ମୋ ବାପା ଥିଲେ ବହୁତ ଖୁସି ହୋଇଥାନ୍ତେ : ଭାରତର ବିଜୟ ପରେ ପାଣ୍ଡ୍ୟାଙ୍କ ଆଖିରେ ଲୁହ

ମେଲବୋର୍ଣ୍ଣ : ଟି-୨୦ ବିଶ୍ବକପରେ ପାକିସ୍ତାନ ଉପରେ ଭାରତର ରୋମାଞ୍ଚକର ବିଜୟରେ ସମଗ୍ର ଦେଶ ଉତ୍ସବମୁଖରିତ ହୋଇଯାଇଛି । ବିରାଟ କୋହଲିଙ୍କ ଚମତ୍କାର ଇନିଂସ ପାଇଁ ଭାରତ ଏହି ଅବିଶ୍ବସନୀୟ ବିଜୟ ହାସଲ କରିପାରିଛି । ତେବେ ଭାରତର ଏହି ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ମଧ୍ୟ ମହତ୍ବପୂର୍ଣ୍ଣ ଅବଦାନ ରହିଛି । ସେ ବିରାଟଙ୍କ ସହ ମିଶି ଏକ ଭଲ ପାର୍ଟନରସିପ୍ କରିଥିଲେ । ୪୦ ରନରେ ଆଉଟ୍ ହେବା ପୂର୍ବରୁ ସେ ଭାରତର ବିଜୟ ପାଇଁ ମୂଳଦୁଆ ପକାଇସାରିଥିଲେ । କେବଳ ବ୍ୟାଟିଂରେ ନୁହେଁ, ବୋଲିଂରେ ବି ସେ କମାଲ ଦେଖାଇଥିଲେ । ୩ଟି ଓ୍ବିକେଟ ନେଇ ସେ ପାକିସ୍ତାନୀ ବ୍ୟାଟିଂର ମଧ୍ୟଭାଗକୁ ଭାଙ୍ଗି ଦେଇଥିଲେ ।

ଭାରତ ଏହି ରୋମାଞ୍ଚକର ମ୍ୟାଚରେ ବିଜୟ ହାସଲ କରିବା ପରେ ଟିମର ସମସ୍ତ ଖେଳାଳୀ ଓ ଉତ୍ସବ ପାଳନ କରୁଥିବାବେଳେ ପାଣ୍ଡ୍ୟାଙ୍କ ଆଖିରେ ଲୁହ ଆସିଯାଇଥିଲା । ସେ ନିଜର ପରଲୋକଗତ ବାପାଙ୍କୁ ମନେ ପକାଉଥିଲେ । ସେ ବଞ୍ଚିଥିଲେ କେତେ ଖୁସି ହୋଇଥାନ୍ତେ । ତାଙ୍କ ପାଇଁ ତାଙ୍କ ବାପା ଯେତିକି ତ୍ୟାଗ କରିଛନ୍ତି, ସେଥିପାଇଁ ସେ ଯେତେ କୃତଜ୍ଞତା ଜ୍ଞାପନ କଲେ ବି ଯଥେଷ୍ଟ ହେବ ନାହିଁ ।

 

ସେ ମାତ୍ର ସାଢେ ୬ ବର୍ଷର ଥିବାବେଳେ ତାଙ୍କ ବାପା ତାଙ୍କୁ ଏ ସହରରୁ ସେ ସହରକୁ ଧରି ବୁଲୁଥିଲେ । ସେ ଜାଣିନଥିଲେ ଯେ ତାଙ୍କ ପୁଅ ଭବିଷ୍ୟତରେ କେଉଁ ସ୍ତରରେ ପହଞ୍ଚିବ, ତଥାପି  ସେ ନିଜର କାମ କରିଚାଲିଥିଲେ । ଏଣୁ ଏହି ବିଜୟ ତାଙ୍କର ବୋଲି ପାଣ୍ଡ୍ୟା କହିଛନ୍ତି ।

ହାର୍ଦ୍ଦିକଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

ସମ୍ବନ୍ଧିତ ଖବର