ଛାଡପତ୍ର ହେଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମ୍ପତ୍ତିର ୭୦ପ୍ରତିଶତ ନେବେ ନତାଶା !

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ପ୍ରଥମେ ତାଙ୍କ ଦଳ ଖରାପ ପ୍ରଦର୍ଶନ କରି ଆଇପିଏଲ୍ ୨୦୨୪ରୁ ବାହାରିବା ପରେ ବର୍ତ୍ତମାନ ତାଙ୍କ ବିବାହ ଭାଙ୍ଗିବାକୁ ଯାଉଥିବା ଜଣାପଡିଛି | ମିଡିଆ ରିପୋର୍ଟ ଅନୁଯାୟୀ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ପରସ୍ପରକୁ ଛାଡପତ୍ର ଦେବାକୁ ଯାଉଛନ୍ତି। ତେବେ ଏ ସମ୍ପର୍କରେ ଦୁହେଁ କୌଣସି ଅଧିକାରିକ ଘୋଷଣା କରିନଥିବା ବେଳେ ସୋସିଆଲ ମିଡିଆରୁ ଏହା ସ୍ପଷ୍ଟ ହୋଇଛି | ନତାଶା ନିଜ ନାମରୁ ପାଣ୍ଡ୍ୟା ହଟାଇବା ସହ ସ୍ୱାମୀଙ୍କ ସହ ସବୁ ଫଟୋ ହଟାଇ ଦେଇଛନ୍ତି | ଏହାକୁ ଦେଖିବା ପରେ ଦୁହିଁଙ୍କ ମଧ୍ୟରେ କିଛି ଠିକ ନଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି |

ଏହି ଚର୍ଚ୍ଚା ମଧ୍ୟରେ ଏବେ କୁହାଯାଉଛି ଯେ, ନତାଶା ପାଣ୍ଡ୍ୟାଙ୍କ ସମ୍ପତ୍ତିର ୭୦ ପ୍ରତିଶତ ନେବେ। ଜାତୀୟ ଗଣମାଧ୍ୟମରେ ଏହି ଚର୍ଚ୍ଚା ହେଉଥିଲେ ବି ଦୁହେଁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି | ତେବେ ପାଣ୍ଡ୍ୟାଙ୍କ ଆୟ ଦେଖିବାକୁ ଗଲେ ପାଣ୍ଡ୍ୟା ଆଇପିଏଲ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଅଛନ୍ତି । ତାଙ୍କୁ ଦଳ ୧୫କୋଟି ଟଙ୍କାରେ କିଣିଛି | ସେ ଏହା ପୂର୍ବରୁ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଭାବେ କୋଟି କୋଟି ଟଙ୍କା ଆୟ କରିଥିଲେ । ତେବେ କ୍ରିକେଟ ବ୍ୟତୀତ ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ରୋଜଗାର କରନ୍ତି | ଏବେ ସେ ୯୧କୋଟି ଟଙ୍କାର ମାଲିକ ଥିବା ବେଳେ ଛାଡପତ୍ର ପରେ ତାଙ୍କୁ ଅଧାରୁ ଅଧିକ ସମ୍ପତ୍ତି ପତ୍ନୀଙ୍କୁ ଦେବାକୁ ହେବ ବୋଲି ଚର୍ଚ୍ଚା ହେଉଛି |

ସମ୍ବନ୍ଧିତ ଖବର