ମୁମ୍ବାଇ: ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଥିଲା। ଏବେ ଭାରତ ଏକତରଫା ଭାବେ ୬ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରି ସେମ‌ିଫାଇନାଲ୍ ପ୍ରବେଶକୁ ନିଶ୍ଚିତ କରିଛି। ଅନ୍ୟପକ୍ଷରେ ବିଜେତା ତଥା ଆୟୋଜକ ପାକିସ୍ତାନ କ୍ରମାଗତ ପରାଜୟ ପରେ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେବାର ବିପଦରେ ପଡ଼ିଛି। ଟିମ୍ ଇଣ୍ଡିଆ ଆରମ୍ଭରୁ ମ୍ୟାଚ୍ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ବାବର ଆଜମଙ୍କୁ ଆଉଟ୍ କରି ପାକିସ୍ତାନକୁ ଦୁର୍ବଳ କରିଦେଇଥିଲେ। ବାବରଙ୍କୁ ଆଉଟ୍ କରିବା ପରେ, ପାଣ୍ଡ୍ୟା ହାତରେ ପିନ୍ଧିଥିବା ଘଣ୍ଟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

Advertisment

ପାଣ୍ଡ୍ୟାଙ୍କ ଏହି ଘଣ୍ଟା କୌଣସି ସାଧାରଣ ଘଣ୍ଟା ନୁହେଁ। ଏହାର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଉଛି। ଯଦି ୧୧ ଜଣ ପାକିସ୍ତାନୀ ଖେଳାଳିଙ୍କ ସମ୍ପୂର୍ଣ୍ଣ ମ୍ୟାଚ୍ ଫି’ ମିଶାଯାଏ, ତେବେ ମଧ୍ୟ ଏହି ଘଣ୍ଟାର ମୂଲ୍ୟ ସହିତ ସମାନ ହୋଇପାରିବ ନାହିଁ ବୋଲି କୁହାଯାଉଛି। ଜାତୀୟ ଗଣମାଧ୍ୟମ ଅନୁଯାୟୀ, ପାଣ୍ଡ୍ୟା ରିଚାର୍ଡ ମିଲ ବ୍ରାଣ୍ଡର ଘଣ୍ଟା ପିନ୍ଧିଥିଲେ। ଏକ ଅନଲାଇନ୍ ବିଳାସପୂର୍ଣ୍ଣ ଘଣ୍ଟା ବିକ୍ରୟ ସାଇଟ୍ ଜେମ୍ ନେସନ୍ ଅନୁଯାୟୀ, ଏହି ଘଣ୍ଟାର ମୂଲ୍ୟ ୮ ଲକ୍ଷ ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୭କୋଟି ଟଙ୍କା ହେବ। ଏପର୍ଯ୍ୟନ୍ତ ଏହି ଘଣ୍ଟାର କେବଳ ୫୦ଖଣ୍ଡ ତିଆରି ହୋଇଛି।

ପାଣ୍ଡ୍ୟାଙ୍କ ଏହି ଘଣ୍ଟାର ମୂଲ୍ୟ ଚାମ୍ପିଅନ୍ସ ଟ୍ରଫିରେ ଭାରତ ବିପକ୍ଷରେ ଖେଳିଥିବା ପାକିସ୍ତାନ ଦଳର ୧୧ ଜଣ ଖେଳାଳିଙ୍କ ଗୋଟିଏ ଦିନିକିଆ ମ୍ୟାଚ୍ ଫି’ଠାରୁ ବହୁତ ଅଧିକ। ୨ ନଭେମ୍ବର, ୨୦୨୪ରେ ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଦଳର ଜଣେ ଖେଳାଳିଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ୬ ଲକ୍ଷ ୪୪ ହଜାର ପାକିସ୍ତାନୀ ଟଙ୍କା ମିଳିଥାଏ। ଯଦି ଭାରତୀୟ ଟଙ୍କାରେ ପରିଣତ କରାଯାଏ, ତେବେ ଏହା ପ୍ରାୟ ୧.୫ ଲକ୍ଷ ଟଙ୍କା ହେବ। ଅର୍ଥାତ୍, ସମସ୍ତ ୧୧ ଜଣ ଖେଳାଳିଙ୍କ ପାଇଁ ମୋଟ ମୂଲ୍ୟ ପାକିସ୍ତାନୀ ଟଙ୍କାରେ ପ୍ରାୟ ୭୦ ଲକ୍ଷ ଏବଂ ଭାରତୀୟ ଟଙ୍କାରେ ପ୍ରାୟ ସାଢ଼େ ୧୬ଲକ୍ଷ ହେବ।