ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଚର୍ଚ୍ଚାରେ। ଏଥର ସେ ଚର୍ଚ୍ଚାକୁ ଆସିବାର କାରଣ ଛାଡପତ୍ର କିମ୍ବା ଆଘାତ ଖବର ନୁହେଁ ବରଂ ତାଙ୍କ ଅଧିନାୟକତ୍ୱ। ଏବେ ହାର୍ଦ୍ଦିକଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠିଛି ଏବଂ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକ କରାଯିବ ବୋଲି କୁହାଯାଉଛି। ୨୦୨୪ ଟି-୨୦ ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ଉପ-ଅଧିନାୟକ ଥିଲେ। ଏହା ପରେ ବିଶ୍ୱାସ କରାଯାଉଥିଲା ଯେ ସେ ଦଳର ପରବର୍ତ୍ତୀ ଅଧିନାୟକ ହେବେ। କିନ୍ତୁ ଏବେ ଏହା ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି।

Advertisment

ଜୁଲାଇ ୨୭ରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ଅଧିନାୟକ ହେବେ ବୋଲି କୁହାଯାଉଥିଲା। ହେଲେ ଏବେ ଚର୍ଚ୍ଚା ହେଉଛି ଯେ, ସୂର୍ଯ୍ୟକୁମାର ଦଳର ଅଧିନାୟକ ହେବେ। ହାର୍ଦ୍ଦିକଙ୍କ ଉପଲବ୍ଧତାକୁ ନେଇ ଅନିଶ୍ଚିତତା ଥିବାରୁ ତାଙ୍କୁ ବିସିସିଆଇ ଓ ‌କୋଚ୍ ଗୌତମ ଗମ୍ଭୀର ଅଧିନାୟକ ନକରି ସୂର୍ଯ୍ୟକୁମାରଙ୍କୁ ଅଧିନାୟକ କରିବାକୁ ଚିନ୍ତା କରୁଛନ୍ତି।

ତେବେ ଏହା ପୂର୍ବରୁ ଅଗଷ୍ଟରେ ଅନୁଷ୍ଠିତ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଓଡିଆଇ ସିରିଜରୁ ବିରତି ନେବାକୁ ନିଷ୍ପତ୍ତି ନେଇସାରିଛନ୍ତି ପାଣ୍ଡ୍ୟା। ବ୍ୟକ୍ତିଗତ କାରଣରୁ ସେ ବିରତି ନେଇଥିବା ଜଣାପଡ଼ିଛି। ତାଙ୍କ ସ୍ଥାନରେ କେ‌ଏଲ ରାହୁଲ ଦଳର ଅଧିନାୟକ ହୋଇପାରନ୍ତି ବୋଲି କୁହାଯାଉଛି ।