ଦୁବାଇ: ପାକିସ୍ତାନ ବିପକ୍ଷ ଆଇସିସି ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ମଧ୍ୟ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଓ କୁଲଦୀପ ୟାଦବଙ୍କ ପାଇଁ ଅଭୁଲା ରହିବ। ହାର୍ଦିକ ଭାରତକୁ ପ୍ରଥମ ୱିକେଟ୍ ଦେଇଥିଲେ ଏବଂ କୁଲଦୀପ ସର୍ବାଧିକ ୩ ୱିକେଟ୍ ନେଇଥିଲେ। କିନ୍ତୁ ବ୍ୟକ୍ତିଗତ ଭାବେ ହାର୍ଦିକ ୨୦୦ ଅନ୍ତର୍ଜାତୀୟ ୱିକେଟ୍ ପୂର୍ଣ୍ଣ କରିଥିଲେ। ବାବର ଆଜମ ଓ ସୌଦ ସକିଲଙ୍କ ୱିକେଟ୍ ନେଇ ଭାରତକୁ ଫାଇଦାରେ ରଖିଥିବା ହାର୍ଦିକ ମାତ୍ର ୩.୮୭ ଇକୋନୋମି ରେଟ୍ରେ ୨/୩୧ ଚିତ୍ର ପାଇଥିଲେ। ଭାରତୀୟ କ୍ରିକେଟ୍ ଇତିହାସରେ କିନ୍ତୁ ହାର୍ଦିକ ୨୪ତମ ଅଗ୍ରଣୀ ବୋଲର ହୋଇଛନ୍ତି। ୨୧୬ ଅନ୍ତର୍ଜାତୀୟ ମ୍ୟାଚ୍ରୁ ସେ ୩୦.୭୬ ହାରରେ ୨୦୦ ୱିକେଟ୍ ପୂର୍ଣ୍ଣ କରିଛନ୍ତି। ଏହା ମଧ୍ୟରେ ୧୧ ଟେଷ୍ଟ୍ରୁ ୧୭ ୱିକେଟ୍, ୯୧ ଦିନିକିଆରୁ ୮୯ ୱିକେଟ୍ ଏବଂ ୧୧୪ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୁ ୯୪ ୱିକେଟ୍ ଅକ୍ତିଆର କରିଛନ୍ତି। ଅନ୍ୟପକ୍ଷରେ କୁଲଦୀପ ରବିବାର ପଞ୍ଚମ ଭାରତୀୟ ତଥା ବିଶ୍ବର ତ୍ରୟୋଦଶ କ୍ରିକେଟର୍ ଭାବେ ୩୦୦ ଅର୍ନ୍ତଜାତୀୟ ୱିକେଟ୍ ପୂର୍ଣ୍ଣ କରିଛନ୍ତି। ଏହି ବାମହାତୀ କଚଟି ସ୍ପିନର୍ ରବିବାର ୩/୪୦ ଚିତ୍ର ପାଇଥିଲେ ମଧ୍ୟ ପ୍ରଥମ ୱିକେଟ୍ (ସଲମାନ୍ ଆଘା) ଦଖଲ ବେଳେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ପରବର୍ତ୍ତୀ ବଲ୍ରେ ସାହିନ ଶାହ ଆଫ୍ରିଦି ଏବଂ ଶେଷକୁ ନସିମ୍ ଶାହଙ୍କୁ ବି ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ୨୦୧୭ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା କୁଲଦୀପ ୧୬୩ ମ୍ୟାଚ୍ରୁ ୩୦୦ ୱିକେଟ୍ ସଂଗ୍ରହ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ହ୍ୟାଟ୍ରିକ୍ ଓ ଟେଷ୍ଟ୍ କ୍ରିକେଟ୍ରେ ୫ ୱିକେଟ୍ ସଫଳତା ବି ସାମିଲ ରହିଛି। ଏହି ୩୦ ବର୍ଷୀୟ ସ୍ପିନର୍ ୧୩ ଟେଷ୍ଟ୍ରୁ ୫୬ ୱିକେଟ୍, ୧୧୦ ଦିନିକିଆରୁ ୧୭୭ ୱିକେଟ୍ ଏବଂ ୪୦ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୁ ୬୯ ୱିକେଟ୍ ଦଖଲ କରିଛନ୍ତି।
ଟସ୍ ହାରିବାରେ ଭାରତର ବିଶ୍ବ ରେକର୍ଡ
ରବିବାରର ହାଇଭୋଲ୍ଟେଜ୍ ଭାରତ-ପାକିସ୍ତାନ ମ୍ୟାଚ୍ରେ ବଲ୍ ଗଡ଼ିବା ପୂର୍ବରୁ ଟିମ୍ ଇଣ୍ଡିଆ ଏକ ଆଲୋଡ଼ା ବିଶ୍ବ ରେକର୍ଡର ଅଧିକାରୀ ହୋଇଛି। ଅଧିନାୟକ ରୋହିତ ଶର୍ମା ଟସ୍ ହାରିବା କ୍ଷଣି ଏହି ରେକର୍ଡ ଭାରତୀୟ କ୍ରିକେଟ୍ ଦଳର ଖାତାରେ ଯୋଡ଼ି ହୋଇଯାଇଥିଲା। ଦଳଗତ ଭାବେ ଏକଦିବସୀୟ କ୍ରିକେଟ୍ରେ ଲଗାତାର ଭାରତ ୧୨ଟି ଟସ୍ ହାରି ନେଦରଲାଣ୍ଡ୍ସ ନାଁରେ ଥିବା କ୍ରମାଗତ ୧୧ ଟସ୍ ପରାଜୟ ରେକର୍ଡକୁ ପଛରେ ପକାଇ ଦେଇଥିଲା। ଭାରତର ଏହି ଟସ୍ ହାରିବା ଧାରା ଗତବର୍ଷ ନଭେମ୍ବର ମାସ ୨୩ ତାରିଖରୁ ଆରମ୍ଭ ହୋଇ ଏବେସୁଦ୍ଧା ଜାରି ରହିଛି। ଏହା ପୂର୍ବରୁ ନେଦରଲାଣ୍ଡ୍ସ ମାର୍ଚ୍ଚ ୨୦୧୧ରୁ ଅଗଷ୍ଟ ୨୦୧୩ ମଧ୍ୟରେ ଲଗାତାର ୧୧ ଟସ୍ ହାରିଥିଲା। ଏହିକ୍ରମରେ ଇଂଲଣ୍ଡ, ଆମେରିକା, ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ଲଗାତାର ୯ ଟସ୍ ହାରି ମିଳିତ ତୃତୀୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ଏକମାତ୍ର ଦଳ ଭାବେ ଦୁଇ ଥର ଲଗାତାର ୯ଥର ଲେଖାଏଁ ଟସ୍ ହାରିଛି। ସେପଟେ ଅଧିନାୟକ ଭାବେ ଲଗାତାର ଟସ୍ ହାରିବାରେ ରୋହିତ (୯) ଏବେ ବ୍ରାଏନ ଲାରା (୧୨, ୱେଷ୍ଟଇଣ୍ଡିଜ୍) ଓ ପିଟର ବୋରେନ୍ (୧୧, ନେଦରଲାଣ୍ଡ୍ସ)ଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି।