ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ନୂଆ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଜଣେ ନୂଆ ଅଧିନାୟକଙ୍କ ସହ ଖେଳିବାକୁ ଯାଉଛି। ସେ ହେଉଛନ୍ତି ନିର୍ଭରଯୋଗ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଗତ ବର୍ଷ ୧୫ କୋଟି ଟଙ୍କା ଦେଇ ଗୁଜୁରାଟ ଟାଇଟାନ୍ସଠାରୁ କିଣିଥିଲା। ଗତ ଦୁଇ ସିଜନରେ ଏହି ଅଲରାଉଣ୍ଡର ଗୁଜୁରାଟ ଦଳର ନେତୃତ୍ୱ ନେଇଥିଲେ। ନିଜର ପ୍ରଥମ ସିଜନରେ ହାର୍ଦ୍ଦିକ ଅଧିନାୟକ ଭାବେ ଦଳକୁ ଆଇପିଏଲ୍ ଚାମ୍ପିୟନ କରିଥିବା ବେଳେ ଦଳ ଗତ ସିଜନରେ ଉପବିଜେତା ହୋଇଥିଲା।
ହେଲେ ଗତ ବର୍ଷ ହୋଇଥିବା ନିଲାମିରେ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳକୁ ଆଣିଥିଲା। ତେବେ ନିଜର ପ୍ରଦର୍ଶନ ଓ ଚାହିଦା ପାଇଁ ଚର୍ଚ୍ଚାରେ ଥିବା ହାର୍ଦ୍ଦିକ କେତେ କୋଟିର ମାଲିକ ଆପଣ ଜାଣନ୍ତି କି? ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ଏବେ ୯୧କୋଟି ଟଙ୍କାର ମାଲିକ ଅଟନ୍ତି। ବିଭିନ୍ନ ମ୍ୟାଚ୍, ବିଜ୍ଞାପନ ଓ ବ୍ୟବସାୟରେ ନିବେଶ କରି ମାସକୁ କୋଟି କୋଟି ଟଙ୍କା ଆୟ କରନ୍ତି ହାର୍ଦ୍ଦିକ। ମାସକୁ ସେ କ୍ରିକେଟରୁ ୧.୨କୋଟି ଟଙ୍କା ଆୟ କରୁଥିବା ବେଳେ ବୋଟ୍, ଓପୋ, ଗଲ୍ଫ ଅଏଲ, ହାଲା ପ୍ଲେ, ଷ୍ଟାର ସ୍ପୋର୍ଟସ, ଜିଲେଟ୍, ଜ୍ୟାଗେଲ ଓ ସିନ୍ ଡେନିମ୍ ଭଳି ବ୍ରାଣ୍ଡର ଅମ୍ବାସାଡାର ଭାବେ ଟଙ୍କା ଆୟ କରୁଥିବା ଜଣାପଡ଼ିଛି। ନୂଆ ଦାୟିତ୍ବ ସହ ଆଗକୁ ତାଙ୍କ ସମ୍ପତ୍ତି ଆହୁରି ବଢ଼ିବ ବୋଲି କୁହାଯାଉଛି।