁ ପିତୃତ୍ବ ଦାୟିତ୍ବ’। ଏହି ଫଟୋ ଓ କ୍ୟାପସନ୍ ଏବେ ସାମାଜିକ ଗଣମାଧ୍ୟମରେ ପୂରା ଭାଇରାଲ ହୋଇଯାଇଛି। ସୂଚନାଯୋଗ୍ୟ ଯେ ପାଣ୍ଡ୍ୟା ନୂଆ ବର୍ଷର ଠିକ୍ ପୂର୍ବରୁ ସର୍ବିୟାର ବଲିଉଡ୍ ଅଭିନେତ୍ରୀ ନତାଶା ଷ୍ଟାଙ୍କୋଭିକଙ୍କ ସହ ନିର୍ବନ୍ଧ ଘୋଷଣା କରିଥିଲେ। କରୋନା ଲକଡାଉନ୍ ବେଳେ ନତାଶା ଗର୍ଭବତୀ ଥିବା ମଧ୍ୟ ସୂଚନା‌ ଦେଇଥିଲେ। ସେହିଭଳି ଚଳିତ ବର୍ଷ ଜୁଲାଇ ୩୦ ତାରିଖରେ ପିତା ହୋଇଥିଲେ। ତେବେ ସଙ୍ଗେ ସଙ୍ଗେ ତାଙ୍କୁ ଆଇପିଏଲ୍ ଖେଳିବା ଲାଗି ୟୁଏଇ ଯିବାକୁ ପଡ଼ିଥିଲା। ଏବଂ ସେଠାରୁ ଅନ୍ତର୍ଜାତୀୟ ଦ୍ବିପାକ୍ଷିକ ଶୃଙ୍ଖଳା ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ ସେ। ଉଭୟ ଦିନିକିଆ ଏବଂ ଟ୍ବେଣ୍ଟି-୨୦ରେ ଚମତ୍କାର ପ୍ରଦର୍ଶନ କରିବା ସହ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ପାଣ୍ଡ୍ୟା‌।

ସମ୍ବନ୍ଧିତ ଖବର