ପାଣ୍ଡ୍ୟା ଓ ରାହୁଲଙ୍କ ‘ନିସର୍ତ୍ତ’ କ୍ଷମା ପ୍ରାର୍ଥନା ପରେ ବିସିସିଆଇ ସଦସ୍ୟ ସ୍ୱତନ୍ତ୍ର ବୈଠକ ଦାବି କଲେ

ମୁମ୍ବାଇ: ନିଲମ୍ବିତ କ୍ରିକେଟ୍‌ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌ ରାହୁଲ ସୋମବାର ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଟିଭି ପରଦାରେ ଏକ ସୋ’ରେ ମହିଳାଙ୍କ ସଂପର୍କରେ ଅପତ୍ତିଜନକ ବୟାନ ଦେବା ପରେ ଏହି ଦୁଇ କ୍ରିକେଟ୍‌ର ବିବାଦରେ ଛନ୍ଦି ହୋଇପଡ଼ିଥିଲେ। ଏ ସଂପର୍କରେ କମିଟି ଅଫ୍‌ ଅଡ୍‌ମିନ୍‌ଷ୍ଟ୍ରେଟର୍‌ (ସିଓଏ) ମୁଖ୍ୟ ବିନୋଦ ରାୟ କହିଛନ୍ତି କି, ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ(ବିସିସିଆଇ) ଏହି ଦୁଇ ଖେଳାଳିଙ୍କ ତ୍ରୁଟି ସଂଶୋଧନ କରିବାର ସୁଯୋଗ ଦେଇ ଏମାନଙ୍କୁ ଖେଳରେ ସାମିଲ୍‌ କରିବା ଉଚିତ। ଏହି ମାମଲାରେ କାହାର ଭବିଷ୍ୟତର କ୍ୟାରିୟର ନଷ୍ଟ କରାନଯାଉ।

ଏହି ଦୁଇ ଖେଳାଳି ନିସର୍ତ୍ତ କ୍ଷମା ମାଗିବା ପରେ ଠିକ୍‌ ଭାବେ ତଦନ୍ତ କରିବା ପାଇଁ ବିସିସିଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ସାଧାରଣ ବୈଠକ(ଏସ୍‌ଜିଏମ୍‌) କରିବା ପାଇଁ ଦାବି କରିଛନ୍ତି କିଛି ବିସିସିଆଇ ସଦସ୍ୟ।  ସିଓଏର ଅନ୍ୟ ଜଣେ ସଦସ୍ୟ ଡାଏନା ଏଡୁଲଜିଙ୍କ ମତରେ ଏହି ତଦନ୍ତ ସିଓଏ ଓ ବିସିସିଆଇ ମିଳିତ ଭାବେ କରନ୍ତୁ।

ହାର୍ଦ୍ଦିକ ଓ ରାହୁଲଙ୍କୁ ପଠାଯାଇଥିବା ନୋଟିସ୍‌ର ଜବାବ ସେମାନେ ଦେଇ ସାରିଛନ୍ତି। ସେମାନେ ନିସର୍ତ୍ତ କ୍ଷମା ମାଗି  କରିଥିବା ଦୋଷକୁ ସ୍ୱୀକାର କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଟିଭି ସୋ’ ‘କଫି ଉଇଥ୍‌’ କରଣରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌ ରାହୁଲ ସାଥି ହୋଇ ଉପସ୍ଥିତ ହୋଇଥିଲେ। ସେଠାରେ କରଣଙ୍କ ବିଭିନ୍ନ ପ୍ରଶ୍ନର ବହୁ ମଜାଦାର ଅନ୍ଦାଜରେ ଉତ୍ତର ଦେଇଥିଲେ ଏହି ଦୁଇ ଖେଳାଳି। ଗୋଟିଏ ପ୍ରଶ୍ନର ଉତ୍ତରରେ ପାଣ୍ଡ୍ୟା ଦେଇଥିବା ଉତ୍ତର ମହିଳାଙ୍କୁ ଅସମ୍ମାନିତ କଲା ପରି ଥିଲା। ତାହାକୁ ସମର୍ଥନ କରି ହସିଥିଲେ ରାହୁଲ।

ସମ୍ବନ୍ଧିତ ଖବର